Homeଶିକ୍ଷାଟିବି ମୁକ୍ତ ଭାରତ ଆଡ଼କୁ ବଡ଼ ପଦକ୍ଷେପ: ଆସୁଛି ସ୍ୱଦେଶୀ ଯକ୍ଷ୍ମା ଟିକା 'କୋଚ୍‌ଭାକ୍'

ଟିବି ମୁକ୍ତ ଭାରତ ଆଡ଼କୁ ବଡ଼ ପଦକ୍ଷେପ: ଆସୁଛି ସ୍ୱଦେଶୀ ଯକ୍ଷ୍ମା ଟିକା ‘କୋଚ୍‌ଭାକ୍’

ଭୁବନେଶ୍ୱର, ୨୭ ସେପ୍ଟେମ୍ବର ୨୦୨୬: ଭାରତକୁ ଯକ୍ଷ୍ମାମୁକ୍ତ କରିବା ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ଟିକା ବିକାଶ କାର୍ଯ୍ୟ ଆଉ ଗୋଟିଏ ପାପୁଲି ଆଗେଇଛି। ଆଇଆଇଟି ଭୁବନେଶ୍ୱର, ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲଏସ) ଭୁବନେଶ୍ୱର ଏବଂ ଟେକ୍‌ଇନଭେନସନ୍ ଲାଇଫ୍‌କେୟାର ଲିମିଟେଡ୍‌ର ମିଳିତ ସହଯୋଗରେ ପ୍ରସ୍ତୁତ ହେଉଥିବା ଯକ୍ଷ୍ମା ଟିକା ‘କୋଚ୍‌ଭାକ୍’ (KochVac) ର ସଫଳ ପ୍ରୟୋଗ ଓ ପରବର୍ତ୍ତୀ କାର୍ଯ୍ୟପନ୍ଥାକୁ ନେଇ ନୂଆଦିଲ୍ଲୀଠାରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗତ ୨୫ ସେପ୍ଟେମ୍ବର ୨୦୨୬ ରେ “ଭାରତର ସ୍ୱଦେଶୀ ଯକ୍ଷ୍ମା ଟିକାର ବିକାଶ” ଶୀର୍ଷକରେ ଆୟୋଜିତ ଏହି ସମ୍ମିଳନୀରେ ଦେଶର ବହୁ ପ୍ରମୁଖ ଗବେଷକ, ଚିକିତ୍ସା ବିଶାରଦ ଓ ଶିଳ୍ପ ପ୍ରତିନିଧି ଯୋଗଦେଇ କୋଚ୍‌ଭାକ୍‌ର ଆଗାମୀ ବିକାଶ ଧାରା ଉପରେ ଚିନ୍ତନ-ମନ୍ଥନ କରିଥିଲେ।

ଗବେଷଣାଗାରର ପ୍ରୟୋଗକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ ସେବାର ସୁଦୃଢ଼ୀକରଣ ଉପରେ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପାଦ କରମଲକର କହିଥିଲେ ଯେ, ଶିକ୍ଷାନୁଷ୍ଠାନ ଓ ଶିଳ୍ପସଂସ୍ଥାଗୁଡ଼ିକ ମଧ୍ୟରେ ସହଯୋଗୀ ଗବେଷଣା ହିଁ ସାମାଜିକ ପରିବର୍ତ୍ତନର ମୂଳଦୁଆ। ଆଇଆଇଟି ଭୁବନେଶ୍ୱର, ଆଇଏଲଏସ୍ ଏବଂ ଟେକ୍‌ଇନଭେନସନ୍ ମଧ୍ୟରେ ହୋଇଥିବା ପ୍ରଯୁକ୍ତି ହସ୍ତାନ୍ତର ଏହାର ଏକ ବାସ୍ତବ ଉଦାହରଣ। ସେହିପରି ଆଇଏଲଏସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ଦାଶ ପ୍ରକାଶ କରିଥିଲେ ଯେ, ବିଭିନ୍ନ ଅନୁଷ୍ଠାନର ଗବେଷକ ଓ ଯକ୍ଷ୍ମା ବିଶେଷଜ୍ଞଙ୍କ ମିଳିତ ଦିଗଦର୍ଶନ ଏହି ସ୍ୱଦେଶୀ ଟିକାର ଆଗାମୀ ଯାତ୍ରାକୁ ଅଧିକ ସୁଗମ ଓ ସଫଳ କରିବ।

ମାଇକୋବ୍ୟାକ୍ଟେରିଅମ୍ ଟ୍ୟୁବରକ୍ୟୁଲୋସିସ୍ ଜୀବାଣୁ ଆବିଷ୍କାର କରିଥିବା ପ୍ରସିଦ୍ଧ ବୈଜ୍ଞାନିକ ରବର୍ଟ କଚ୍‌ଙ୍କ ସମ୍ମାନାର୍ଥେ ଏହି ଟିକାର ନାମ ‘କୋଚ୍‌ଭାକ୍’ ରଖାଯାଇଥିବା ନେଇ ଟେକ୍‌ଇନଭେନ୍ସନ୍ ଲାଇଫ୍‌କେୟାରର ଡକ୍ଟର ସୟଦ ଅହମ୍ମଦ ସୂଚନା ଦେଇଥିଲେ। ସମ୍ମିଳନୀରେ ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଆଶିଷ ବିଶ୍ୱାସ ଏବଂ ଆଇଏଲଏସ୍‌ର ଡ. ସୁନୀଲ ରାଘବ କୋଚ୍‌ଭାକ୍‌ର ବୈଜ୍ଞାନିକ ଭିତ୍ତିଭୂମି ସମ୍ପର୍କିତ ଗବେଷଣା ନିବନ୍ଧ ଉପସ୍ଥାପନ କରିଥିଲେ।

ଏହା ପରେ ଅନୁଷ୍ଠିତ ଗୋଲଟେବୁଲ୍ ବୈଠକରେ ଆଣ୍ଟିଜେନ୍ ଡିଜାଇନ୍, ଏପିଟୋପ୍ ଚୟନ, ଆଡ୍ଜୁଭାଣ୍ଟ ରଣନୀତି, ପଶୁ ମଡେଲ୍ ଏବଂ ଫର୍ମୁଲେସନ୍ ଭଳି ଜଟିଳ ବୈଜ୍ଞାନିକ ପ୍ରକ୍ରିୟା ଉପରେ ଦୀର୍ଘ ଆଲୋଚନା ହୋଇଥିଲା। ଏକ ସ୍ୱଦେଶୀ ଟିକାର ବିକାଶ କ୍ଷେତ୍ରରେ କେବଳ ତ୍ୱରିତ ପ୍ରକ୍ରିୟା ନୁହେଁ, ବରଂ ନିରାପତ୍ତା, କାର୍ଯ୍ୟକାରିତା, ସୁଲଭତା ଏବଂ ସହଜ ଉପଲବ୍ଧତା ନିଶ୍ଚିତ କରିବା ଜରୁରୀ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଥିଲେ। ଟେକ୍‌ଇନଭେନ୍ସନ୍ ପକ୍ଷରୁ ନିୟାମକୀୟ ପ୍ରକ୍ରିୟା ଚାଲୁ ରହିଥିବା ବେଳେ, ୨୦୨୭ ମସିହାର ଦ୍ୱିତୀୟାର୍ଦ୍ଧରେ କୋଚ୍‌ଭାକ୍‌ର ମାନବ ପରୀକ୍ଷଣ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ସ୍ଥିର କରାଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments