ରାଜଗାଙ୍ଗପୁର, ନଭେମ୍ବର ୨୦, ୨୦୨୬: ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଇବର ସୁରକ୍ଷା ସଚେତନତା ଏବଂ ଦାୟିତ୍ୱଶୀଳ ଡିଜିଟାଲ ନାଗରିକତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଓଡ଼ିଶାର ରାଜ୍ୟସ୍ତରୀୟ ସାଇବର ହାଇଜିନ୍ ମଡେଲ ୟୁନାଇଟେଡ୍ ନେସନ୍ସ (ସିଏଚ୍ଏମୟୁଏନ୍) ୨୦୨୬ ରାଜଗାଙ୍ଗପୁରସ୍ଥିତ ଡାଲମିଆ ବିଦ୍ୟା ମନ୍ଦିର (ଡିଭିଏମ୍) ପକ୍ଷରୁ ସଫଳତାର ସହ ଆୟୋଜିତ ହୋଇଯାଇଛି। ଡାଲମିଆ ଭାରତ ଗ୍ରୁପ୍ର ସହାୟତାରେ ପ୍ରତିଷ୍ଠିତ ଏହି ପାରମ୍ପରିକ ଶିକ୍ଷାନୁଷ୍ଠାନ ଆତିଥ୍ୟରେ ନଭେମ୍ବର ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ୍ କଲୋନୀ ପରିସରରେ “ସାଇବର ହାଇଜିନ୍” ବିଷୟବସ୍ତୁ ଉପରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (ଏମଇଆଇଟିୱାଇ) ଅଧୀନରେ ଥିବା ଇଣ୍ଡିଆନ୍ କମ୍ପ୍ୟୁଟର ଏମର୍ଜେନ୍ସ ରେସପନ୍ସ ଟିମ୍ (ସିଇଆରଟି-ଆଇଏନ୍) ଏବଂ ସି-ଡିଏସି, ହାଇଦ୍ରାବାଦର ମିଳିତ ସହଯୋଗରେ ଇନଫର୍ମେସନ୍ ସିକ୍ୟୁରିଟି ଏଜୁକେସନ୍ ଆଣ୍ଡ ଆୱାର୍ନେସ୍ (ଆଇଏସଇଏ) କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥିରେ ଭୁବନେଶ୍ୱର, କେନ୍ଦ୍ରାପଡ଼ା, କଟକ, ବାରିପଦା, ବଲାଙ୍ଗୀର, ଗଞ୍ଜାମ, ଢେଙ୍କାନାଳ ଏବଂ ସୁନ୍ଦରଗଡ଼ ସମେତ ରାଜ୍ୟର ୯ଟି ଜିଲ୍ଲାର ୧୮ଟି ବିଦ୍ୟାଳୟରୁ ୪୬ ଜଣ ଛାତ୍ର ପ୍ରତିନିଧି ଅଂଶଗ୍ରହଣ କରିଥିଲେ ଏବଂ ଅଂଶଗ୍ରହଣକାରୀ ସମସ୍ତ ସ୍କୁଲକୁ ସ୍ମାରକୀ ଓ ପ୍ରମାଣପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।
ଉଦଘାଟନୀ ସମାରୋହରେ ସୁନ୍ଦରଗଡ଼ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ କୁମାର ସାହୁ (ବରିଷ୍ଠ ଓଏଏସ୍), ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ୍ର ମାନୁଫ୍ୟାକ୍ଚରିଂ କ୍ଲଷ୍ଟର ହେଡ୍ (ପୂର୍ବାଞ୍ଚଳ) ଶ୍ରୀ ରାଣା ଦେ, ଭାରତ ସରକାରଙ୍କ ସିଇଆରଟି-ଇନ୍ର ବୈଜ୍ଞାନିକ ‘ଡି’ ତଥା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ରାକେଶ କୁମାର ସିଂହ, ଏନଆଇଟି ରାଉରକେଲାର ପୂର୍ବତନ ପ୍ରଫେସର ଏସ. ଜୟନ୍ତୁ, ବିପିୟୁଟି ରାଉରକେଲାର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଡ. ଡି. ଚନ୍ଦ୍ରଶେଖର ରାଓ, ଏସ.ଡି. ମହିଳା ମହାବିଦ୍ୟାଳୟର ଶ୍ରୀ ସପନ ପଣ୍ଡା ଏବଂ ରାଜଗାଙ୍ଗପୁର ଡାଲମିଆ ବିଦ୍ୟା ମନ୍ଦିରର ଅଧ୍ୟକ୍ଷ ଶ୍ରୀ ଜୟଦେବ କର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ।
ମଡେଲ ୟୁନାଇଟେଡ୍ ନେସନ୍ସ ଫର୍ମାଟ୍ ମାଧ୍ୟମରେ ଛାତ୍ର ପ୍ରତିନିଧିମାନେ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ସମସ୍ୟା, ନୂତନ ସାଇବର ସୁରକ୍ଷା ଆହ୍ୱାନ, ସୂଚନା ସୁରକ୍ଷା ଏବଂ ନିରାପଦ ଅନଲାଇନ୍ ବ୍ୟବହାର ଉପରେ ବିଚାରବିମର୍ଶ କରିବା ସହ ଏକ ସୁରକ୍ଷିତ ଡିଜିଟାଲ ପରିବେଶ ସୃଷ୍ଟି ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏହି ସମ୍ମିଳନୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାଲୋଚନାତ୍ମକ ଚିନ୍ତାଧାରା, ସର୍ବସାଧାରଣରେ ବକ୍ତୃତା, ଦଳଗତ ସହଯୋଗ ଏବଂ ସୂଚନାଭିତ୍ତିକ ନିଷ୍ପତ୍ତି ନେବାର ଦକ୍ଷତାକୁ ବିକଶିତ କରିବାରେ ସହାୟକ ହୋଇଥିଲା। ବିଚାରବିମର୍ଶ ଶେଷରେ ରାଉରକେଲାର ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲର କୁମାର କୁଲଦୀପ ରାଉତ ଏବଂ ବଲାଙ୍ଗୀରସ୍ଥିତ ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ୍ ସ୍କୁଲର ସୁଦୀପ୍ତା ସାହୁ ବିଜେତା ଭାବେ ଘୋଷିତ ହୋଇଥିଲେ, ଯେଉଁମାନେ କି ନୂଆଦିଲ୍ଲୀରେ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ।
ଏହି ଅବସରରେ ଡାଲମିଆ ବିଦ୍ୟା ମନ୍ଦିରର ମୁଖ୍ୟ ଶିକ୍ଷା ଅଧିକାରୀ ଡଃ କବିତା ମାଥୁର ନିଜ ବକ୍ତବ୍ୟରେ କହିଥିଲେ ଯେ ବର୍ତ୍ତମାନ ଯୁବପିଢ଼ିଙ୍କ ଶିକ୍ଷା, ଯୋଗାଯୋଗ ଏବଂ ବିଶ୍ୱ ସହ ଯୋଡ଼ି ହେବାର ଏକ ପ୍ରମୁଖ ମାଧ୍ୟମ ଭାବେ ପ୍ରଯୁକ୍ତିବିଦ୍ୟା ଉଭା ହୋଇଥିବାରୁ ଏହାର ଦାୟିତ୍ୱବାନ ବ୍ୟବହାର ଓ ସମ୍ଭାବ୍ୟ ବିପଦ ସମ୍ପର୍କରେ ଜାଣିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି, ଏବଂ ସିଏଚ୍ଏମୟୁଏନ୍ ଭଳି ପଦକ୍ଷେପ ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ ସୁରକ୍ଷା ପ୍ରତି ସଜାଗ କରାଇ ଅନଲାଇନରେ ସଠିକ୍ ନିଷ୍ପତ୍ତି ନେବା ପାଇଁ ପ୍ରେରିତ କରେ। ଉଲ୍ଲେଖଯୋଗ୍ୟ ଯେ ୧୯୬୩ ମସିହାରେ ଡାଲମିଆ ଭାରତ ଗ୍ରୁପ୍ ଅଧୀନରେ ପ୍ରତିଷ୍ଠିତ ରାଜଗାଙ୍ଗପୁରର ଡାଲମିଆ ବିଦ୍ୟା ମନ୍ଦିର ବିଗତ ଛଅ ଦଶନ୍ଧିରୁ ଅଧିକ ସମୟ ଧରି ସ୍କୁଲ ଶିକ୍ଷା (K-12) କ୍ଷେତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ନିଜର ବ୍ୟାପକ ଶିକ୍ଷଣ ବ୍ୟବସ୍ଥା, ଅତ୍ୟାଧୁନିକ ସୁବିଧା ତଥା ଶିକ୍ଷାର୍ଥୀଙ୍କ ଶିକ୍ଷାଗତ ଉତ୍କର୍ଷ, ବୈଜ୍ଞାନିକ ଜିଜ୍ଞାସା, ସୃଜନଶୀଳତା ଓ ସାମଗ୍ରିକ ବିକାଶ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ବଜାୟ ରଖିଛି।



