ଭୁବନେଶ୍ୱର, ୨୧ ନଭେମ୍ବର ୨୦୨୬: ବାତ୍ୟା ପ୍ରସ୍ତୁତି, ପୁନରୁଦ୍ଧାର ଏବଂ ଚାଷୀଙ୍କ ପାଇଁ ଜଳସେଚନ ସୁରକ୍ଷାକୁ ଅଗ୍ରାଧିକାର ଦେଇ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଶନିବାର ଗଞ୍ଜାମ ଜିଲ୍ଲାରେ ଏକ ବ୍ୟାପକ କ୍ଷେତ୍ର ପରିଦର୍ଶନ କରିଛନ୍ତି। ସାମ୍ପ୍ରତିକ ବାତ୍ୟା ଆକ୍ୱାନ୍ର ପ୍ରଭାବ ସମୀକ୍ଷା, ବାତ୍ୟା ଅର୍ଣ୍ଣବ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ପୁନରୁଦ୍ଧାର କାର୍ଯ୍ୟ ଅନୁଧ୍ୟାନ ଏବଂ କୃଷକମାନଙ୍କ ପାଇଁ ଜଳସେଚନ ଭିତ୍ତିଭୂମିକୁ ମଜବୁତ କରିବା ନିମନ୍ତେ ପଦକ୍ଷେପ ନିର୍ଦ୍ଧାରଣ ଏହି ଗସ୍ତର ତିନୋଟି ପ୍ରମୁଖ ଦିଗ ଥିଲା।
ଜଳଭଣ୍ଡାର ସୁରକ୍ଷା ଓ ଜଳ ପରିଚାଳନାରୁ ନିଜ ଗସ୍ତ ଆରମ୍ଭ କରି ପ୍ରମୁଖ ଶାସନ ସଚିବ ଘାଟକେଶ୍ୱର ବହୁମୁଖୀ ପ୍ରକଳ୍ପ ପରିଦର୍ଶନ କରିଥିଲେ ଏବଂ ଜଳଭଣ୍ଡାରର ବର୍ତ୍ତମାନର ଜଳ ସଂରକ୍ଷଣ, ଜଳ ପ୍ରବେଶ ଓ ନିଷ୍କାସନ ସ୍ଥିତି ସମୀକ୍ଷା କରିଥିଲେ। ସେ ହେଡ୍ ରେଗୁଲେଟର, ସ୍ପିଲୱେ ଏବଂ ସମ୍ପୃକ୍ତ ଯାନ୍ତ୍ରିକ ଉପକରଣଗୁଡ଼ିକୁ ଯାଞ୍ଚ କରିବା ସହ ଜଳଭଣ୍ଡାରର ଜଳସ୍ତର ଓ ଗେଟ୍ ପରିଚାଳନା ରେକର୍ଡ ତଦାରଖ କରିଥିଲେ। ଜଳଭଣ୍ଡାରର ସୁବ୍ୟବସ୍ଥିତ ପରିଚାଳନା ପଦ୍ଧତି ଆପଣାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ଯାନ୍ତ୍ରିକ ଉପକରଣଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା ପାଇଁ ବ୍ରହ୍ମପୁରସ୍ଥିତ ଯାନ୍ତ୍ରିକ ବିଭାଗକୁ ସେ ନିର୍ଦ୍ଦେଶ ଦେଇଥିଲେ।
ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ଉପରେ ଧ୍ୟାନ ଦେଇ ଶ୍ରୀମତୀ ଶର୍ମା ବୋଗୀ ନଦୀ ପରିଦର୍ଶନ କରିଥିଲେ ଏବଂ ସେଠାରେ ଚିକିଟି ବିଧାୟକ ଓ ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ବୋଗୀ ନଦୀର ପୁନରୁଦ୍ଧାର ଏବଂ ବାଘଲାଟି ଜଳସେଚନ ପ୍ରକଳ୍ପର କ୍ଷତିଗ୍ରସ୍ତ କେନାଲ ନେଟୱର୍କ ମରାମତି ଉପରେ ଏହି ଆଲୋଚନା କେନ୍ଦ୍ରିତ ଥିଲା। ଜଳସେଚନ ଭିତ୍ତିଭୂମି ପୁନରୁଦ୍ଧାରର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ସେ ବିନା ବିଳମ୍ବରେ ଆବଶ୍ୟକ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ଅଧିକାରୀମାନଙ୍କୁ କହିଥିଲେ।
ପରିଦର୍ଶନ ସମୟରେ ସେ କ୍ଷତିଗ୍ରସ୍ତ ଧାନ ଫସଲ ଥିବା ଚାଷ ଜମିଗୁଡ଼ିକ ମଧ୍ୟ ବୁଲି ଦେଖିଥିଲେ। କେବଳ ତତ୍କାଳ ପୁନରୁଦ୍ଧାରରେ ସୀମିତ ନ ରହି କେନାଲ ମରାମତି ସମୟକୁ କମାଣ୍ଡ ଏରିଆ ଡେଭଲପମେଣ୍ଟ (କ୍ୟାଡ) ବ୍ୟବସ୍ଥାକୁ ସୁଦୃଢ଼ ଓ ଉନ୍ନତ କରିବା ପାଇଁ ଉପଯୋଗ କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ପାଣି ପଞ୍ଚାୟତଗୁଡ଼ିକର ସକ୍ରିୟ ସହଭାଗିତା ମାଧ୍ୟମରେ ଜଳ ବଣ୍ଟନ ବ୍ୟବସ୍ଥାରେ ଉନ୍ନତି ଆଣିବା, ଜଳର ଦକ୍ଷ ପରିଚାଳନାକୁ ପ୍ରୋତ୍ସାହିତ କରିବା ଏବଂ ଅଧିକ ସଶକ୍ତ ଜଳସେଚନ ନେଟୱର୍କ ଗଢ଼ି তোଳିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ବୋଗୀ ନଦୀର ଡାହାଣ ପାର୍ଶ୍ୱ ବନ୍ଧର ଘାଇ ସ୍ଥଳ ପରିଦର୍ଶନ ବେଳେ ଏକ ଉତ୍ସାହଜନକ ପରିବେଶ ଦେଖିବାକୁ ମିଳିଥିଲା, ଯେଉଁଠାରେ ପ୍ରବଳ ଜଳ ପ୍ରବାହ ଯୋଗୁଁ ପୂର୍ବରୁ ନଦୀବନ୍ଧ ଡେଇଁ ପାଣି ମାଡ଼ିଯାଇଥିଲା। ଘାଇ ବନ୍ଦ ଓ ପୁନରୁଦ୍ଧାର କାର୍ଯ୍ୟ ଶେଷ କରିଥିବାରୁ ପଞ୍ଚାୟତିରାଜ ପ୍ରତିନିଧି ଓ ସ୍ଥାନୀୟ ଚାଷୀମାନେ ଜଳ ସମ୍ପଦ ବିଭାଗ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ବାତ୍ୟା ଜନିତ ପରିସ୍ଥିତିରେ ଏହି ସମୟୋଚିତ କାର୍ଯ୍ୟାନୁଷ୍ଠାନ ସେମାନଙ୍କ ଧାନ ଫସଲକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥିବା ସେମାନେ କହିଥିଲେ, ଯାହା କୃଷି ଜୀବିକା ସୁରକ୍ଷାରେ ତ୍ୱରିତ କ୍ଷେତ୍ରସ୍ତରୀୟ ପଦକ୍ଷେପର ଗୁରୁତ୍ୱକୁ ପ୍ରମାଣିତ କରିଛି। ବାତ୍ୟା ପ୍ରଭାବ ଆକଳନ, ପୁନରୁଦ୍ଧାର ତ୍ୱରାନ୍ୱିତ କରିବା ଏବଂ ଭବିଷ୍ୟତ ପାଇଁ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଭଳି ସମନ୍ୱିତ ଆଭିମୁଖ୍ୟ ସହ ଜଳ ସମ୍ପଦ ବିଭାଗ ସମଗ୍ର ଓଡ଼ିଶାରେ ଚାଷୀଙ୍କ ସ୍ୱାର୍ଥ ଓ ଦୀର୍ଘସ୍ଥାୟୀ ଜଳ ସୁରକ୍ଷା ଦିଗରେ କାର୍ଯ୍ୟ ଜାରି ରଖିଛି।



