ଭୁବନେଶ୍ୱର, ସେପ୍ଟେମ୍ବର ୨୮, ୨୦୨୬: ରାଉରକେଲାରେ ଅକ୍ଟୋବର ୧୦ରୁ ୨୧ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ୧୬ତମ ହକି ଇଣ୍ଡିଆ ପୁରୁଷ ସିନିୟର ଜାତୀୟ ଚାମ୍ପିଅନ୍ଶିପ୍କୁ ହକି ଆସୋସିଏସନ୍ ଅଫ୍ ଓଡ଼ିଶା (ଏଚଏଓ) ଅଚାନକ ସ୍ଥଗିତ ରଖିବା ନିଷ୍ପତ୍ତିକୁ ହକି ଓଡ଼ିଶା ଦୃଢ଼ ଶବ୍ଦରେ ନିନ୍ଦା କରିଛି। ଏହା ରାଜ୍ୟର ହକି ଭିତ୍ତିଭୂମି ଓ ସୁନାମକୁ ଯୋଜନାବଦ୍ଧ ଭାବେ କ୍ଷତି ପହଞ୍ଚାଇବାର ଏକ ପ୍ରୟାସ ବୋଲି ଅଭିଯୋଗ ହୋଇଛି। ସେପ୍ଟେମ୍ବର ୨୮ ତାରିଖରେ ଏଚଏଓ ହକି ଇଣ୍ଡିଆକୁ ପଠାଇଥିବା ପତ୍ରରେ କେବଳ “ଅନିବାର୍ଯ୍ୟ ପରିସ୍ଥିତି” ଦର୍ଶାଇ ପ୍ରତିଯୋଗିତାକୁ ଘୁଞ୍ଚାଇ ଦେଇଥିବା ବେଳେ, ଏହାର କୌଣସି ପ୍ରକୃତ କାରଣ ସାର୍ବଜନୀନ କରିନାହିଁ। ଏତେ କମ୍ ସମୟ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସ୍ତରର ଟୁର୍ଣ୍ଣାମେଣ୍ଟକୁ ବାତିଲ କରାଯିବା ଏଚଏଓର ପ୍ରଶାସନିକ ଦକ୍ଷତା ଓ ନିଷ୍ପତ୍ତି ନେବାର ସ୍ୱଚ୍ଛତା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି।
ହକି ଓଡ଼ିଶାର ସାଧାରଣ ସମ୍ପାଦକ ପ୍ରତାପ ଶତପଥୀ ପ୍ରକାଶ କରିଛନ୍ତି ଯେ, ଏହି ନିଷ୍ପତ୍ତି ଓଡ଼ିଶାର ହକି ପରମ୍ପରା ପାଇଁ ଏକ ବଡ଼ ଧକ୍କା। ଏଚଏଓର ସଭାପତି ଦିଲୀପ ତିର୍କୀ ବର୍ତ୍ତମାନ ହକି ଇଣ୍ଡିଆର ବିବାଦୀୟ ନିର୍ବାଚନ ଓ ଆଭ୍ୟନ୍ତରୀଣ ରାଜନୀତିରେ ସାମିଲ ଥିବା ବେଳେ, ସଂଘର ଏହି ବ୍ୟକ୍ତିଗତ ଓ ପ୍ରଶାସନିକ କଳି ଯୋଗୁଁ ଓଡ଼ିଶାରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତା ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଏହା ବ୍ୟତୀତ ଏଚଏଓ ନିଜର ନିର୍ବାଚନୀ କମ୍ପ୍ଲାଏନ୍ସରେ ସମସ୍ତ ଜିଲ୍ଲା ୟୁନିଟ୍ରେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀମାନେ ପଦାଧିକାରୀ ଭାବେ ରହିଥିବା ସ୍ୱୀକାର କରିଥିବାରୁ, ଏହି ନିର୍ବାଚନୀ ମଣ୍ଡଳୀ କେତେ ଦୂର ଗଣତାନ୍ତ୍ରିକ ତାହାକୁ ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ତଦନ୍ତ ଚାଲିଛି।
ଏହି ସ୍ୱଚ୍ଛତାହୀନ ନିଷ୍ପତ୍ତି ବିରୋଧରେ ହକି ଓଡ଼ିଶା ପକ୍ଷରୁ ବ୍ୟାପକ ପ୍ରତିବାଦ କରାଯିବା ସହ ଏଚଏଓ ନିକଟରୁ କାରଣ ଦର୍ଶାଅ ଦାବି କରାଯିବ। ଓଡ଼ିଶାର ‘ହକିର ଘର’ ଆଖ୍ୟା ଓ ଗୌରବମୟ କ୍ରୀଡ଼ା ଆଭିମୁଖ୍ୟକୁ ବଞ୍ଚାଇ ରଖିବା ପାଇଁ ହକି ଓଡ଼ିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛି। କୌଣସି ବ୍ୟକ୍ତିଗତ ଆକ୍ରୋଶ, ଅସ୍ୱଚ୍ଛତା ଓ ଆଭ୍ୟନ୍ତରୀଣ ରାଜନୀତି ପାଇଁ ଖେଳାଳି ଓ କ୍ରୀଡ଼ାପ୍ରେମୀଙ୍କ ସ୍ୱାର୍ଥ ସହ ସାଲିସ୍ କରାଯାଇପାରିବ ନାହିଁ ବୋଲି ହକି ଓଡ଼ିଶା ସ୍ପଷ୍ଟ ଜଣାଇଛି।



