ଭୁବନେଶ୍ୱର, ଅଗଷ୍ଟ ୨୨: ଜଟିଳ ଓ ସଙ୍କଟାପନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଜଣେ ନବଜାତ ଶିଶୁକୁ ଚିକିତ୍ସା କରି ସୁସ୍ଥ କରିବା ସହ ଅଦ୍ଭୁତପୂର୍ବ ସଫଳତା ସାଉଁଟିଛି ସମ୍ ଅଲ୍ଟିମେଟ୍ ମେଡିକେୟାରର ସ୍ୱେଶାଲାଇଜ୍ଡ ଡାକ୍ତରୀ ଦଳ। ହୃତ୍ପିଣ୍ଡ ଅଚଳ ହେବା, ମ୍ୟୋକାର୍ଡାଇଟିସ୍, କାର୍ଡିଓଜେନିକ୍ ଷକ୍, ତୀବ୍ର ଯକୃତ ବିଫଳତା ଏବଂ ହିମୋଫାଗୋସାଇଟିକ ଲିମ୍ଫୋହିଷ୍ଟିଓସାଇଟୋସିସ (ଏଚ୍ଏଲ୍ଏଚ୍) ଭଳି ଏକାଧିକ ଜଟିଳ ରୋଗରେ ଆକ୍ରାନ୍ତ ହୋଇଥିବା ଶିଶୁଟିକୁ ଦୀର୍ଘ ଚିକିତ୍ସା ପରେ ନୂଆ ଜୀବନ ପ୍ରଦାନ କରାଯାଇଛି।
ଜନ୍ମ ବେଳେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା ବେଳେ ଜନ୍ମର ମାତ୍ର ୧୩ ଦିନ ପରେ ହଠାତ୍ ଅତ୍ୟଧିକ କାନ୍ଦିବା, ଅସ୍ଥିରତା ଦେଖାଇବା ଏବଂ ସ୍ତନ୍ୟପାନ କରିବାରେ ଅସମର୍ଥ ହୋଇଥିଲା। ପରିବାର ଲୋକେ ତାକୁ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତ୍ତି କରିବା ପରେ ଶିଶୁଟିର ହୃଦ୍ଯନ୍ତ୍ର ଗୁରୁତର ଭାବେ ଅସୁସ୍ଥ ଥିବା ଏବଂ କାର୍ଡିଓଜେନିକ୍ ଷକ୍ ଶିକାର ହୋଇଥିବା ଜଣାପଡ଼ିଥିଲା। ତାକୁ ତୁରନ୍ତ ଆଡ୍ଭାନ୍ସଡ୍ ଭେଣ୍ଟିଲେଟର ସପୋର୍ଟ ସହ ଆକ୍ରମଣାତ୍ମକ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ପରୀକ୍ଷା ପରେ ଜଣାପଡ଼ିଥିଲା ଯେ ହୃଦ୍ଜନିତ ଚାପ ସୂଚକ ‘ଏନ୍-ପ୍ରୋବିଏନ୍ପି’ ସ୍ତର ସାଧାରଣ ୧୨୫ ପରିବର୍ତ୍ତେ ୩୫,୦୦୦ରୁ ଅଧିକ ଏବଂ ପ୍ରଦାହ ସୂଚକ ‘ସିରମ୍ ଫେରିଟିନ୍’ ସ୍ତର ସାଧାରଣ ୧୫୦ ଏନ୍ଜି/ଏମ୍ଏଲ୍ ବଦଳରେ ୧,୦୦,୦୦୦ରୁ ଅଧିକ ରହିଥିଲା।
ଡାକ୍ତରଙ୍କ କହିବା ଅନୁସାରେ, ଅଳ୍ପ ସମୟ ମଧ୍ୟରେ ନବଜାତ ଶିଶୁର ହୃଦୟ, ଯକୃତ ଓ ପ୍ରତିରୋଧକ ପ୍ରଣାଳୀ ଏକାସଙ୍ଗେ ବିଫଳ ହେବା ଏକ ବିରଳ ଘଟଣା। ଶିଶୁଟିକୁ ମେକାନିକାଲ୍ ଭେଣ୍ଟିଲେସନ୍, ହୃଦ୍କାର୍ଯ୍ୟ ସମର୍ଥନକାରୀ ଔଷଧ, ମ୍ୟୋକାର୍ଡାଇଟିସ୍ର ନିୟନ୍ତ୍ରଣ ଏବଂ ବହୁବିଭାଗୀୟ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ଦୀର୍ଘଦିନର ନିରନ୍ତର ନିରୀକ୍ଷଣ ପରେ ଶିଶୁଟି ସୁସ୍ଥ ହୋଇ ଭେଣ୍ଟିଲେଟରରୁ ବାହାରିଥିଲା ଏବଂ ସ୍ୱାଭାବିକ ଭାବେ ଶ୍ୱାସପ୍ରଶ୍ୱାସ ନେବା ସହ ଖାଦ୍ୟ ଗ୍ରହଣ କରିବାରେ ସକ୍ଷମ ହୋଇଛି।
ଏହି ସଫଳତା ସମ୍ପର୍କରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ସିନିୟର କନ୍ସଲଟାଣ୍ଟ ଡାକ୍ତର ପ୍ରଦୀପ କୁମାର ଡେ, ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ଏବଂ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ପ୍ରକାଶ କରିଛନ୍ତି ଯେ, ସମୟୋପଯୋଗୀ ରୋଗ ଚିହ୍ନଟ, ଅତ୍ୟାଧୁନିକ ଆଇସିୟୁ ସୁବିଧା ଏବଂ ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କ ମିଳିତ ପ୍ରୟାସ ଯୋଗୁଁ ଏହି ନବଜାତ ଶିଶୁର ଜୀବନ ରକ୍ଷା କରାଯାଇପାରିଛି, ଯାହା ହସ୍ପିଟାଲର ନିଓନାଟାଲ୍ ଓ କ୍ରିଟିକାଲ୍ କେୟାର ସେବାର ଶ୍ରେଷ୍ଠତାକୁ ପ୍ରମାଣିତ କରୁଛି।



