ବନହରପାଲି/ଝାରସୁଗୁଡ଼ା, ୨୧ ନଭେମ୍ବର ୨୦୨୬: ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି) ଇବ୍ ଥର୍ମାଲ୍ ବନହରପାଲି ପକ୍ଷରୁ ଲଖନପୁର ବ୍ଲକ ଅନ୍ତର୍ଗତ ଦଲଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଦଲଗାଁ ସରପଞ୍ଚ ସନ୍ତୋଷ କୁମାର ରୋହିଦାସ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।
ସକାଳ ସାଢ଼େ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଚିକିତ୍ସା ଶିବିରରେ ଇବ୍ ଥର୍ମାଲ୍ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡା. ସଂଗୀତା ପଣ୍ଡା ଏବଂ ଡା. କିଶୋର କୁମାର ମିଶ୍ରଙ୍କ ସମେତ ସୁନ୍ଦରଗଡ଼ ଓ ସମ୍ବଲପୁରରୁ ଆମନ୍ତ୍ରିତ ହୋଇ ଆସିଥିବା ଶିଶୁରୋଗ ବିଶେଷଜ୍ଞ ଡା. ଦୀପକ କୁମାର ଖମାରୀ ଓ ଚିକିତ୍ସା ବିଶେଷଜ୍ଞ ଡା. ବଳରାମ ଖମାରୀ ଯୋଗଦେଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।

ଏହି ଶିବିରରେ ଦଲଗାଁ, ବାସୁପଲି, ସୋଲପାଲି, ଭୀମଗୁଡ଼ି, ଖୁଣ୍ଟପାଲି, କାଂଶବାହାଲ, ଅଢ଼ାଡିହି, ସେହ୍ନାଓମାଲ, ନେଗୀପାଲି, ଖମାରଡ଼ିହ, ଚେରକଟା ଓ ଖପଶିମୁଣ୍ଡା ଆଦି ଗ୍ରାମରୁ ଆସିଥିବା ମୋଟ ୨୫୩ ଜଣ ଲୋକ ଉପକୃତ ହୋଇଥିଲେ। ବିଭିନ୍ନ ରୋଗର ପରୀକ୍ଷା କରାଯିବା ସହିତ ରୋଗୀମାନଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା ଏବଂ ଉପଯୁକ୍ତ ଡାକ୍ତରୀ ପରାମର୍ଶ ଦିଆଯାଇଥିଲା।
ଓପିଜିସିର ସିଏସଆର (CSR) ବିଭାଗ ଏବଂ ଇବ୍ ଥର୍ମାଲ୍ ଚିକିତ୍ସାଳୟର ମିଳିତ ଉଦ୍ୟମରେ ପରିଚାଳିତ ଏହି ଶିବିରରେ ଚିକିତ୍ସାଳୟର କର୍ମଚାରୀ ପ୍ରଭାତ ବାରିକ, ସୁଜାତା ନାୟକ, ସବିତା ନାଏକ, ତୃପ୍ତିମୟୀ ପଟେଲ, ସୁମିତ ଶତପଥୀ, ଅଭିମନ୍ୟୁ ଭୋଇ ଓ ଦିଲ୍ଲୀପ ଦୀପ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।



