ଭୁବନେଶ୍ୱର; ଅକ୍ଟୋବର ୧୪, ୨୦୨୬: ଓଡ଼ିଶା ସରକାର ରାଜ୍ୟର ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲଗୁଡ଼ିକରେ ପଢ଼ୁଥିବା ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୨୮୪.୦୭ କୋଟି ଟଙ୍କାର ମାଗଣା ପାଠ୍ୟପୁସ୍ତକ ଯୋଜନା ‘ସପ୍ଲାଇ ଅଫ୍ ଫ୍ରି ଟେକ୍ସଟ୍ବୁକ୍ସ’ କୁ ଅନୁମୋଦନ ମିଳିଛି। ଏହି ପାଞ୍ଚବର୍ଷିଆ ଯୋଜନା (୨୦୨୫-୨୬ ରୁ ୨୦୨୯-୩୦) ମାଧ୍ୟମରେ ରାଜ୍ୟର ପ୍ରାୟ ୨୮.୭ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ।
ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀର ସମସ୍ତ ବିଦ୍ୟାର୍ଥୀ ଏବଂ ନବମ-ଦଶମ ଶ୍ରେଣୀର କେବଳ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ମାଗଣା ପୁସ୍ତକ ଯୋଗାଇ ଦିଆଯାଉଥିଲା। ମାତ୍ର ନୂତନ ନିଷ୍ପତ୍ତି କ୍ରମେ ବର୍ତ୍ତମାନ ବର୍ଗ ନିର୍ବିଶେଷରେ ସମସ୍ତ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ମୁଖ୍ୟ ଶାସନ ସଚିବ ଅନୁ ଗାର୍ଗଙ୍କ ସୂଚନା ଅନୁଯାୟୀ, ଶିକ୍ଷା ବ୍ୟବସ୍ଥାକୁ ସୁଗମ କରିବା, ପରିବାର ଉପରୁ ଆର୍ଥିକ ବୋଝ କମାଇବା, ସ୍କୁଲ୍ ନାମଲେଖା ବୃଦ୍ଧି କରିବା ଏବଂ ମାଧ୍ୟମିକ ସ୍ତରରେ ପାଠପଢ଼ା ଛାଡ଼ିବା ହାର ହ୍ରାସ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ୱଚ୍ଛ ପ୍ରକ୍ରିୟା ମାଧ୍ୟମରେ ପୁସ୍ତକ ମୁଦ୍ରଣ ଓ ପରିବହନ କରି ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ସ୍କୁଲଗୁଡ଼ିକରେ ବହି ପହଞ୍ଚାଇବା ନିଶ୍ଚିତ କରିବ।



