Homeକ୍ରୀଡ଼ାଏସିଆ ରଗ୍‌ବୀ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍‌: ପ୍ରସ୍ତୁତି ନେଇ ଉଚ୍ଚସ୍ତରୀୟ ବୈଠକ କଲେ କ୍ରୀଡ଼ାମନ୍ତ୍ରୀ

ଏସିଆ ରଗ୍‌ବୀ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍‌: ପ୍ରସ୍ତୁତି ନେଇ ଉଚ୍ଚସ୍ତରୀୟ ବୈଠକ କଲେ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର, ୯ ନଭେମ୍ବର, ୨୦୨୬: ଆସନ୍ତା ନଭେମ୍ବର ୧୪ ଓ ୧୫ ତାରିଖରେ ଭୁବନେଶ୍ୱରସ୍ଥ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହେବାକୁଥିବା ‘ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬’ର ପ୍ରସ୍ତୁତି କାର୍ଯ୍ୟକୁ ନେଇ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରଗ୍‌ବୀ ଇଣ୍ଡିଆ, ରାଜ୍ୟ କ୍ରୀଡ଼ା ବିଭାଗ ଏବଂ ଓଡ଼ିଶା ରଗ୍‌ବୀ ଫୁଟବଲ୍ ଆସୋସିଏସନ୍‌ର ପ୍ରମୁଖ କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

ଏହି ପ୍ରତିଯୋଗିତାରେ ମୋଟ ୧୦ଟି ଏସୀୟ ଦେଶ ଭାରତ, ହଙ୍ଗକଙ୍ଗ ଚାଇନା, ଉଜ୍‌ବେକିସ୍ତାନ, ଚାଇନିଜ ତାଇପେଇ, ନେପାଳ, ଶ୍ରୀଲଙ୍କା, ମାଲେସିଆ, ଥାଇଲାଣ୍ଡ, ସିଙ୍ଗାପୁର ଏବଂ ଜୋର୍ଡାନର ଯୁବ କ୍ରୀଡ଼ାବିତ୍‌ମାନେ ଭାଗନେବେ। ଉଭୟ ପୁରୁଷ ଓ ମହିଳା ବିଭାଗକୁ ମିଶାଇ ସର୍ବମୋଟ ୧୭ଟି ଟିମ୍ (୧୦ଟି ପୁରୁଷ ଓ ୭ଟି ମହିଳା ଟିମ୍) ଏହି ପ୍ରତିଯୋଗିତାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପଡ଼ିଆକୁ ଓହ୍ଲାଇବେ।

ଚାମ୍ପିୟନସିପ୍ ପାଇଁ ଘୋଷିତ ଭାରତୀୟ ଦଳରେ ଓଡ଼ିଶାର ପ୍ରତିଭାବାନ ଖେଳାଳିମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇଛନ୍ତି। ଭାରତୀୟ ପୁରୁଷ ଟିମ୍‌ରେ ପୁଷ୍ପେନ୍ଦର (କ୍ୟାପ୍‌ଟେନ), ରଞ୍ଜନ ରାୱତ (ଭାଇସ୍‌ କ୍ୟାପ୍‌ଟେନ), ଅଜିତ୍‌ ନିଗମ, ଅମନ୍‌, ଅରୁଣ ପ୍ରଜାପତ୍, ନମନ ଯାଦବ, ରୋହିତ କୁମାରଙ୍କ ସହ ଓଡ଼ିଶାର ୫ ଜଣ ଭରତ କିଷାନ୍‌, ବିଦ୍ୟାଧର ମାଝୀ, ଚରଣ ହେମ୍ବ୍ରମ୍, ରାହୁଲ ମାଝୀ ଓ ସୁବାସ ହାଁସଦା ସାମିଲ ଅଛନ୍ତି। ସେହିପରି ଭାରତୀୟ ମହିଳା ଟିମ୍‌ରେ ତନୁଶ୍ରୀ ଭୋଁସଲେ (କ୍ୟାପଟେନ୍‌), ଅକ୍ଷୟା ଏନ୍‌ଏସ, ଅନୁଷ୍କା ସଙ୍କପାଲ, ଦୀପାଳି ତାଠେ, ଖୁସି ଦେବୀ, କୀର୍ତ୍ତି ଯାଦବ, ଆଦିତି ସଖାରାମ୍ ଲୋନ୍ଧେ, ସଲୋନୀ କୁମାରୀ, ସମୃଦ୍ଧି କଦମ୍‌ଙ୍କ ସହିତ ଓଡ଼ିଶାର ୩ ଜଣ—ମାମାଲି ସିଂ (ଭାଇସ କ୍ୟାପଟେନ୍‌), ଅନିତା ମୁର୍ମୁ ଓ ସୁମିତ୍ରା ମୁର୍ମୁ ସ୍ଥାନ ପାଇଛନ୍ତି। ସର୍ବମୋଟ ୮ ଜଣ ଓଡ଼ିଆ ଖେଳାଳି ଜାତୀୟ ଦଳରେ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି।

ବୈଠକରେ ଏହି ପ୍ରତିଯୋଗିତାର ଅଫିସିଆଲ୍ ଲୋଗୋ ମଧ୍ୟ ଉନ୍ମୋଚିତ ହୋଇଛି, ଯେଉଁଥିରେ ଓଡ଼ିଶାର ପାରମ୍ପରିକ ଲୋକକଳା ‘ଝୋଟିଚିତା’କୁ ପ୍ରଦର୍ଶିତ କରାଯାଇଛି। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ପ୍ରତିଯୋଗୀମାନଙ୍କ ଆଗମନ, ସୁରକ୍ଷିତ ରହଣି, ଗମନାଗମନ ଏବଂ ଆତିଥ୍ୟ ସମ୍ବନ୍ଧୀୟ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏଥିସହ ମ୍ୟାଚ୍ ସମୟରେ ଦର୍ଶକଙ୍କ ସୁରକ୍ଷା, ପୋଲିସ ଫୋର୍ସ ମୁତୟନ, ପାନୀୟ ଜଳ, ପରିମଳ, ବିଦ୍ୟୁତ ସଂଯୋଗୀକରଣ ଏବଂ ଅଗ୍ନି ନିରାପତ୍ତା ଆଦି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସଜାଗ ରଖିବାକୁ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶାରେ ଏଭଳି ଅନ୍ତର୍ଜାତୀୟ ରଗ୍‌ବୀ ଚାମ୍ପିୟନସିପ୍‌ର ଆୟୋଜନ ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଚଳିତ ବର୍ଷ କଳିଙ୍ଗ ଷ୍ଟାଡିୟମ୍‌ରେ ପୂର୍ବରୁ ୩ଟି ଜାତୀୟ ସ୍ତରୀୟ ରଗ୍‌ବୀ ପ୍ରତିଯୋଗିତା ସଫଳତାର ସହ ସମ୍ପନ୍ନ ହୋଇସାରିଛି। ଏହି ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆଗାମୀ ଦିନରେ ଦେଶ ଓ ରାଜ୍ୟର ଯୁବ କ୍ରୀଡ଼ାବିତ୍‌ମାନଙ୍କୁ ରଗ୍‌ବୀ ଖେଳ ପ୍ରତି ଅଧିକ ଅନୁପ୍ରାଣିତ କରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି।

ଆଜିର ଏହି ସମୀକ୍ଷା ବୈଠକରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ, ପୋଲିସ କମିଶନର ଡ଼. ସୁରେଶ ଦେବଦତ୍ତ ସିଂହ, ବିଏମ୍‌ସି କମିଶନର ଶ୍ରୀ ଚଞ୍ଚଳ ରାଣା, କ୍ରୀଡ଼ା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଡା. ୟେଦୁଲା ବିଜୟ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ଦୀପ୍ତିମୟୀ ମହାପାତ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments