ଭୁବନେଶ୍ୱର, ୨୪ ନଭେମ୍ବର ୨୦୨୬: ଟାଟା ପାୱାରର କର୍ମଚାରୀ ମାରଣ ଏବଂ ଉପଭୋକ୍ତା ଶୋଷଣ ନୀତି ବିରୋଧରେ ଆମ୍ ଆଦ୍ମୀ ପାର୍ଟି (ଆପ୍) ଓଡ଼ିଶା ପକ୍ଷରୁ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଛି। ଭୁବନେଶ୍ୱରର ଲୋୟର ପିଏମଜି ଠାରେ ‘ଓଡ଼ିଶା ବିଦ୍ୟୁତ ଠିକା କର୍ମଚାରୀ ମିଳିତ ମଞ୍ଚ’ ବ୍ୟାନରରେ ଟାଟା ପାୱାରର ସହସ୍ରାଧିକ ଚୁକ୍ତିଭିତ୍ତିକ କର୍ମଚାରୀ ଦୀର୍ଘ ୫୫ ଦିନରୁ ଅଧିକ ସମୟ ଧରି ଧାରଣାରେ ବସିଥିବା ବେଳେ ଶତାଧିକ ନିରୀହ କର୍ମଚାରୀ ୨୨ ଦିନ ହେଲା ଆମରଣ ଅନଶନ ଚଳାଇଛନ୍ତି।
ବେଆଇନ ଭାବେ ଛଟେଇ ହୋଇଥିବା ସିସିଇ କର୍ମଚାରୀଙ୍କୁ ତୁରନ୍ତ ପୁନଃନିଯୁକ୍ତିର ଗ୍ୟାରେଣ୍ଟି, ଏଏମସି କର୍ମଚାରୀଙ୍କୁ ପୂର୍ବ ସ୍ଥାନରେ କାର୍ଯ୍ୟ କରିବାକୁ ଅନୁମତି ସହ ଆନ୍ଦୋଳନ ସମୟର ସମ୍ପୂର୍ଣ୍ଣ ଦରମା ପ୍ରଦାନ, MBC କର୍ମଚାରୀଙ୍କୁ ସର୍ବନିମ୍ନ ବେତନ, ଚାକିରିର ସୁରକ୍ଷା, ତ୍ରିପାକ୍ଷିକ ଚୁକ୍ତି ଏବଂ କର୍ମଚାରୀଙ୍କ ବିରୋଧରେ ହୋଇଥିବା ସମସ୍ତ ବେଆଇନ ମାମଲା ପ୍ରତ୍ୟାହାର ଭଳି ୫ ଦଫା ଦାବି ନେଇ ଏହି ଆନ୍ଦୋଳନ ଜାରି ରହିଛି। ଖରା, ବର୍ଷା ଓ କାକରକୁ ଖାତିର ନକରି କର୍ମଚାରୀମାନେ ହକ୍ ପାଇଁ ଲଢ଼େଇ କରୁଥିଲେ ମଧ୍ୟ ଶକ୍ତି ମନ୍ତ୍ରୀ, ସଚିବ କିମ୍ବା କମ୍ପାନୀ କର୍ତ୍ତୃପକ୍ଷ ଆଲୋଚନା ପାଇଁ ନଆସିବା ସରକାର ଓ ଟାଟା କମ୍ପାନୀର ଅହଙ୍କାରକୁ ସ୍ପଷ୍ଟ ଉଜାଗର କରିଛି।
ଅନଶନ ଯୋଗୁଁ ପ୍ରତିଦିନ ଅନେକ କର୍ମଚାରୀ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି ଏବଂ ଦୀର୍ଘ ୫୫ ଦିନର ଆନ୍ଦୋଳନ ଯୋଗୁଁ ସେମାନଙ୍କ ପରିବାର ଏବେ ଅନାହାର ଆଡ଼କୁ ଗତି କରୁଛନ୍ତି। ଏଭଳି ଦୟନୀୟ ଓ ଅଭାବନୀୟ ସ୍ଥିତିରେ ଆନ୍ଦୋଳନକାରୀମାନେ ରାସ୍ତା ଉପରେ ଧଳା କପଡ଼ା ଘୋଡ଼ାଇ ଶବ ଭଳି ଶୋଇବା ସହ ପ୍ରତୀକାତ୍ମକ ଜୁଇ ସଜାଇ ଅଭିନବ ପ୍ରତିବାଦ କରିଛନ୍ତି, ଯାହା ସମଗ୍ର ଓଡ଼ିଶାବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କରିଛି।
ଆନ୍ଦୋଳନର ପ୍ରଥମ ଦିନରୁ କର୍ମଚାରୀଙ୍କୁ ନିରନ୍ତର ସମର୍ଥନ ଜଣାଇ ଆସୁଥିବା ଆମ୍ ଆଦ୍ମୀ ପାର୍ଟିର ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଏବଂ ଅନ୍ୟ ନେତୃବୃନ୍ଦ ଆନ୍ଦୋଳନକାରୀଙ୍କ ଦାବିକୁ ତୁରନ୍ତ ନିଃସର୍ତ୍ତ ମାନିନେବାକୁ ଆହ୍ୱାନ ଜଣାଇଛନ୍ତି। ଏହି ଘଟଣାରେ ରାଜ୍ୟ ସଭାପତି ତିନୋଟି ଚିନ୍ତାଜନକ ପ୍ରଶ୍ନ ଉଠାଇଛନ୍ତି- ଅନାହାର ଓ ଅସୁସ୍ଥତା ସତ୍ତ୍ୱେ ଟାଟା କମ୍ପାନୀ କାହା ସାହସରେ ଆଲୋଚନା କରିବାକୁ ଉତ୍ସୁକତା ଦେଖାଉନାହିଁ, କମ୍ପାନୀର ସ୍ୱେଚ୍ଛାଚାରୀ ନୀତି ଉପରେ ଶକ୍ତି ମନ୍ତ୍ରୀ କାହିଁକି ନୀରବ ଅଛନ୍ତି ଏବଂ ମୁଖ୍ୟମନ୍ତ୍ରୀ କାହା ଚାପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହାନ୍ତି ତାହାର ଜବାବ ଓଡ଼ିଶାବାସୀଙ୍କ ସମ୍ମୁଖରେ ରଖିବାକୁ ସେ ଦାବି କରିଛନ୍ତି।
କେବଳ କର୍ମଚାରୀ ନୁହଁନ୍ତି, ବରଂ ପୁରୁଣା ମିଟର ଠିକ୍ ଥିଲେ ମଧ୍ୟ ଜୋରଜବରଦସ୍ତ ସ୍ମାର୍ଟ ମିଟର ଲଗାଇ ପୂର୍ବ ବିଲ୍ ଠାରୁ ବହୁ ଅଧିକ ଆର୍ଥିକ ବୋଝ ଲଦି ଦେଇ ଟାଟା ପାୱାର ଉପଭୋକ୍ତାଙ୍କୁ ନିରନ୍ତର ଶୋଷଣ କରୁଛି। ଜନସାଧାରଣ ସ୍ମାର୍ଟ ମିଟର ପ୍ରତ୍ୟାହାର କରିବାକୁ ଦାବି କରୁଥିଲେ ସୁଦ୍ଧା କମ୍ପାନୀ ଚାପରେ ସରକାର ନୀରବ ରହିଛନ୍ତି, ଏବଂ ଏମଏଫଏ ଓ ମିଟର ତ୍ରୁଟି ନିର୍ଦ୍ଧାରଣ ନାଁରେ ହଜାର ହଜାର କୋଟି ଟଙ୍କା ଲୁଟ୍ ଅଭିଯୋଗ ସତ୍ତ୍ୱେ ସରକାର ହାତ ବାନ୍ଧି ବସିବା ଦୁର୍ଭାଗ୍ୟଜନକ ବୋଲି ପାର୍ଟି କହିଛି।
ସରକାର ତୁରନ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ସମସ୍ତ ଦାବି ପୂରଣ କରିବା ସହ ଉପଭୋକ୍ତା ଶୋଷଣ ବନ୍ଦ ନକଲେ ଆଗାମୀ ଦିନରେ ଆମ୍ ଆଦ୍ମୀ ପାର୍ଟି କର୍ମଚାରୀ ଓ ଉପଭୋକ୍ତାଙ୍କ ସ୍ୱାର୍ଥ ପାଇଁ ରାଜରାସ୍ତାରେ ତୀବ୍ର ଲଢ଼େଇ କରିବାକୁ ପଛଘୁଞ୍ଚା ଦେବ ନାହିଁ ବୋଲି ଚେତାବନୀ ଦେଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କ ସମେତ ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ସନ୍ଦୀପ୍ତ ଦାସ ଏବଂ ମୁଖ୍ୟ ପ୍ରବକ୍ତା ଶ୍ରୀ ଲଲିତ୍ ମୋହନ ଦାଶଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।



