ବେଙ୍ଗାଲୁରୁ, ଭାରତ, ସେପ୍ଟେମ୍ବର ୨୮: ବଢ଼ୁଥିବା ଡିଜିଟାଲ୍ ଠକେଇ ଓ ସାଇବର ଅପରାଧକୁ ପ୍ରତିହତ କରିବା ପାଇଁ ବିଶ୍ୱପ୍ରସିଦ୍ଧ କଲର୍ ଆଇଡେଣ୍ଟିଫିକେସନ୍ ସଂସ୍ଥା ଟ୍ରୁକଲର୍ ପକ୍ଷରୁ ଏକ ଯୁଗାନ୍ତକାରୀ ସେବା ‘ଟ୍ରୁକଲର୍ ସ୍କାମ୍ ଚେକର୍’ ଆରମ୍ଭ କରାଯାଇଛି। ୱେବ୍ ଏବଂ ଆଣ୍ଡ୍ରଏଡ୍ ପ୍ଲାଟଫର୍ମରେ ଉପଲବ୍ଧ ଏହି ନୂତନ ସୁବିଧା ମାଧ୍ୟମରେ ବ୍ୟବହାରକାରୀମାନେ ଯେକୌଣସି ସନ୍ଦେହଜନକ ଫୋନ୍ ନମ୍ବର, ଲିଙ୍କ୍ କିମ୍ବା ମେସେଜ୍କୁ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଯାଞ୍ଚ କରିପାରିବେ। ପ୍ରାୟ ୫୦୦ ନିୟୁତ ଉପଭୋକ୍ତାଙ୍କ ସ୍କାମ୍ ଇଣ୍ଟେଲିଜେନ୍ସ ଏବଂ ସମ୍ପ୍ରଦାୟର ସୂଚନାକୁ ଆଧାର କରି ନିର୍ମିତ ଏହି ଫିଚର୍, ସାଧାରଣ କଲ୍ ଚିହ୍ନଟ ଓ ସ୍ପାମ୍ ବ୍ଲକିଂ ସେବାଠାରୁ ଆହୁରି ଆଗକୁ ଯାଇ ଉପଭୋକ୍ତାଙ୍କୁ ସମ୍ପୂର୍ଣ୍ଣ ସ୍କାମ୍ ସୁରକ୍ଷା ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛି।
ଏହି ସମାଧାନଟି ଏକାଧିକ ସ୍କାମ୍-ଚିହ୍ନଟ କ୍ଷମତାକୁ ଗୋଟିଏ ପ୍ଲାଟଫର୍ମରେ ସଂଯୋଗ କରିଥାଏ। ଏହା ଜରିଆରେ ବ୍ୟବହାରକାରୀମାନେ ସନ୍ଦେହଜନକ ୱେବ୍ ଲିଙ୍କ୍ କ୍ଷତିକାରକ କିମ୍ବା ଫିସିଂ ପ୍ରୟାସରେ ବ୍ୟବହୃତ ହେଉଛି କି ନାହିଁ ଦେଖିପାରିବେ, ଟ୍ରୁକଲର୍ ଚିହ୍ନଟ ପ୍ରଣାଳୀ ଓ ସମ୍ପ୍ରଦାୟର ସଙ୍କେତ ଆଧାରରେ ଫୋନ୍ ନମ୍ବର ଖୋଜିପାରିବେ, ଏବଂ ‘ସ୍କାମ୍ଫିଡ୍’ ରିପୋର୍ଟ ସାହାଯ୍ୟରେ ଅନ୍ୟ ବ୍ୟକ୍ତିମାନଙ୍କ ସହ ଘଟିଥିବା ସମାନ ଠକେଇର ବିବରଣୀ ପାଇପାରିବେ। ଏହାବାଦ୍, ଉପଭୋକ୍ତାମାନେ ନିଜ ନିଜ ଶବ୍ଦରେ ନିଜର ସନ୍ଦେହ ବର୍ଣ୍ଣନା କରି ପ୍ରାସଙ୍ଗିକ ଫଳାଫଳ ଓ ଲିଙ୍କ୍/ନମ୍ବର ଯାଞ୍ଚ ରିପୋର୍ଟ ମଧ୍ୟ ହାସଲ କରିପାରିବେ। ଗୋଟିଏ ସନ୍ଦେହଜନକ ମେସେଜ୍ରେ ଥିବା ତିନୋଟି ମୁଖ୍ୟ ଉପାଦାନ ନମ୍ବର, ଲିଙ୍କ୍ ଏବଂ କାହାଣୀକୁ ଏହା ଗୋଟିଏ ସ୍ଥାନରେ ଯାଞ୍ଚ କରିବାର ସୁବିଧା ଦେଇଥାଏ।
ଏହି ସେବାର ଶୁଭାରମ୍ଭ ସମ୍ପର୍କରେ ଟ୍ରୁକଲର୍ର ସିଇଓ ରିଜିତ୍ ଝୁନଝୁନୱାଲା କହିଛନ୍ତି, “କୌଣସି ଅଜଣା ମେସେଜ୍ କିମ୍ବା କଲ୍ ପାଇବା ପରେ ଲୋକମାନେ ନିଜର ପ୍ରତିକ୍ରିୟା ଦେବା ପୂର୍ବରୁ ସେସବୁକୁ ଶୀଘ୍ର ଯାଞ୍ଚ କରିବାକୁ ଚାହାନ୍ତି। ସ୍କାମ୍ ଚେକର୍ ଆମର ଚିହ୍ନଟ କ୍ଷମତା ଓ ଉପଭୋକ୍ତାଙ୍କ ରିପୋର୍ଟକୁ ଗୋଟିଏ ସ୍ଥାନକୁ ଆଣିଥାଏ, ଯାହା ଦ୍ୱାରା ସେମାନେ ଗୋଟିଏ ସ୍ଥାନରେ ସନ୍ଦେହଜନକ ଲିଙ୍କ୍, ନମ୍ବର କିମ୍ବା କାହାଣୀର ତଦନ୍ତ କରିପାରିବେ।”
ଆଗାମୀ ଦିନରେ କମ୍ପାନୀ ଏହି ସ୍କାମ୍ ଚେକର୍ରେ ସ୍କ୍ରିନ୍ସଟ୍ ଅପଲୋଡ୍ କରି ବିଶ୍ଳେଷଣ କରିବା, ଉପଭୋକ୍ତା ପ୍ରମାଣୀକରଣ ଏବଂ ନୂତନ ସ୍କାମ୍ କୌଶଳର କଭରେଜ୍ ଭଳି ଅତିରିକ୍ତ ଫିଚର୍ ଯୋଡ଼ିବାକୁ ଯୋଜନା ରଖିଛି। ବର୍ତ୍ତମାନ ଏହି ସେବା ଭାରତରେ ଆଣ୍ଡ୍ରଏଡ୍ ଆପ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହୋଇଥିବା ବେଳେ ଟ୍ରୁକଲର୍ ୱେବସାଇଟ୍ ମାଧ୍ୟମରେ ବିଶ୍ୱସ୍ତରରେ ଉପଲବ୍ଧ ରହିଛି। ଭବିଷ୍ୟତରେ ଏହାକୁ ଆଇଓଏସ୍ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ବଜାରଗୁଡ଼ିକ ପାଇଁ ଜାରି କରାଯିବ।



