ଭୁବନେଶ୍ୱର, ଅକ୍ଟୋବର ୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ (ଆଇଟିଏଆର୍)ର ଦୁଇ ଦିନବ୍ୟାପୀ ‘ଗ୍ରାଜୁଏସନ୍ ଦିବସ ୨୦୨୬’ ଆଜି ଉଦ୍ଯାପିତ ହୋଇଯାଇଛି। ଏହି ସମାରୋହରେ ୨୦୨୨-୨୬ ଶିକ୍ଷାବର୍ଷରେ କୃତକାର୍ଯ୍ୟ ହୋଇଥିବା ବି.ଟେକ୍, ଏମ୍.ଟେକ୍, ବିସିଏ, ଏମ୍ସିଏ ଏବଂ ଏମ୍ଏସ୍ସି ପାଠ୍ୟକ୍ରମର ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି। ପ୍ରଥମ ଦିନରେ ଆଇଟିଏଆର୍ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ସିଏସ୍ଇ) ବିଭାଗର ବି.ଟେକ୍ ଛାତ୍ରଛାତ୍ରୀଙ୍କୁ ସ୍ନାତକ ଡିଗ୍ରୀ ଦିଆଯାଇଥିବା ବେଳେ ଦ୍ୱିତୀୟ ଦିନରେ ସିଭିଲ୍, ସିଏସ୍ଇ, ସିଏସ୍ଆଇଟି, ଇଲେକ୍ଟ୍ରିକାଲ୍, ଇସିଇ, ଇଇଇ, ମେକାନିକାଲ୍ ସହ ଡାଟା ସାଇନ୍ସ, ସାଇବର ସିକ୍ୟୁରିଟି, ଏଆଇ-ଏମ୍ଏଲ୍ ଓ ଆଇଓଟି ବିଭାଗର ଛାତ୍ରଛାତ୍ରୀଙ୍କୁ ଉପାଧି ଦିଆଯାଇଥିଲା। ଏଥିସହିତ ଏମ୍ସିଏ, ସିଏସ୍ଇ, ଷ୍ଟ୍ରକଚରାଲ୍ ଇଞ୍ଜିନିୟରିଂ, ପାୱାର ସିଷ୍ଟମ୍ସ, କମ୍ୟୁନିକେସନ୍ ସିଷ୍ଟମ୍ ଏବଂ ଥର୍ମାଲ୍ ଇଞ୍ଜିନିୟରିଂ ଭଳି ସ୍ନାତକୋତ୍ତର ପାଠ୍ୟକ୍ରମର ଶେଷବର୍ଷ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଡିଗ୍ରୀ ପ୍ରଦାନ କରାଯାଇଛି।
ସମାରୋହର ପ୍ରଥମ ଦିନ ପ୍ରଥମ ପର୍ଯ୍ୟାୟରେ ବୋଷ୍ଟନ୍ କନ୍ସଲ୍ଟିଂ ଗ୍ରୁପ୍ (ବିସିଜି)ର ପ୍ରୋଗ୍ରାମ୍ ଡାଇରେକ୍ଟର ଶ୍ରୀ ଅମିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଡିଗ୍ରୀ ହାସଲ କରିବା ଶିକ୍ଷାର ଶେଷ ନୁହେଁ, ବରଂ ବୃତ୍ତିଗତ ଓ ଜୀବନବ୍ୟାପୀ ଶିକ୍ଷାର ଆରମ୍ଭ। ସେ ନିରନ୍ତର ଶିକ୍ଷା, ଦାୟିତ୍ୱବୋଧ, ସମୟାନୁବର୍ତ୍ତିତା, ମାନବିକତା ଓ ଆଶାବାଦୀ ଆଭିମୁଖ୍ୟ ଗ୍ରହଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବା ସହ ପ୍ରାକ୍ତନ ରାଷ୍ଟ୍ରପତି ଡକ୍ଟର ଏ.ପି.ଜେ. ଅବଦୁଲ କାଲାମ୍ଙ୍କ ବାଣୀ ଓ ଶ୍ରୀମଦ୍ ଭଗବଦ୍ ଗୀତା ଉଦ୍ଧୃତ କରିଥିଲେ। ପ୍ରଥମ ଦିନର ଦ୍ୱିତୀୟ ପର୍ଯ୍ୟାୟରେ ଜ୍ଞାନସିସ୍ର ଏଚ୍ଆର୍ ଭାଇସ୍ ପ୍ରେସିଡେଣ୍ଟ ଶ୍ରୀମତୀ ଶାଶ୍ୱତୀ ପାଣ୍ଡବ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେବଳ ଉଚ୍ଚ ନମ୍ବର ନୁହେଁ, ବରଂ ଏଆଇ ଓ ଡିଜିଟାଲ୍ ଯୁଗରେ ନିରନ୍ତର ଶିଖିବାର ଦକ୍ଷତା ହିଁ ସଫଳତାର ପ୍ରମୁଖ ଚାବିକାଠି ବୋଲି ପ୍ରକାଶ କରିଥିଲେ।
ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସଭାପତିତ୍ୱ କରି ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସୋଆର ଗୌରବକୁ ବଜାୟ ରଖିବା ସହ ଶିକ୍ଷା ଓ ଗବେଷଣାର ଲାଭ ସମାଜର ହିତରେ ବିନିଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ। ଆଇଟିଏଆର୍ ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ ୧୮ଟି ପ୍ରମୁଖ ବିଭାଗରେ ଚାଲିଥିବା ଗବେଷଣା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଆଡିସନାଲ ଡିନ୍ ପ୍ରଫେସର ରେଣୁ ଶର୍ମା ଓ ପ୍ରଫେସର ଧୀରେନ୍ଦ୍ର ନାଥ ଥାଟୋଇ ସ୍ୱାଗତ ଭାଷଣ ଦେଇଥିବା ବେଳେ ସୋଆ ଉପକୁଳପତି ପ୍ରଫେସର ପି.କେ. ପାତ୍ର, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ ଓ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ମଞ୍ଚାସୀନ ଥିଲେ।
ଦ୍ୱିତୀୟ ଦିନର ପ୍ରଥମ ପର୍ଯ୍ୟାୟରେ ଟାଟା କନ୍ସଲ୍ଟାନ୍ସି (ଟିସିଏସ୍) ଭୁବନେଶ୍ୱର ସେଣ୍ଟର ହେଡ୍ ଶ୍ରୀ ବିଭୁ ପଣ୍ଡା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଡିଲୋଏଟ୍ ଓଡ଼ିଶାର ଇଞ୍ଜିନିୟରିଂ ଏଆଇ ଆଣ୍ଡ ଡାଟା ଡାଇରେକ୍ଟର ଶ୍ରୀ ବିକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଆଧୁନିକ ଏଆଇ ଯୁଗରେ ବି ମଣିଷର ମାନବିକତା, କରୁଣା ଓ ସାମାଜିକ ସମ୍ପର୍କ ଅପରିବର୍ତ୍ତନୀୟ ବୋଲି ଶ୍ରୀ ପଣ୍ଡା କହିଥିବା ବେଳେ ଯୁବପିଢ଼ିଙ୍କ ସଫଳତାରେ ପରିବାର, ଗୁରୁ ଓ ବିଶ୍ୱବିଦ୍ୟାଳୟର ଅବଦାନ ଅତୁଲନୀୟ ବୋଲି ଶ୍ରୀ ପାଣିଗ୍ରାହୀ ମତ ରଖିଥିଲେ। ଦ୍ୱିତୀୟ ଦିନରେ ସୋଆ ଉପକୁଳପତି ପ୍ରଫେସର ପି.କେ. ପାତ୍ର ଓ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀଙ୍କୁ ଗ୍ରାଜୁଏସନ୍ ଶପଥ କରାଇବା ସହ ସମସ୍ତ ପ୍ରଫେସର ଓ କର୍ମଚାରୀଙ୍କ ଉପସ୍ଥିତିରେ ଡିଗ୍ରୀ ପ୍ରଦାନ କରିଥିଲେ।



