ଭୁବନେଶ୍ୱର/କୋଲକାତା, ୨୮ ସେପ୍ଟେମ୍ବର ୨୦୨୬: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ସିପିଏସ୍ଇ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲ୍କୋ) ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସର୍ବକାଳୀନ ରେକର୍ଡ ସଫଳତା ସହ ଭାରତ ସରକାରଙ୍କୁ ୧,୦୮୩.୦୬ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଛି। ଚଳିତ ଆର୍ଥିକ ବର୍ଷରେ କମ୍ପାନୀ ୫ ଟଙ୍କା ମୂଲ୍ୟର ପ୍ରତି ଇକ୍ୱିଟି ସେୟାର ପିଛା ୨୩୦ ପ୍ରତିଶତ ହିସାବରେ ମୋଟ ୨,୧୧୨.୧୨ କୋଟି ଟଙ୍କାର ଲାଭାଂଶ ବଣ୍ଟନ କରିଛି। ଏହା ନାଲ୍କୋର ଇତିହାସରେ ଏଯାବତ୍ ପ୍ରଦାନ କରାଯାଇଥିବା ସର୍ବାଧିକ ଲାଭାଂଶ ରାଶି ଅଟେ।
କୋଲକାତାରେ ଅନୁଷ୍ଠିତ ଅନୁଗୋଳ ଆଲୁମିନିୟମ ପାର୍କ ସମ୍ପର୍କିତ ନିବେଶକ ରୋଡ୍ଶୋ’ କାର୍ଯ୍ୟକ୍ରମରେ ନାଲ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍ଡି) ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ, କେନ୍ଦ୍ର ଖଣି ମନ୍ତ୍ରଣାଳୟର ସଚିବ ଶ୍ରୀ କେଶବ ଚନ୍ଦ୍ର (ଆଇଏଏସ୍)ଙ୍କ ଉପସ୍ଥିତିରେ ଏହି ୧,୦୮୩.୦୬ କୋଟି ଟଙ୍କାର ଲାଭାଂଶ ଚେକ୍କୁ ମାନ୍ୟବର କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀଙ୍କୁ ହସ୍ତାନ୍ତର କରିଥିଲେ। ଏହି ଅବସରରେ ନାଲ୍କୋର ନିର୍ଦ୍ଦେଶକ (ପ୍ରୋଜେକ୍ଟ ଆଣ୍ଡ ଟେକ୍ନିକାଲ) ଶ୍ରୀ ଜଗଦୀଶ ଆରୋରା, ନିର୍ଦ୍ଦେଶକ (ଅର୍ଥ) ଶ୍ରୀ ଅଭୟ କୁମାର ବେହୁରିଆଙ୍କ ସମେତ ଖଣି ମନ୍ତ୍ରଣାଳୟ ଏବଂ ନାଲ୍କୋର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ ଯେ, ୨୦୨୫-୨୬ ଆର୍ଥିକ ବର୍ଷରେ ନାଲ୍କୋ ନିଜର ଆର୍ଥିକ ସ୍ଥିତିକୁ ଅଧିକ ସୁଦୃଢ଼ କରି ୫,୮୧୫.୭୬ କୋଟି ଟଙ୍କାର ଟିକସ ପରବର୍ତ୍ତୀ ଲାଭ (ପିଏଟି) ଅର୍ଜନ କରିଛି। କମ୍ପାନୀ ଚଳିତ ବର୍ଷ ତିନୋଟି ଅନ୍ତରୀଣ ଲାଭାଂଶ ଏବଂ ଗୋଟିଏ ଚୂଡ଼ାନ୍ତ ଲାଭାଂଶକୁ ମିଶାଇ ସମୁଦାୟ ୨,୧୧୨.୧୨ କୋଟି ଟଙ୍କା ଲାଭାଂଶ ଆକାରରେ ବଣ୍ଟନ କରିଛି, ଯାହାର ସିଂହଭାଗ କେନ୍ଦ୍ର ସରକାରଙ୍କ ଅଂଶ ଭାବେ ହସ୍ତାନ୍ତର କରାଯାଇଛି।



