ଭୁବନେଶ୍ୱର, ସେପ୍ଟେମ୍ବର ୨୮, ୨୦୨୬: ରାଜ୍ୟର ଦୁଗ୍ଧଚାଷୀଙ୍କ ଜୀବନଧାରଣର ମାନରେ ସୁଧାର ଆଣିବା ଏବଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଭାରତର ଅଗ୍ରଣୀ ଘରୋଇ ଦୁଗ୍ଧ କମ୍ପାନୀ ହଟ୍ସନ୍ ଏଗ୍ରୋ ପ୍ରଡ଼କ୍ଟ ଲିମିଟେଡ୍ ପକ୍ଷରୁ ‘ଗୋ-ଧନ’ ନାମକ ଏକ ପ୍ରମୁଖ ପଦକ୍ଷେପର ଶୁଭାରମ୍ଭ କରାଯାଇଛି। ଓଡ଼ିଶା ସରକାର ଏବଂ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହ ମିଳିତ ସହଭାଗିତାରେ ପ୍ରସ୍ତୁତ ଏହି ଯୋଜନାର ଆନୁଷ୍ଠାନିକ ଶୁଭାରମ୍ଭ ଭୁବନେଶ୍ୱରସ୍ଥିତ ଓୟୁଏଟି ଅଡିଟୋରିୟମ୍ରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ସଚିବ ଶ୍ରୀ ପ୍ରେମଚାନ୍ଦ ଚୌଧୁରୀ ମୁଖ୍ୟ ଅତିଥି, ଆପିକଲ’ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭ୍ରାଂଶୁ ସମ୍ମାନିତ ଅତିଥି, ଏସବିଆଇର ଚିଫ୍ ଜେନେରାଲ୍ ମ୍ୟାନେଜର ଶ୍ରୀ ରାକେଶ କୁମାର ଯାଦବ ଏବଂ ହଟ୍ସନ୍ ଏଗ୍ରୋର ଅଧ୍ୟକ୍ଷ ଶ୍ରୀ ଆର୍. ଜି. ଚନ୍ଦ୍ରମୋଗନ୍ ଉପସ୍ଥିତ ରହି ଚାଷୀଙ୍କ ସମୃଦ୍ଧି ଓ ରାଜ୍ୟର ଦୁଗ୍ଧ ଶିଳ୍ପର ସ୍ଥାୟୀ ବିକାଶ ପାଇଁ ନିଜର ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରିଥିଲେ।
ଏହି ‘ଗୋ-ଧନ’ ପଦକ୍ଷେପ ଜରିଆରେ ଓଡ଼ିଶାର ୧୫ଟି ଜିଲ୍ଲାର ପ୍ରାୟ ୬,୦୦୦ ଦୁଗ୍ଧଚାଷୀଙ୍କୁ ସିଧାସଳଖ ଯୋଡ଼ାଯିବ। ଏହାଦ୍ୱାରା ଚାଷୀମାନେ ଅତି ସହଜରେ ଆନୁଷ୍ଠାନିକ ବ୍ୟାଙ୍କ ଋଣ, ସରକାରୀ ପ୍ରୋତ୍ସାହନ, ଆଧୁନିକ ଗୋ-ପାଳନ ପ୍ରଯୁକ୍ତି ଏବଂ ବୈଜ୍ଞାନିକ ପଦ୍ଧତିର ସୁବିଧା ପାଇପାରିବେ। ଉନ୍ନତମାନର ଗୋବଂଶ କ୍ରୟ, ବିଜ୍ଞାନସମ୍ମତ ଗୋଶାଳା ନିର୍ମାଣ, କୃଷି ଯାନ୍ତ୍ରିକୀକରଣ, ପଶୁ ପୋଷଣ ଓ ସ୍ୱାସ୍ଥ୍ୟ ପରିଚାଳନା କ୍ଷେତ୍ରରେ ଚାଷୀମାନେ ଏହି ପୁଞ୍ଜି ନିବେଶ କରିପାରିବେ। ଏହାବାଦ୍ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଭଳି ରାଜ୍ୟ ସରକାରଙ୍କ ସବ୍ସିଡି ଯୋଜନାଗୁଡ଼ିକୁ ଏହା ସହିତ ସଂଯୋଗ କରାଯାଉଥିବାରୁ ଚାଷୀମାନେ କମ୍ ସୁଧରେ ସୁଲଭ ମୂଳଧନ ପାଇ ନିଜର ଦୁଗ୍ଧ ବ୍ୟବସାୟକୁ ସୁଦୃଢ଼ ଓ ବିସ୍ତାର କରିବାକୁ ସକ୍ଷମ ହେବେ।
ସମାରୋହରେ ହଟସନ୍ ଏଗ୍ରୋ ପ୍ରଡକ୍ଟ ଲିମିଟେଡ୍ର ଅଧ୍ୟକ୍ଷ ଶ୍ରୀ ଆର୍. ଜି. ଚନ୍ଦ୍ରମୋଗନ୍ କହିଥିଲେ ଯେ, ଦୁଗ୍ଧଚାଷୀଙ୍କ ସମୃଦ୍ଧି ହିଁ ଏକ ସୁଦୃଢ଼ ଓ ସ୍ଥାୟୀ ଦୁଗ୍ଧ ଶିଳ୍ପର ମୂଳଦୁଆ। ହଟ୍ସନ୍ ଏଗ୍ରୋ ଦକ୍ଷିଣ ଭାରତରେ ଦୀର୍ଘ ଦଶନ୍ଧି ଧରି ଏହି ଲକ୍ଷ୍ୟ ନେଇ କାର୍ଯ୍ୟ କରିଆସିଛି ଏବଂ ଏବେ ‘ଗୋ-ଧନ’ ଜରିଆରେ ଆଗାମୀ ୩ ବର୍ଷ ମଧ୍ୟରେ ଓଡ଼ିଶାରେ ୬,୦୦୦ରୁ ଅଧିକ ଆଧୁନିକ ଦୁଗ୍ଧ ଫାର୍ମ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଯାତ୍ରାରେ ମହତ୍ତ୍ୱପୂର୍ଣ୍ଣ ସହଯୋଗ ପାଇଁ ସେ ଓଡ଼ିଶାର ଦୁଗ୍ଧଚାଷୀ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ, ଓଡ଼ିଶା ସରକାର, ଆପିକଲ ଏବଂ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପ୍ରତି ଗଭୀର କୃତଜ୍ଞତା ବ୍ୟକ୍ତ କରିଥିଲେ।
ଦୁଗ୍ଧଚାଷକୁ ସୁଦୃଢ଼ କରିବା ଦ୍ୱାରା ପ୍ରାଥମିକ କୃଷି କ୍ଷେତ୍ର ମଧ୍ୟ ସ୍ଥାୟୀ ଭାବେ ଲାଭବାନ ହେବ ବୋଲି ପ୍ରକାଶ କରି ଶ୍ରୀ ଚନ୍ଦ୍ରମୋଗନ୍ କହିଥିଲେ ଯେ, ଏହା ଗ୍ରାମୀଣ ପରିବାରଗୁଡ଼ିକୁ ଏକ ନିୟମିତ ଓ ନିରନ୍ତର ଆୟ ପ୍ରଦାନ କରିବ। ଓଡ଼ିଶାରେ ଏକ ସୁଦୃଢ଼ ଦୁଗ୍ଧ ମୂଲ୍ୟଶୃଙ୍ଖଳ ଗଠନ କରି ସ୍ଥାନୀୟ ଚାଷୀଙ୍କ ପାଇଁ ଅଧିକ ମୂଲ୍ୟ ସୃଷ୍ଟି କରିବା ସହ ରାଜ୍ୟର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରାଯିବ। ଏହାସହ ଆଗାମୀ ଦିନରେ ଓଡ଼ିଶାରୁ ପଶ୍ଚିମବଙ୍ଗ, ଉତ୍ତର ଆନ୍ଧ୍ରପ୍ରଦେଶ ଓ ପଡ଼ୋଶୀ ରାଜ୍ୟଗୁଡ଼ିକୁ କ୍ଷୀର ଯୋଗାଣ ଓ ରପ୍ତାନି କରି ଆଞ୍ଚଳିକ ଦୁଗ୍ଧ ଅର୍ଥନୀତିକୁ ନୂତନ ଶିଖରରେ ପହଞ୍ଚାଇବାକୁ କମ୍ପାନୀ ଲକ୍ଷ୍ୟ ରଖିଛି।



