ଭୁବନେଶ୍ୱର, ୨୨ ଅଗଷ୍ଟ ୨୦୨୬: ପ୍ରଶାସନିକ କ୍ଷେତ୍ରରେ ସରକାରୀ ଭାଷାର ସଫଳ ପ୍ରୟୋଗ ଓ ବ୍ୟାପକ ପ୍ରସାର ପାଇଁ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱରକୁ ମିଳିଛି ଅନ୍ୟତମ ଶ୍ରେଷ୍ଠ ଜାତୀୟ ସ୍ୱୀକୃତି। ୨୦୨୫-୨୬ ଆର୍ଥିକ ବର୍ଷରେ ସରକାରୀ ଭାଷା କାର୍ଯ୍ୟାନ୍ୱୟନରେ ଉତ୍କୃଷ୍ଟ ପ୍ରଦର୍ଶନ କରି ପ୍ରତିଷ୍ଠାନ “ରାଜଭାଷା ଉତ୍କର୍ଷ ପୁରସ୍କାର-୨୦୨୬” ଶୀର୍ଷକରେ ପ୍ରଥମ ପୁରସ୍କାର ହାସଲ କରିଛି। ଭୁବନେଶ୍ୱରସ୍ଥିତ ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତି (ନରାକାସ) (କାର୍ଯ୍ୟାଳୟ-୨), ନରାକାସ (ଉଦ୍ୟୋଗ) ଏବଂ ନରାକାସ (ବ୍ୟାଙ୍କ)ର ଯୁଗ୍ମ ଆନୁକୂଲ୍ୟରେ ଅଗଷ୍ଟ ୨୧ ତାରିଖରେ “ପ୍ରଥମ ଆନ୍ତର୍ଜାତୀୟ ରାଜଭାଷା ବାର୍ଷିକ ସମ୍ମିଳନୀ, ଓଡ଼ିଶା-୨୦୨୬” ସଫଳତାର ସହ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀର ବିଶେଷ ଉତ୍ସବରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମ୍ପତି ଆଇଆଇଟି ଭୁବନେଶ୍ୱରକୁ ଏହି ଗୌରବମୟ ପୁରସ୍କାର ପ୍ରଦାନ କରିଛନ୍ତି।
ଆଇଆଇଟି ଭୁବନେଶ୍ୱର ପକ୍ଷରୁ ରେଜିଷ୍ଟ୍ରାର ଶ୍ରୀ ବାମଦେବ ଆଚାର୍ଯ୍ୟ ଏବଂ ପଦାର୍ଥ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଇନ୍ଦ୍ରେଶ ଯାଦବ ମାନ୍ୟବର ରାଜ୍ୟପାଳଙ୍କଠାରୁ ଏହି ପ୍ରତିଷ୍ଠିତ ପୁରସ୍କାର ଗ୍ରହଣ କରିଛନ୍ତି। ହିନ୍ଦୀକୁ ସରକାରୀ ଭାଷା ଭାବେ ନିୟମିତ ବ୍ୟବହାର, ଏହାର ସକ୍ରିୟ ପ୍ରୋତ୍ସାହନ ଏବଂ ପ୍ରଶାସନିକ ସ୍ତରରେ ସୁଚାରୁ କାର୍ଯ୍ୟାନ୍ୱୟନ ଦିଗରେ ଆଇଆଇଟି ଭୁବନେଶ୍ୱରର ନିରବଚ୍ଛିନ୍ନ ନିଷ୍ଠା ଓ ସାମୂହିକ ସଂକଳ୍ପ ଯୋଗୁଁ ଏହି ସଫଳତା ସମ୍ଭବ ହୋଇଛି।



