ଭୁବନେଶ୍ଵର, ୧୬।୭: ଶ୍ରଦ୍ଧା, ଆଧ୍ୟାତ୍ମିକତା ଓ ପାରମ୍ପରିକ ଭକ୍ତିମୟ ପରିବେଶ ମଧ୍ୟରେ କିସ୍ ଶ୍ରୀବାଣୀ କ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅତ୍ୟନ୍ତ ଆଡ଼ମ୍ବର ସହକାରେ ସଂପନ୍ନ ହୋଇଯାଇଛି। ଆଜି ସକାଳୁ ପ୍ରବଳ ବର୍ଷା ହୋଇଥିଲେ ସୁଦ୍ଧା ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବିଳମ୍ବ ଘଟିନଥିଲା। ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ପୂର୍ବାହ୍ନରେ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା ଏବଂ ରଥ ପ୍ରତିଷ୍ଠା ଭଳି ମହତ୍ତ୍ୱପୂର୍ଣ୍ଣ ରୀତିନୀତି ସଂପନ୍ନ ହୋଇଥିଲା। ଏହା ପରେ ପରେ ଭକ୍ତଙ୍କ ହରିବୋଲ ଓ ହୁଳହୁଳି ଧ୍ୱନି ମଧ୍ୟରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ସୁଦର୍ଶନ ଓ ଶେଷରେ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଧାଡ଼ି ପହଣ୍ଡିରେ ଆଣି ଯଥାକ୍ରମେ ତାଳଧ୍ୱଜ, ଦେବଦଳନ ଏବଂ ନନ୍ଦିଘୋଷ ରଥରେ ଆରୂଢ଼ କରାଯାଇଥିଲା। ଏହାପରେ କିଟ୍ ମନ୍ଦିର ଟ୍ରଷ୍ଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅପରାହ୍ନ ୩ଟା ସମୟରେ ତିନି ରଥ ଉପରେ ପାରମ୍ପରିକ ଛେରା ପହଁରା ସେବା ସଂପାଦନ କରିଥିଲେ। ଅପରାହ୍ନ ଠିକ୍ ୪ଟା ବାଜିବା କ୍ଷଣି ସେବାୟତ ଓ ଭକ୍ତଙ୍କ ଦ୍ୱାରା ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ଘଣ୍ଟଘଣ୍ଟା, ମୃଦଙ୍ଗ, ଖୋଳ ଓ କରତାଳର ମଧୁର ନିନାଦରେ ସମଗ୍ର ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା।

ଶ୍ରୀବାଣୀକ୍ଷେତ୍ର ରଥଯାତ୍ରାର ସବୁଠାରୁ ଆକର୍ଷଣୀୟ ଓ ନିଆରା ପରମ୍ପରା ହେଉଛି ଏଠାରେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳା ଭକ୍ତମାନେ ଟାଣିଥାନ୍ତି, ଯାହା ଚଳିତ ବର୍ଷ ମଧ୍ୟ ଏକ ସୁନ୍ଦର ଆଧ୍ୟାତ୍ମିକ ଦୃଶ୍ୟ ସୃଷ୍ଟି କରିଥିଲା। ରଥଟଣା ଆରମ୍ଭ ବେଳକୁ ବର୍ଷା ସଂପୂର୍ଣ୍ଣ କମିଯାଇଥିବାରୁ ସ୍ଥାନୀୟ ଇଲାକାର ପ୍ରାୟ ୩୦ ହଜାରରୁ ଅଧିକ ଭକ୍ତଙ୍କ ଭିଡ଼ ଜମିଥିଲା। ସମସ୍ତ ଶ୍ରଦ୍ଧାଳୁ ମାନେ ନନ୍ଦିଘୋଷ, ତାଳଧ୍ଵଜ ଓ ଦେବଦଳନ ରଥର ଦଉଡ଼ି ଟାଣି ନିଜକୁ ଧନ୍ୟ ମନେ କରିବା ସହ ଦୈବୀକୃପା ଲାଭ କରିଥିଲେ।

ଏହି ରଥଯାତ୍ରାର ବିଶେଷତ୍ୱ ହେଉଛି, ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଶତାବ୍ଦୀର ପରମ୍ପରା ଓ ନୀତିକୁ ଆଧାର କରି କିସ୍ ଶ୍ରୀବାଣୀ କ୍ଷେତ୍ରର ସମସ୍ତ ବିଧିବିଧାନ ଅନୁଷ୍ଠିତ ହୋଇଥାଏ। ରଥ ନିର୍ମାଣ ପାଇଁ ପୁରୀରୁ ସ୍ୱତନ୍ତ୍ର କାରିଗର, ମହାରଣା ଓ ଚିତ୍ରକରମାନଙ୍କୁ ନିଯୁକ୍ତ କରାଯାଇଥାଏ। ଶ୍ରୀବାଣୀ କ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କାଳରୁ ସମସ୍ତ ପୂଜାର୍ଚ୍ଚନା ଏବଂ ଏହି ଭବ୍ୟ ରଥଯାତ୍ରା ପୁରୀ ଗଜପତି ମହାରାଜ ଶ୍ରୀଦିବ୍ୟସିଂହଦେବଙ୍କ ମାର୍ଗଦର୍ଶନ ଓ ପ୍ରତ୍ୟକ୍ଷ ପରାମର୍ଶ କ୍ରମେ ସଂପନ୍ନ ହୋଇଆସୁଛି। ଶ୍ରୀକ୍ଷେତ୍ର ରଥଯାତ୍ରା ଶୈଳୀରେ ଏଠାରେ ମଧ୍ୟ ଶ୍ରୀଜୀଉମାନଙ୍କ ପାଇଁ ଯଥାକ୍ରମେ ୧୬, ୧୪ ଓ ୧୨ ଚକ ବିଶିଷ୍ଟ ତିନୋଟି ଭବ୍ୟ ରଥ ପ୍ରସ୍ତୁତ କରାଯାଇଥାଏ। ଏହି ନବଦିନ ବ୍ୟାପୀ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ପ୍ରତି ସନ୍ଧ୍ୟାରେ ମନୋରମ ଭଜନ ସନ୍ଧ୍ୟାର ସମାରୋହ ହେବା ସହ ଏକ ଆକର୍ଷଣୀୟ ମୀନାବଜାରର ମଧ୍ୟ ବ୍ୟବସ୍ଥା କରାଯାଇଛି। ଆଗାମୀ ନଅ ଦିନ ଧରି ଗୁଣ୍ଡିଚା ମନ୍ଦିର ଅର୍ଥାତ୍ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଅସମ୍ଭାଳ ଗହଳି ଜାରି ରହିବ।



