ଭୁବନେଶ୍ୱର, ନଭେମ୍ବର ୨୩, ୨୦୨୬: ଆଧୁନିକ ଅର୍ଥନୀତିର ବିକାଶ କେବଳ ଗୋଟିଏ ସହର ବା ସହରାଞ୍ଚଳର ସୀମା ମଧ୍ୟରେ ସୀମିତ ନରହି ସଡ଼କ, ଯାତାୟାତ ବ୍ୟବସ୍ଥା, ଶିଳ୍ପ, ବନ୍ଦର, ପର୍ଯ୍ୟଟନସ୍ଥଳୀ, ମାଲ ପରିବହନ ବ୍ୟବସ୍ଥା ଓ ଅନ୍ୟାନ୍ୟ ଭିତ୍ତିଭୂମିର ପରସ୍ପର ଜଡ଼ିତ ବିକାଶ ମାଧ୍ୟମରେ ପାଖପାଖି ସହର, ଛୋଟ ସହର ଓ ଗ୍ରାମାଞ୍ଚଳକୁ ପ୍ରଭାବିତ କରୁଥିବାରୁ ରାଜ୍ୟ ସରକାର ‘ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ସଂଶୋଧନ) ବିଧେୟକ, ୨୦୨୬’ ଆଣିଛନ୍ତି। ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ନେଇ ଗଠିତ ବିସ୍ତୃତ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ (BKPPER)ର ସାମଗ୍ରିକ ବିକାଶ ପାଇଁ ସଡ଼କ ଯୋଗାଯୋଗ, ଶିଳ୍ପ, ପର୍ଯ୍ୟଟନ, ମାଲ ପରିବହନ ଓ ପୁଞ୍ଜିନିବେଶ କ୍ଷେତ୍ରରେ ସମନ୍ୱିତ ଯୋଜନା ଓ ପଦକ୍ଷେପର ଆବଶ୍ୟକତା ରହିଛି। ବର୍ତ୍ତମାନ ଏହି ଅଞ୍ଚଳର ବିଭିନ୍ନ ଭାଗ ଭିନ୍ନ ଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ ଓ ସ୍ଥାନୀୟ ସଂସ୍ଥା ଅଧୀନରେ ରହି ନିଜ ନିଜ ଅଧିକାର କ୍ଷେତ୍ର ମଧ୍ୟରେ କାର୍ଯ୍ୟ କରୁଥିବା ବେଳେ, ଏକାଧିକ ସଂସ୍ଥାକୁ ନେଇ ଗଠିତ ସମଗ୍ର ଅଞ୍ଚଳର ବିକାଶରେ ସମନ୍ୱୟ ରକ୍ଷା ପାଇଁ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ, ୧୯୮୨ରେ କୌଣସି ବିଧିବଦ୍ଧ ବ୍ୟବସ୍ଥା ନଥିଲା। କେବଳ ସରକାରୀ ଆଦେଶ କିମ୍ବା ଅଧସ୍ଥନ ଆଇନ ମାଧ୍ୟମରେ ଏପରି ଏକ ସଂସ୍ଥାକୁ ଆବଶ୍ୟକ ଆଇନଗତ ମାନ୍ୟତା, କ୍ଷମତା ଓ ଆର୍ଥିକ ଭିତ୍ତି ପ୍ରଦାନ ସମ୍ଭବ ନଥିବାରୁ ମୂଳ ଆଇନରେ ସଂଶୋଧନ କରାଯାଇ ଏକ ସମାନ୍ତରାଳ ନୂତନ ଆଇନ ସୃଷ୍ଟି ନକରି ବିଦ୍ୟମାନ ସହରାଞ୍ଚଳ ଯୋଜନା ବ୍ୟବସ୍ଥାରେ ନିରନ୍ତରତା ରକ୍ଷା କରାଯାଇଛି।
ଏହି ବିଧେୟକ ମାଧ୍ୟମରେ ଅର୍ଥନୈତିକ ଅଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ (Economic Region Development Authority – ERDA) ଗଠନର ଆଇନଗତ ବ୍ୟବସ୍ଥା କରାଯାଇଛି। ଏହା ଅନୁଯାୟୀ, ରାଜ୍ୟ ସରକାର ରାଜପତ୍ରରେ ବିଜ୍ଞପ୍ତି ପ୍ରକାଶ କରି ଦୁଇ ବା ତଦୁର୍ଦ୍ଧ୍ୱ ଉନ୍ନୟନ କର୍ତ୍ତୃପକ୍ଷ କିମ୍ବା ସ୍ଥାନୀୟ ସଂସ୍ଥାକୁ ନେଇ ଏକ ଅର୍ଥନୈତିକ ଅଞ୍ଚଳ ଘୋଷଣା କରିପାରିବେ ଏବଂ ପ୍ରତ୍ୟେକ ଘୋଷିତ ଅଞ୍ଚଳ ପାଇଁ ସମନ୍ୱୟ ରକ୍ଷାକାରୀ ଅର୍ଥନୈତିକ ଅଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ ଗଠନ କରାଯାଇପାରିବ। ପ୍ରସ୍ତାବିତ ବ୍ୟବସ୍ଥାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଆଞ୍ଚଳିକ କର୍ତ୍ତୃପକ୍ଷ, ମୁଖ୍ୟ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟନିର୍ବାହୀ କମିଟି ଏବଂ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ କମିଟି ଗଠନ ହେବ। ଏହାଦ୍ୱାରା ସମଗ୍ର ଅଞ୍ଚଳକୁ ଏକକ ଭାବେ ବିଚାର କରି ସଡ଼କ, ଯାତାୟାତ, ଜମିର ବ୍ୟବହାର ଓ ଭିତ୍ତିଭୂମି ବିକାଶ ପାଇଁ ସମନ୍ୱିତ ଆଞ୍ଚଳିକ ଉନ୍ନୟନ ଯୋଜନା ପ୍ରସ୍ତୁତ ହେବା ସହ ଆବଶ୍ୟକ ଉନ୍ନୟନ ପ୍ରକଳ୍ପ ଚିହ୍ନଟ, ସମନ୍ୱୟ ଓ ଅର୍ଥ ଯୋଗାଡ଼ ପାଇଁ ଏକ ସାଧାରଣ ମଞ୍ଚ ଉପଲବ୍ଧ ହେବ।
ବିଲ୍ଟି ଆଇନରେ ପରିଣତ ହେବା ପରେ ପ୍ରସ୍ତାବିତ ଧାରା ୭A ଅନୁଯାୟୀ ବିକେପିପିଇଆରକୁ ପ୍ରଥମ ଅର୍ଥନୈତିକ ଅଞ୍ଚଳ ଭାବେ ଘୋଷଣା କରାଯାଇ ଏହାର ବିକାଶ ଓ ସମନ୍ୱୟ ପାଇଁ ସେଣ୍ଟ୍ରାଲ ଇକୋନୋମିକ୍ ରିଜିଅନ୍ ଡେଭଲପମେଣ୍ଟ ଅଥରିଟି (CERDA) ଗଠନ କରାଯିବ। ସିଇଆରଡ଼ିଏର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ରହିବା ସହ ଭୁବନେଶ୍ୱର (BDA), କଟକ (CDA), ପୁରୀ-କୋଣାର୍କ (PKDA) ଓ ପାରାଦୀପ (PDA) ଉନ୍ନୟନ କର୍ତ୍ତୃପକ୍ଷର କାର୍ଯ୍ୟାଳୟଗୁଡ଼ିକ ଏହାର ଶାଖା କାର୍ଯ୍ୟାଳୟ ଭାବେ କାର୍ଯ୍ୟ କରିବ। ତେବେ କ୍ୟାବିନେଟ୍ ସ୍ମାରକପତ୍ରରେ ସ୍ପଷ୍ଟ କରାଯାଇଛି ଯେ ସିଇଆରଡ଼ିଏ ଗଠନ ହେଲେ ବିଡ଼ିଏ, ସିଡ଼ିଏ, ପିକେଡିଏ ଓ ପିଡ଼ିଏ ଉଚ୍ଛେଦ ହେବେ ନାହିଁ, ବରଂ ବିଦ୍ୟମାନ ଉନ୍ନୟନ କର୍ତ୍ତୃପକ୍ଷଗୁଡ଼ିକୁ ରଖି ସେମାନଙ୍କ ଉପରେ ଏକ ଆଞ୍ଚଳିକ ସମନ୍ୱୟ ବ୍ୟବସ୍ଥା ସୃଷ୍ଟି କରାଯିବ। ପରିବର୍ତ୍ତନକାଳୀନ ସମୟରେ ବର୍ତ୍ତମାନର ଅଧିକାରୀ ଓ କର୍ମଚାରୀମାନେ ନିଜ ନିଜ ଦାୟିତ୍ୱ ଅନୁଯାୟୀ କାର୍ଯ୍ୟ ଜାରି ରଖିବେ, ଯାହାଫଳରେ ପ୍ରଶାସନିକ କାର୍ଯ୍ୟ ଓ ଜନସେବାରେ କୌଣସି ବାଧା ଉପୁଜିବ ନାହିଁ ଏବଂ ଏହି ସଂସ୍ଥାଗୁଡ଼ିକ ମଧ୍ୟରେ କ୍ଷମତା ଓ ସମ୍ପର୍କ ଆଇନର ବ୍ୟବସ୍ଥା ଅନୁଯାୟୀ ନିର୍ଦ୍ଧାରିତ ହେବ।
ଏହି ବ୍ୟବସ୍ଥା ଦ୍ୱାରା ସମଗ୍ର ଅଞ୍ଚଳର ଆବଶ୍ୟକତା ଅନୁସାରେ ସଡ଼କ, ଯାତାୟାତ, ଜଳ ନିଷ୍କାସନ ଓ ମାଲ ପରିବହନ ଭଳି ସମନ୍ୱିତ ଭିତ୍ତିଭୂମି ବିକାଶ ସହ ସହର, ଛୋଟ ସହର, ବନ୍ଦର, ଶିଳ୍ପାଞ୍ଚଳ ଓ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଉନ୍ନତ ଯୋଗାଯୋଗ ଗଢ଼ି ଉଠିବ। ସହରାଞ୍ଚଳ ସହିତ ଆଖପାଖ ଗ୍ରାମାଞ୍ଚଳର ଆବଶ୍ୟକତାକୁ ବିଚାରକୁ ନେଇ ସନ୍ତୁଳିତ ଆଞ୍ଚଳିକ ବିକାଶ ସୁନିଶ୍ଚିତ ହେବା ସହ ଭିତ୍ତିଭୂମି ଅଭାବ ଓ ନୂତନ ସମ୍ଭାବନା ଚିହ୍ନଟ କରି ପୁଞ୍ଜିନିବେଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ଆଞ୍ଚଳିକ ଗୁରୁତ୍ୱ ଥିବା ପ୍ରକଳ୍ପଗୁଡ଼ିକର ସମନ୍ୱିତ କାର୍ଯ୍ୟକାରିତା ଦ୍ୱାରା ଏକାଧିକ ସଂସ୍ଥା ଦ୍ୱାରା ସମାନ କାର୍ଯ୍ୟର ପୁନରାବୃତ୍ତି ଏଡ଼ାଇ ସମ୍ବଳର ସଠିକ୍ ବିନିଯୋଗ ହୋଇପାରିବ। ବିଶେଷ କଥା ହେଲା, ଏହି ବିଲ୍ କେବଳ ବିକେପିପିଇଆର ପାଇଁ ସୀମିତ ନରହି ଭବିଷ୍ୟତରେ ଓଡ଼ିଶାର ଯେକୌଣସି ଉପଯୁକ୍ତ ଅଞ୍ଚଳକୁ ଅର୍ଥନୈତିକ ଅଞ୍ଚଳ ଭାବେ ଘୋଷଣା କରିବାର ସୁଯୋଗ ପ୍ରଦାନ କରୁଛି।
ଆର୍ଥିକ ପ୍ରଭାବ ଦୃଷ୍ଟିରୁ କେବଳ ଏହି ବିଲ୍ ଆଇନରେ ପରିଣତ ହେବା ଦ୍ୱାରା ରାଜ୍ୟ ରାଜକୋଷ ଉପରେ କୌଣସି ପ୍ରତ୍ୟକ୍ଷ ଆର୍ଥିକ ବୋଝ ପଡ଼ିବ ନାହିଁ ଏବଂ ବର୍ତ୍ତମାନ ପର୍ଯ୍ୟାୟରେ କୌଣସି ନୂତନ ପଦବୀ ସୃଷ୍ଟିର ପ୍ରସ୍ତାବ ନାହିଁ। ତେବେ ଭବିଷ୍ୟତରେ ସିଇଆରଡ଼ିଏର କାର୍ଯ୍ୟକାରିତା ପାଇଁ ଆବଶ୍ୟକ ଆର୍ଥିକ ସମ୍ବଳ ଯୋଗାଡ଼ ନିମନ୍ତେ ବିଲ୍ରେ ଏକ ଆଞ୍ଚଳିକ ଉନ୍ନୟନ ପାଣ୍ଠି (Regional Development Fund) ଗଠନର ବ୍ୟବସ୍ଥା ରହିଛି, ଯେଉଁଥିରେ ଜମିର ମୂଲ୍ୟ ବୃଦ୍ଧିରୁ ମିଳୁଥିବା ରାଜସ୍ୱ, ଉନ୍ନୟନ ଦେୟ, ସରକାରୀ-ଘରୋଇ ସହଭାଗିତା (PPP)ରୁ ମିଳୁଥିବା ଅର୍ଥ, ଅନ୍ୟାନ୍ୟ ଆୟ ତଥା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁଦାନ ଜମା ହେବ। ଦୀର୍ଘକାଳୀନ ଭାବେ କର୍ତ୍ତୃପକ୍ଷକୁ ନିଜସ୍ୱ ଆୟ ଉତ୍ସରୁ ସ୍ୱାବଲମ୍ବୀ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଅର୍ଥର ବ୍ୟବସ୍ଥା ପୃଥକ୍ ଭାବେ କରାଯିବ। ମୋଟ ଉପରେ, ବିଭିନ୍ନ ଉନ୍ନୟନ ସଂସ୍ଥାଗୁଡ଼ିକୁ ଏକାଠି ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟ କରିବାର ସୁଦୃଢ଼ ବ୍ୟବସ୍ଥା ଦେଇ ଓଡ଼ିଶାର ସନ୍ତୁଳିତ ଓ ସମନ୍ୱିତ ବିକାଶକୁ ତ୍ୱରାନ୍ୱିତ କରିବା ଦିଗରେ ଏହି ସଂଶୋଧନ ବିଧେୟକ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗତ ସଂସ୍କାର ଭାବେ ଉଭା ହୋଇଛି।



