Homeଆଂଚଳିକ ଖବରପୁରୁଣା କଟକରେ ଅଲିଭା ମହାସଂଘ ଓ ବ୍ଲକ ପ୍ରଶାସନର ମିଳିତ ବୈଠକ ଅନୁଷ୍ଠିତ

ପୁରୁଣା କଟକରେ ଅଲିଭା ମହାସଂଘ ଓ ବ୍ଲକ ପ୍ରଶାସନର ମିଳିତ ବୈଠକ ଅନୁଷ୍ଠିତ

ପୁରୁଣାକଟକ, ୧୪ ଅକ୍ଟୋବର: ଆଜି ପୁରୁଣାକଟକ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅଲିଭା ମହାସଂଘର ବ୍ଲକ ପ୍ରଶାସନ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୁରୁଣାକଟକ ଥାନା ଆଇଆଇସି ଶ୍ରୀମତୀ ବବିତା ସାହୁ, ସମ୍ମାନିତ ଅତିଥି ଭାବରେ ସିଡିପିଓ ଶ୍ରୀମତୀ ଦିପ୍ତିମୟୀ ପାତ୍ର, ବ୍ଲକ୍ କୃଷି ଅଧିକାରୀ ଶ୍ରୀଯୁକ୍ତ ପ୍ୟାରୀମୋହନ ପୁରୋହିତ, ବନବିଭାଗର ଫରେଷ୍ଟ ଗାର୍ଡ ଶ୍ରୀମତୀ ଶୋଭାବତୀ ଜେନା ଏବଂ ପୁରୁଣାକଟକ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଅଶୋକ କୁମାର ସେଠୀ ଯୋଗଦେଇଥିଲେ। ଏତଦ୍‌ବ୍ୟତୀତ ଓୟୁଏଟି ଓ ସୋଆରୁ ବ୍ଲକ୍ କୃଷି ବିଭାଗକୁ ଇଣ୍ଟର୍ନଶିପ୍ ପାଇଁ ଆସିଥିବା ଜଣେ ଛାତ୍ରୀ ଓ ଜଣେ ଛାତ୍ର ଯୋଗଦେଇଥିବା ବେଳେ ୧୫ ଗୋଟି ଗ୍ରାମପଞ୍ଚାୟତର ମହିଳା ଜନପ୍ରତିନିଧି ମାନେ ପ୍ରତିଭାଗୀ ଭାବରେ ଅଂଶଗ୍ରହଣ କରିଥିଲେ।

ମୁଖ୍ୟ ଅତିଥି ଆଇଆଇସି ଶ୍ରୀମତୀ ବବିତା ସାହୁ ପୋଲିସ ହେଲ୍ପଲାଇନ୍, ସାଇବର ଠକେଇ, ମହିଳା ହେଲ୍ପଡେସ୍କ ଓ ଆଇନ ଶୃଙ୍ଖଳା ସମ୍ପର୍କରେ ସଚେତନ କରାଇଥିଲେ। କୌଣସି ଜରୁରୀ ପରିସ୍ଥିତିରେ ବିନା ଦ୍ୱିଧାରେ ପୋଲିସ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦେବା ସହ ସେ ନିଜର ବ୍ୟକ୍ତିଗତ ନମ୍ବର ପ୍ରଦାନ କରିଥିଲେ। ମୋବାଇଲ ବ୍ୟବହାର କାଳରେ ସତର୍କତା ଅବଲମ୍ବନ କରିବା, କୌଣସି ଅଜଣା ଲିଙ୍କ୍ ନ ଖୋଲିବା ଏବଂ କାହାକୁ ଓଟିପି ନ ଦେବା ପାଇଁ ସେ କହିଥିଲେ। ବାଲ୍ୟ ବିବାହ, ଗୋଷ୍ଠିଗତ ସମସ୍ୟା, ଘରୋଇ ହିଂସା ଓ ଗଞ୍ଜେଇ କାରବାର ସମ୍ବନ୍ଧୀୟ ସୂଚନା ତୁରନ୍ତ ଦେବାକୁ କହିବା ସହ ଗୁପ୍ତତା ବଜାୟ ରଖାଯିବ ବୋଲି ନିର୍ଭରପ୍ରତିଶ୍ରୁତି ଦେଇଥିଲେ।

ସିଡିପିଓ ଶ୍ରୀମତୀ ଦିପ୍ତିମୟୀ ପାତ୍ର ଜଣାଇଥିଲେ ଯେ ଖଜୁରିଆ ଓ ବନ୍ଧାପଥର ଅଙ୍ଗନୱାଡିର ୭୦ ପ୍ରତିଶତ ସମସ୍ୟାର ସମାଧାନ ହୋଇସାରିଛି। ‘ଆଦ୍ଵିକା’ କାର୍ଯ୍ୟକ୍ରମର ଲକ୍ଷ୍ୟ କେବଳ ଖାଦ୍ୟ ଯୋଗାଇବା ନୁହେଁ ବରଂ ଜନପ୍ରତିନିଧିମାନେ କିଶୋରୀ ବାଳିକାମାନଙ୍କୁ ବିଭିନ୍ନ ଉପକାରୀ ବିଷୟରେ ବୁଝାଇବା ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ। ସୁଭଦ୍ରା ଯୋଜନା ବିଷୟରେ ଜାନିବାକୁ ଚାହୁଁଥିବା ମହିଳା ଜନପ୍ରତିନିଧିମାନଙ୍କୁ ସେ ବ୍ଲକର ସୁଭଦ୍ରା ସେଲ୍‌ରେ ପଚାରି ବୁଝିବାକୁ ପରାମର୍ଶ ଦେଇଥିଲେ।

ବ୍ଲକ୍ କୃଷି ଅଧିକାରୀ ଶ୍ରୀଯୁକ୍ତ ପ୍ୟାରୀମୋହନ ପୁରୋହିତ ଚାଷୀଙ୍କ ପାଇଁ ଥିବା ସରକାରୀ ଯୋଜନା, ସହଜରେ ବିହନ ଓ ସାର ପ୍ରାପ୍ତି ଏବଂ ବିଶେଷ କରି ଫାର୍ମର ରେଜିଷ୍ଟ୍ରେସନର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ। ରେଜିଷ୍ଟ୍ରେସନ ବିନା ଯୋଜନାର ଲାଭ ମିଳିବା ଅସମ୍ଭବ ବୋଲି ସେ ଦର୍ଶାଇଥିଲେ। ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଅଶୋକ କୁମାର ସେଠୀ ଜନପ୍ରତିନିଧିଙ୍କ ଦାୟିତ୍ୱ ବିଷୟରେ ଆଲୋକପାତ କରିଥିଲେ। ବସଷ୍ଟାଣ୍ଡ ପାଖରେ ରହୁଥିବା ଜଣେ ଅନାଥ କୁଷ୍ଟ ରୋଗୀଙ୍କ ମୃତ୍ୟୁ ପରେ ପରିବାର ଲୋକେ ନ ଆସିବାରୁ ସେ ନିଜେ, କିଛି ସ୍ୱେଚ୍ଛାସେବୀ ଓ ତହସିଲଦାରଙ୍କ ସହ ମିଶି ଶବ ସତ୍କାର କରିଥିବା ଉଦାହରଣ ଦେଇ ସମାଜର ସମସ୍ୟାକୁ ନିଜର ଭାବି ସମାଧାନ କରିବାକୁ ଆହ୍ୱାନ ଦେଇଥିଲେ। ଫରେଷ୍ଟ ଗାର୍ଡ ଶ୍ରୀମତୀ ଶୋଭାବତୀ ଜେନା ଜଙ୍ଗଲ ସୁରକ୍ଷା ଓ ‘ସୁସ୍ଥ ସବୁଜ ଗ୍ରାମପଞ୍ଚାୟତ’ ଗଠନରେ ବନ ବିଭାଗର ସହଯୋଗ ପ୍ରତିଶ୍ରୁତି ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ଟିଏଚ୍‌ପିର କ୍ଷେତ୍ର ପ୍ରଶିକ୍ଷକ ପ୍ରତାପ ମେହେର ସଞ୍ଚାଳନ କରିଥିବା ବେଳେ କ୍ଷେତ୍ର ସହଯୋଗୀ ସୁପ୍ରିୟା ଦେହୁରୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଅନ୍ୟତମ ସହଯୋଗୀ ଶ୍ରୀକାନ୍ତ ଛନ୍ଦ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଖୋଲା ମଞ୍ଚ ମାଧ୍ୟମରେ ଅତିଥି ଓ ପ୍ରତିଭାଗୀଙ୍କ ମଧ୍ୟରେ ସମସ୍ୟାର ସମାଧାନ ନିମନ୍ତେ ଅଲିଭା ମହାସଂଘ ତରଫରୁ ପିଟିସନ ପ୍ରଦାନ କରାଯାଇଥିଲା। ତିଲେଶ୍ଵର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଝୁନୁ ବେହେରା ଅଲିଭା ମହାସଂଘ ଓ ଟିଏଚ୍‌ପି ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments