ଭୁବନେଶ୍ୱର, ୨୭ ସେପ୍ଟେମ୍ବର: ଆଧୁନିକ ବୈଷୟିକ ଜ୍ଞାନକୌଶଳକୁ ଆପଣାଇ କନ୍ଧମାଳ ଜିଲ୍ଲାର ଆଦିବାସୀ ଚାଷୀମାନେ ଏବେ ସ୍ୱାବଲମ୍ବୀ ହେବା ଦିଗରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଫୁଲବାଣୀ ବ୍ଲକ ଅନ୍ତର୍ଗତ କର୍ଣ୍ଣାଡା ଗ୍ରାମ ପଞ୍ଚାୟତର ମିଣିଆ ଗ୍ରାମରେ ‘ଜନଜାତି ଉପଯୋଜନା’ (ଟିଏସ୍ପି) ଅଧୀନରେ ଏକ ସ୍ୱତନ୍ତ୍ର କଦଳୀ ଚାଷ ତାଲିମ ଶିବିର ଆୟୋଜିତ ହୋଇଯାଇଛି। ଆଦିବାସୀ ପରିବାରଗୁଡ଼ିକର ଆୟ ବୃଦ୍ଧି କରିବା ସହ ସେମାନଙ୍କୁ ସ୍ଥାୟୀ କୃଷି ପ୍ରଣାଳୀ ଆଡ଼କୁ ଆଗେଇ ନେବା ଲକ୍ଷ୍ୟରେ ୫୦ରୁ ଉଦ୍ଧ୍ୱର୍ ଚାଷୀଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଚାଷୀମାନଙ୍କୁ କୃଷି ଉପକରଣ ସହିତ ଗ୍ରାଣ୍ଡ୍ ନାଇନ୍, ଚମ୍ପା, ଗଜବଣ୍ଟାଳ ଓ ପାଟକପୁରା ଭଳି ଉନ୍ନତ କିସମର କଦଳୀ ଚାରା ବଣ୍ଟନ କରାଯାଇଛି। ଚାଷ କାର୍ଯ୍ୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ, ବିଶେଷ କରି କଦଳୀ କାନ୍ଦି ବାହାରିବା ଠାରୁ ଅମଳ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ, ପାନାମା ୱିଲ୍ଟ ରୋଗର ଦମନ, ଚାରା ରୋପଣ ପୂର୍ବରୁ କନ୍ଦ ଶୁଦ୍ଧିକରଣ (କର୍ମ କ୍ୟୁରିଂ) କୌଶଳ ଏବଂ ଅମଳ ପରବର୍ତ୍ତୀ ପରିଚାଳନା ସହ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ଉପରେ ଚାଷୀଙ୍କୁ ବ୍ୟାବହାରିକ ପ୍ରଦର୍ଶନୀ ମାଧ୍ୟମରେ ସଚେତନ କରାଯାଇଛି। କନିଷ୍ଠ ଉଦ୍ୟାନବିତ୍ ଡ. ସୌଦାମିନୀ ସ୍ୱାଇଁ ଏବଂ କନିଷ୍ଠ ଉଦ୍ଭିଦ ରୋଗ ବିଶେଷଜ୍ଞ ଡ. ନିରଞ୍ଜନ ଚିନାରା ଯୋଗଦେଇ ଫସଲ ସୁରକ୍ଷା ଓ ଉନ୍ନତ ଚାଷ ପ୍ରଣାଳୀ ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ମିଣିଆ ଅଞ୍ଚଳର ଆଦିବାସୀ ଚାଷୀମାନେ ଗତ ୫ ବର୍ଷ ହେବ କଦଳୀ ଚାଷ ସହ ଜଡ଼ିତ ରହି ସଫଳତାପୂର୍ବକ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିଛନ୍ତି। ଏହି ତାଲିମ ସେମାନଙ୍କ ଦକ୍ଷତାକୁ ଆହୁରି ବୃଦ୍ଧି କରିବା ସହ ବ୍ୟବସାୟିକ କଦଳୀ ଉତ୍ପାଦନକୁ ପ୍ରୋତ୍ସାହିତ କରିବ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁଳପତି ପ୍ରଫେସର ପ୍ରଭାତ ରାଉଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ, ଗବେଷଣା ଡିନ୍ ଡ. ନିରଞ୍ଜନ ପଣ୍ଡାଙ୍କ ମାର୍ଗଦର୍ଶନ ଏବଂ ଫଳ ସମ୍ପର୍କିତ ‘ଏଆଇସିଆରପି’ର ପ୍ରକଳ୍ପ ସଂଯୋଜକ ଡ. ପ୍ରକାଶ ପାଟିଲଙ୍କ ନେତୃତ୍ୱରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ବୈଜ୍ଞାନିକ ପ୍ରଣାଳୀ ଓ ଉନ୍ନତ ସମ୍ବଳର ଉପଯୋଗ ମାଧ୍ୟମରେ ଟିଏସ୍ପି ଆଜି ଆଦିବାସୀ ସମ୍ପ୍ରଦାୟକୁ ସମୃଦ୍ଧି ଓ ଆତ୍ମନିର୍ଭରଶୀଳତାର ନୂଆ ବାଟ ଦେଖାଇଛି।



