Friday, May 29, 2026
spot_img
Homeସାମାଜ ଓ ବିଚାରବକ୍ସାଇଟ ପାହାଡ: ଯୁଦ୍ଧର ଅସ୍ତ୍ର ନୁହେଁ ଜୀବନ ଜୀବିକାର ଉତ୍ସ

ବକ୍ସାଇଟ ପାହାଡ: ଯୁଦ୍ଧର ଅସ୍ତ୍ର ନୁହେଁ ଜୀବନ ଜୀବିକାର ଉତ୍ସ

– ଦେବ ରଞ୍ଜନ

ପୂର୍ବଘାଟ ପର୍ବତମାଳାର ଅନେକ ପାହାଡରେ ରହିଛି ବକ୍ସାଇଟ। ଏହା ମୁଖ୍ଯତଃ ଦକ୍ଷିଣ ଓଡିଶା ଓ ବିଶାଖାପାଟଣାର ଏଜେନ୍ସି ଅଞ୍ଚଳରେ ଆସୁଛି। ଜିୟଲୋଜିଷ୍ଟଙ୍କ ମତରେ ଅଶି ଦଶକ ସମୟରେ ଏଠାରେ ୨.୩ ବିଲିଅନ ଟନ ବକ୍ସାଇଟ,ଥିଲା, ଦେଶର ସମଗ୍ର ବକ୍ସାଇଟର ଏହା ୫୧ ପ୍ରତିଶତ, ସମଗ୍ର ବିଶ୍ଵର ଏହା ହୁଏତ ୫ ଭାଗ ହୋଇଥିବ। ଦକ୍ଷିଣ ଓଡିଶାର ମୁଖ୍ୟ ବକ୍ସାଇଟ ପାହାଡ ହେଲା ନିୟମଗିରି, ବାଫଲାମାଳି, ସିଜିମାଳି, କୁଟୃମାଳି, ବାଲଦା, ପଞ୍ଚପୁଟ, ସେରୁବନ୍ଧ, ବାସଙ୍ଗ, ମାଳିପର୍ବତ, ଦେଓମାଳି, କୋଡିଙ୍ଗା,ଓ ଗନ୍ଧମାର୍ଦ୍ଦନ ଇତ୍ୟାଦି।

ବକ୍ସାଇଟର ଜଳଧାରଣ ଶକ୍ତି

ବକ୍ସାଇଟର ଜଳଧାରଣ କ୍ଷମତା ଅଧିକ। ଏହି ସମସ୍ତ ପାହାଡର ଗଠନ ଶୈଳୀ ମଧ୍ୟ ସମାନ। ପାହାଡର ଉପରିଭାଗ ବେଶ କେତେ କିଲୋମିଟର ଲମ୍ବା ଓ ଓସାର। ଏ ମୁଣ୍ଡରୁ ସେ ମୁଣ୍ଡ ଦେଖାଯିବନାହିଁ। ପାହାଡର ଶୀର୍ଷ ସମତଳ ହୋଇଥିବା କାରଣରୁ ବର୍ଷା ଜଳ ଗଡି ନଯାଇ ସଞ୍ଚିତ (ଗିବସାଇଟ ସ୍ତର) ହୋଇଥାଏ। ବକ୍ସାଇଟ ପାହାଡ଼ରୁ ବାହାରିଥିବା ଝରଣା ଚିରସ୍ରୋତା- ବର୍ଷ ତମାମ ଜଳ ଏଥିରେ ଚାଲିଥାଏ। ପ୍ରକୃତିର ଏହା ଅତି ଆଶ୍ଚର୍ଯ୍ୟ ସୃଷ୍ଟି। ସମଗ୍ର ଦକ୍ଷିଣ ଓଡିଶା ଓ ବିଶାଖାପାଟଣା ଏଜେନ୍ସି ଅଞ୍ଚଳରେ ଯଦି ଅନ୍ୟୁନ୍ୟ ୭୦ରୁ ଅଧିକ ବକ୍ସାଇଟ ପାହାଡ ରହିଥିବ ତେବେ ସେଥିରୁ ବାହାରି ଥିବା ସମୁଦାୟ ଝରଣାର ସଂଖ୍ୟା ଦୁଇ ହଜାର ହେବ ବା ଅଧିକ।

ଜିୟଲୋଜିଷ୍ଟମାନେ ମାଟି ଭିତରେ କେତେ ବକ୍ସାଇଟ ଅଛି ତାହା ତ କହିଦେଲେ କିନ୍ତୁ ମାଟି ଉପରେ କେତେ ଝରଣା ବୋହିଯାଉଛି ତାହାର ଗଣତି କଲେନାହିଁ। ବକ୍ସାଇଟ ଆଦୌ ମାଟି ତଳେ ଅବ୍ୟବହୃତ ହୋଇରହିନାହିଁ। ଦକ୍ଷିଣ ଓଡିଶାର ସେହି ସହସ୍ର ଝରଣା ମିଶି ସୃଷ୍ଟି କରିଛନ୍ତି ନାଗାବଳୀ, ବଂଶଧାରା, ସିଲେରୁ, ଶବେରୀ ଓ ଇନ୍ଦ୍ରାବତୀ ନଦୀ। ସେହିମାନେ ପୁଣି ଓସାରିଆ କରିଛନ୍ତି ଗୋଦାବରୀ ନଦୀକୁ। ଏହି ସମସ୍ତ ନଦୀର ଉପସ୍ଥିତି ହେତୁ ଅନେକ ହଜାର ଏକର ଚାଷ ଜମିକୁ ପାଣି ଓ ଶହେରୁ ଅଧିକ ସହରକୁ ପାନୀୟ ଜଳ ମିଳିପାରୁଛି।

ଏଥିରୁ ଅନୁମାନ କରିହେଉଥିବ ଯେ ଦକ୍ଷିଣ ଓଡିଶା, ଦକ୍ଷିଣ ପୂର୍ବ ଆନ୍ଧ୍ର ପ୍ରଦେଶ ଓ ଉତ୍ତର ପୂର୍ବ ତେଲେଙ୍ଗାନାର ଏହି ବିରାଟ ଅଞ୍ଚଳର ପ୍ରାଣକେନ୍ଦ୍ର ହେଉଛି ଏହି ବକ୍ସାଇଟ ପାହାଡ। ଏହାକୁ ଅବ୍ୟବହୃତ ଦର୍ଶାଇ ଯଦି କମ୍ପାନୀମାନଙ୍କୁ ଦେଇଦିଆଯାଏ ତେବେ ଏକ ବିରାଟ ଅଞ୍ଚଳ କ୍ରମଶଃ ମରୁଭୂମୀରେ ପରିଣତ ହୋଇଯିବ।

ନାଲକୋର ପଞ୍ଚପୁଟ ମାଳି ପାହାଡର ଚତୁର୍ପାର୍ଶ୍ୱ ଆଜି ଶୁଖା ପଡିଛି। ଭିତରଗଡ ଗ୍ରାମ ପଞ୍ଚାୟତର ଜଲାଗୁଡା, କାପସିପୁଟ ଓ ଭିତରଗଡ ଗ୍ରାମର ୧୦୦୦ ଏକରରୁ ଅଧିକ ଚାଷ ଓ ଗୋଚର ଜମି ପାଣି ଅଭାବରୁ ଶୁଖିଲା ପଡିଛି। ୨୦୧୭ ମସିହାରୁ ଓଡିଶା ମିନିଙ୍ଗ କର୍ପୋରେସନ କୋଡିଙ୍ଗା ମାଳିରୁ ବକ୍ସାଇଟ ଖଣି ଉତ୍ତୋଳନ କରି ବେଦାନ୍ତର ଲାଞ୍ଜିଗଡ ପ୍ଳାଣ୍ଟକୁ ଦେଉଛି। ଏହି ହେତୁ ମୁରକା ପଞ୍ଚାୟତର ମାଲିଚେମା, ଓ ବାଙ୍କାମ ପଞ୍ଚାଯତର କୋଡିଙ୍ଗା ଓ ବାଙ୍କାମ ଗାଁର ଦୁଇଟି ଲେଖାଁ ଝରଣା ଶୁଖିସାରିଲାଣି। ୨୦୧୨-୧୩ ରୁ ଉତ୍କଳ ଆଲୁମିନା କମ୍ପାନୀ ବାଫଳାମାଳୀରୁ ଖଣି ଖନନ କରୁଛି। ପାଇକକୁପାଖାଳ, କରଞ୍ଜ କୁପାଖାଲ, ଅଣ୍ଡିରାକଞ୍ଚା ଗ୍ରାମବାସୀଙ୍କ ଅଭିଯୋଗ ଯେ ସେମାନଙ୍କ ଗାଁ ପାଖର ଝରଣାରେ ପାଣି ଆସିବା କମିଯାଇଛି।
ବିଭିନ୍ନ ରିପୋର୍ଟରେ ଆଫ୍ରିକାର ଜାମାଇକା ଓ ଅଷ୍ଟ୍ରେଲିଆର ବକ୍ସାଇଟ ଖଣି ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଆଜି ଚାଷଶୂନ୍ୟ ଓ ଜନବସତି ଶୂନ୍ୟ ହୋଇଯାଇଥିବା ପ୍ରକାଶ ପାଉଛି। ଖଣି ପରବର୍ତ୍ତୀ ଅଞ୍ଚଳର ପରିବର୍ତ୍ତନ ହୁଏତ ବାତ୍ୟା ହେତୁ ହେଉଥିବା ଧ୍ଵଂସ ଭଳି ତୁରନ୍ତ ଦେଖାଯିବନାହିଁ କିନ୍ତୁ ଏହି କ୍ଷତି ଏତେ ଗଭୀର ଯେ ତାହାକୁ ପୂରଣ ମଧ୍ୟ କରାଯାଇପାରିବ ନାହିଁ।

ଯୁଦ୍ଧାସ୍ତ୍ର ନିର୍ମାଣରେ ହାଇଗ୍ରେଡ ଆଲୁମିନିୟମ

ସରକାରଙ୍କ ଦ୍ରୁଷ୍ଟିରେ ବକ୍ସାଇଟରୁ ପ୍ରସ୍ତୁତ ଆଲୁମିନିୟମର ବିରାଟ ବଜାର ରହିଛି। ସେମାନଙ୍କ ଦ୍ରୁଷ୍ଟିରେ ଆଲୁମିନିୟମ ବ୍ୟବହାର ହୁଏ ଖାଦ୍ଯର ଫଏଲ, ଔଷଦର କୋଟିଙ୍ଗ ଓ ଝରକାର ଫ୍ରେମରେ । ସତ ହେଲା ଯେ ସେଥିଲାଗି ଯେତିକି ଆଲୁମିନିୟମ ବିକ୍ରି ହୁଏ ସେଥିରେ ଶିଳ୍ପପତିଙ୍କ ଚା ଖର୍ଚ୍ଚ ବି ଉଠୁନଥିବ। ମୂଳ ଲକ୍ଷ ଏରୋପ୍ଳେନ ଓ ଯୁଦ୍ଧାସ୍ତ୍ର କମ୍ପାନୀଙ୍କୁ ବିକ୍ରି। ମିସାଇଲ, ଡ୍ରୋନ, ରକେଟ, ରକେଟ ଲଞ୍ଚର, ଜେଟ ବିମାନ ଲାଗି ଆବଶ୍ୟକ ହାଇଗ୍ରେଡ ଆଲୁମିନିୟମ। ଆଜି ସବୁ ଆଲୁମିନିୟମ କମ୍ପାନୀ ଲାଗିଛନ୍ତି ହାଇଗ୍ରେଡ ଆଲୁମିନିୟମର ପ୍ରସ୍ତୁତିରେ। ସେହି ସମସ୍ତଙ୍କର ବଡ ସ୍ଲୋଗାନ ଦେଶର ବିକାଶ। ବିକାଶ ବଡ ଅଦ୍ଭୁତ ବିଷୟ। ଏହା ମୂଳରୁ କାହା ଲାଗି ଲାଭ ଓ ଆଉ କାହାର ଧ୍ଵଂସ ନେଇ ଉତ୍ପତ୍ତି ହୋଇଛି।

ପୋଲାଣ୍ଡର ସେକୋ ଗୃପ ବକ୍ସାଇଟରୁ ପ୍ରସ୍ତୁତ ଆଲୁମିନା ପାଉଡରରୁ ହାଇଗ୍ରେଡ ଆଲୁମିନିୟମ ପ୍ରସ୍ତୁତ କରିବାର କୌଶଳ ଉଦଦ୍ଭାବନ କରିଥିଲେ। ଏହା ଆଲୁମିନିୟମ ବଜାରରେ ନିଆଁ ଲଗାଇଦେଇଛି। ହାଇଗ୍ରେଡ ଆଲୁମିନିୟମ ଅଧିକ ଉତ୍ତାପ ସହନକାରୀ ଓ ହାଲୁକା ହୋଇଥିବା ହେତୁ ଏବେ ଅନେକ ଏହା ମିସାଇଲ, ରକେଟ ଓ ଏରୋସୋଲ ବୋମା ପ୍ରସ୍ତୁତିରେ ଆବଶ୍ୟକ ହେଉଛି। ଇରାନ ଯୁଦ୍ଧରେ ଆମେରିକା ବ୍ୟବହାର କରିଥିବା ଏଫ ୧୬ ଓ ଟୋମହକ ମିସାଇଲରେ ହାଇଗ୍ରେଡ ଆଲୁମିନିୟମର ବ୍ୟବହାର ହୋଇଥିଲା। ଏହାକୁ ଉତ୍ପାଦନ କରୁଥିବା ଉଭୟ ଆମେରିକା କମ୍ପାନୀ ଲକହିଡ଼ ମାର୍ଟିନ ଓ ରେଥିୟମ କମ୍ପାନୀ କେଉଁଠାରୁ ଆଲୁମିନିୟମ ନେଉଛନ୍ତି ତାହା ପ୍ରକାଶ କରୁନାହାନ୍ତି।

ଗାଜାରେ ଜାତିସଂଘ ଦ୍ଵାରା ନିର୍ମିତ ଆଶ୍ରୟ ସ୍ଥଳ ଉପରେ ଜୁନ ୦୬, ୨୦୨୪ ତାରିଖରେ ଇସ୍ରାଏଲ ତରଫରୁ ପଡିଥିବା ବୋମାରେ ‘ମେକ ଇନ ଇଣ୍ଡିଆ’ ଉଲ୍ଲେଖ ରହିଥିଲା। (ଅଲଯାଜିରା ନ୍ଯୁଜ) ଆଜି ଏହାର କୌଣସି ଅନୁସନ୍ଧାନ କିନ୍ତୁ ଭାରତୀୟ ଗଣମାଧ୍ୟମ କରୁନାହାନ୍ତି। ଇସ୍ରାଏଲର ଦ୍ଵାରା ପଡିଥିବା ଏହି ବୋମା ପଛରେ ଭାରତର କଣ ସମ୍ବନ୍ଧ ରହିଛି?

ମିଡିଆ ତଥ୍ୟ ଅନୁସାରେ ଭାରତ ସରକାର ଇସ୍ରାଏଲକୁ ଯୁଦ୍ଧାସ୍ତ୍ର ବିକ୍ରି କରୁଛନ୍ତି। ଭାରତ ସରକାର ପ୍ରାଇଭେଟ କମ୍ପାନୀମାନଙ୍କୁ ଯୁଦ୍ଧ ଅସ୍ତ୍ର ନିର୍ମାଣ କରିବାର କ୍ଷମତା ଟାଟା ଗୃପର ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡକୁ ଦେଇଛନ୍ତି। ଏହି କମ୍ପାନୀ ଆଜି ଯୁଦ୍ଧାସ୍ତ୍ର ନିର୍ମାଣ ଲାଗି ଉଭୟ ଆମେରିକୀୟ ଲକହିଡ଼ ମାର୍ଟିନ ଓ ରେଥିୟମ କମ୍ପାନୀ ସହିତ ଅନୁବନ୍ଧିତ ଯେଉଁ କମ୍ପାନୀ ଏଫ-16 ମିସାଇଲ ତିଆରି କରୁଛି। ଟାଟା କମ୍ପାନୀର ନିଜସ୍ଵ କୌଣସି ଆଲୁମିନିୟମ ପ୍ଳାଣ୍ଟ ନାହିଁ।

ହାଇଗ୍ରେଡ ଆଲୁମିନିୟମ ଲାଗି ଏହି କମ୍ପାନୀ ଅନ୍ୟ ଭାରତୀୟ କମ୍ପାନୀ ହିଣ୍ଡାଲକୋ – ଆଦିତ୍ୟ ବିରଳା ଓ ବେଦାନ୍ତ କମ୍ପାନୀ ଉପରେ ନିର୍ଭରଶୀଳ। ଗାଜାରେ ପଡିଥିବା ବୋମା ଯେ କେଉଁ କମ୍ପାନୀ ପ୍ରସ୍ତୁତ କରିଥିଲା ତାହା ଅସ୍ପଷ୍ଟ ତେବେ ଏହା ସ୍ପଷ୍ଟ ଯେ ହିଣ୍ଡାଲକୋ, ବେଦାନ୍ତ, ଟାଟା ସିଷ୍ଟମ ଇତ୍ୟାଦି କମ୍ପାନୀ ଇସ୍ରାଏଲ ଓ ଆମେରିକାର ଯୁଦ୍ଧାସ୍ତ୍ର କମ୍ପାନୀ ସହିତ ଅନୁବନ୍ଧିତ। ଚିନ୍ତାର ବିଷୟ ଯେ ଆଜି ଦେଶର ବିକାଶ ଲାଗି ବକ୍ସାଇଟ ଉତ୍ତୋଳନ ଆବଶ୍ୟକ ବୋଲି ଯୁକ୍ତି କରାଯାଉଛି। ପ୍ରକୃତରେ କିନ୍ତୁ ଏହା ଧ୍ବଂସକାରୀ ଅସ୍ତ୍ର ଭାବରେ ବ୍ୟବହାର ହେଉଛି।

କଣ ଜରୁରୀ, ବକ୍ସାଇଟ ନା ଆଲୂମିନିୟମ

ଗୋଟିଏପଟରେ ବକ୍ସାଇଟର ବ୍ୟବହାର ବଢୁଛି ଯୁଦ୍ଧାସ୍ତ୍ରର ବ୍ୟବହାର ଯେବେ ଏହା ଆଲୁମିନିୟମରେ ରୂପାନ୍ତରିତ ହେଉଛି। କିନ୍ତୁ ଏହା ଯେବେ ପାହାଡରେ ରହୁଛି ସେତେବେଳେ ଚିରସ୍ରୋତା ଝରଣାର ସ୍ରଷ୍ଟା କାରଣରୁ ଏହା ବ୍ଯବହାରରେ ଆସୁଛି ଅନେକ ଜୀବନକୁ ବଞ୍ଚାଇବାରେ। ଯଦି ସତରେ ବକ୍ସାଇଟ ଅବ୍ୟବହୃତ ହୋଇରହିଥାନ୍ତା ତେବେ ସ୍ଥାନୀୟ ଅଧିବାସୀ ସରକାରୀ ଦମନ ସତ୍ବେ ଏହାର ଉତ୍ତୋଳନକୁ ବିରୋଧ କରୁନଥାନ୍ତେ। ଆଦିତ୍ଯ ବିରଳାର ପ୍ଳାଣ୍ଟ ସ୍ଥାପନକୁ ବିରୋଧ କରିବା ହେତୁ କାଶୀପୁର ନିକଟସ୍ଥ ମାଇକଞ୍ଚ (୨୦୦୦) ଗୁଳିକାଣ୍ଡରେ ତିନି ଜଣ ଆଦିବାସୀ ମୃତ୍ୟୁବରଣ କରିଥିଲେ।

ନିୟମଗିରି ଅଞ୍ଚଳରେ ଏନକାଉଣ୍ଟର ହତ୍ୟା ଓ ଦେଶଦ୍ରୋହ ମାମଲାରେ ଗିରଫ, ଓ ସିଜିମାଳି ଅଞ୍ଚଳରେ ଭୋର ସମୟରେ ପୁଲିସର ଲୁହାବୁହା ଗ୍ଯାସ ଓ ଗିରଫଦାରୀ ସତ୍ବେ ଲୋକେ ଆଜି ବି ଚାହୁଁଛନ୍ତି ଯେ ବକ୍ସାଇଟ ପାହାଡରେ ରହିଥାଉ। ଯଦି ସରକାର ସେହି ସମସ୍ତ ପାହାଡକୁ ଖୋଳିବାକୁ ଅନୁମତି ଦିଅନ୍ତି ତେବେ ଏ ପୃଥିବୀ ଧ୍ଵଂସ ହେବା ଲାଗି ବେଶୀ ଦିନ ବାକି ରହିବ ନାହିଁ। ବକ୍ସାଇଟ ଅବ୍ୟବହୃତ ହୋଇ ରହିଛି ବୋଲି ସରକାର ନଭାବନ୍ତୁ। ଏହା ପାହାଡରେ ଗଚ୍ଛିତ ରହିବା ହିଁ ଏହାର ବ୍ୟବହାର। ଏହା ଗଛିତ ହୋଇ ରହିଥାଉ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments