ଭୁବନେଶ୍ୱର, ୨୮ ସେପ୍ଟେମ୍ବର ୨୦୨୬: ହିନ୍ଦୀ ପକ୍ଷ–୨୦୨୬ ଅବସରରେ ଭାରତୀୟ ପ୍ରଯୁକ୍ତିବିଦ୍ୟାନ ସଂସ୍ଥାନ (ଆଇଆଇଟି) ଭୁବନେଶ୍ୱରର ରାଜଭାଷା ଏକକ ପକ୍ଷରୁ ‘କାବ୍ୟାଞ୍ଜଳି–୨୦୨୬’ର ପଞ୍ଚମ ସଂସ୍କରଣ ସଫଳତାର ସହ ଆୟୋଜିତ ହୋଇଯାଇଛି। ସଂସ୍ଥାନର ଅଡିଟୋରିୟମରେ ଆୟୋଜିତ ଏହି ଜାତୀୟସ୍ତରୀୟ ହିନ୍ଦୀ କବି ସମ୍ମିଳନୀରେ ବିଶିଷ୍ଟ କବି, ଆଇଆଇଟିର ଛାତ୍ରଛାତ୍ରୀ ଏବଂ ଆବାସିକ ସମୁଦାୟର ବହୁ ସଦସ୍ୟ ଏକତ୍ରିତ ହୋଇ ହିନ୍ଦୀ ଭାଷା ଓ ସାହିତ୍ୟର ସଂସ୍କୃତିକୁ ଉତ୍ସାହର ସହ ପାଳନ କରିଥିଲେ।
ଏହି କାବ୍ୟ ସନ୍ଧ୍ୟାରେ ପ୍ରସିଦ୍ଧ ଓ ଉଦୀୟମାନ କବି ସୁଦୀପ ଭୋଲା, ଆୟୁଷୀ ରାଖେଚା, ଅଭିସାର ଶୁକ୍ଳା, ରୁଦ୍ର ପ୍ରତାପ ସିଂହ ଏବଂ ବିକ୍ରମାଦିତ୍ୟ ସିଂହ ପ୍ରମୁଖ ଯୋଗଦେଇ ହାସ୍ୟ, ବ୍ୟଙ୍ଗ, ସାମାଜିକ ସରୋକାର ଏବଂ ସମସାମୟିକ ବିଷୟବସ୍ତୁ ଉପରେ ଆଧାରିତ ମନୋଜ୍ଞ କବିତା ପରିବେଷଣ କରିଥିଲେ। ଡ. ରାଜୀବ ରାୱତ ସମଗ୍ର କାର୍ଯ୍ୟକ୍ରମର ସଂଚାଳନ କରିଥିଲେ। ଏଥିସହିତ ସଂସ୍ଥାନର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ନିଜର ମୌଳିକ କବିତା ପାଠ କରି ସାହିତ୍ୟିକ ସନ୍ଧ୍ୟାକୁ ଯୁବସୁଲଭ ଉତ୍ସାହ ଓ ସୃଜନଶୀଳତାରେ ଆନ୍ଦୋଳିତ କରିଥିଲେ।
କାର୍ଯ୍ୟକ୍ରମରେ ଆଇଆଇଟି ଭୁବନେଶ୍ୱରର ନିରନ୍ତର ଶିକ୍ଷା ବିଭାଗର ଡିନ୍ ପ୍ରଫେସର ଶ୍ୟାମଲ ଚାଟାର୍ଜୀ, କୁଳସଚିବ ଶ୍ରୀ ବାମଦେବ ଆଚାର୍ଯ୍ୟ, ରାଜଭାଷା ପ୍ରଭାରୀ ଡ. ଅଭିଜିତ କୁମାରଙ୍କ ସମେତ ବହୁ ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଆବାସିକମାନେ ଉପସ୍ଥିତ ଥିଲେ। ଏହାଛଡ଼ା ଭୁବନେଶ୍ୱରସ୍ଥିତ ବିଭିନ୍ନ ଟୋଲିକ୍ (ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତି) କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଯୋଗଦେଇ କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ।
ଏହି ସାହିତ୍ୟିକ ସମାବେଶ ସାହିତ୍ୟିକ ଆଲୋଚନା ଓ ସାଂସ୍କୃତିକ ସହଭାଗିତା ପାଇଁ ଏକ ସଜୀବ ମଞ୍ଚ ପ୍ରଦାନ କରିବା ସହ ଆଇଆଇଟି ଭୁବନେଶ୍ୱର ଏବଂ ନଗରର ବିଭିନ୍ନ ଅଞ୍ଚଳରୁ ଆସିଥିବା ହିନ୍ଦୀ ସାହିତ୍ୟପ୍ରେମୀଙ୍କୁ ଏକତ୍ରିତ କରିପାରିଥିଲା। ହିନ୍ଦୀ ଅନୁବାଦକ ଶ୍ରୀ ହେମନ୍ତ କୁମାର ଯାଦବ କାର୍ଯ୍ୟକ୍ରମର ସମନ୍ୱୟ କରିଥିବା ବେଳେ ଡ. ଅଭିଜିତ କୁମାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ‘କାବ୍ୟାଞ୍ଜଳି–୨୦୨୬’ର ଏହି ପଞ୍ଚମ ସଂସ୍କରଣ ହିନ୍ଦୀ ଭାଷା, ସାହିତ୍ୟ ଓ ସୃଜନଶୀଳ ଅଭିବୃଦ୍ଧି ପ୍ରତି ଆଇଆଇଟି ଭୁବନେଶ୍ୱରର ନିରବଚ୍ଛିନ୍ନ ପ୍ରତିବଦ୍ଧତାକୁ ପୁନର୍ବାର ପ୍ରମାଣିତ କରିଛି।



