Homeରାଜ୍ୟ ଖବରରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ବୈଠକ: ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ବ୍ୟାପକ ରୋଡ଼ମ୍ୟାପ୍ ପ୍ରସ୍ତୁତ

ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ବୈଠକ: ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ବ୍ୟାପକ ରୋଡ଼ମ୍ୟାପ୍ ପ୍ରସ୍ତୁତ

ଭୁବନେଶ୍ୱର, ୧୬/୦୭/୨୦୨୬: ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କ୍ଷେତ୍ରରେ ଓଡ଼ିଶାର ପ୍ରସ୍ତୁତିକୁ ଅଧିକ ବୈଷୟିକ ଏବଂ ଜନକୈନ୍ଦ୍ରିକ କରିବା ପାଇଁ ଏକ ବଡ଼ ରୋଡ଼ମ୍ୟାପ ପ୍ରସ୍ତୁତ ହୋଇଛି। ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ଅନୁଯାୟୀ ଗଠିତ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି (ଏସଇସି)ର ୨୦୨୬-୨୭ ବର୍ଷର ପ୍ରଥମ ବୈଠକ ଲୋକସେବା ଭବନସ୍ଥିତ ରାଜସ୍ୱ ବିଭାଗ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି ଓ ପ୍ରଶମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଗ୍ରାମାଞ୍ଚଳରେ ସ୍ୱେଚ୍ଛାସେବୀ ବାହିନୀ ଗଠନ ଏବଂ ଭୁବନେଶ୍ୱର ଓ କଟକ ସହରରେ ଜଳ ନିଷ୍କାସନ ସମସ୍ୟାର ସମାଧାନ ଉପରେ ସବିଶେଷ ଗୁରୁତ୍ୱ ଦିଆଯାଇଛି। ଏଥିରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ଶ୍ରୀ ରାଜେଶ ପ୍ରଭାକର ପାଟିଲଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ସଚିବମାନେ ଉପସ୍ଥିତ ଥିଲେ। ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି.ଖୁରାନିଆ ଏବଂ ଅଗ୍ନିଶମ ସେବା ଡିଜି ଡା. ସୁଧାଂଶୁ ଷଡଙ୍ଗୀ ଆଭାସୀ ଜରିଆରେ ଏଥିରେ ଯୋଗ ଦେଇଥିଲେ।

ବୈଠକ ପ୍ରାରମ୍ଭରେ ଏସଆରସି ତଥା ଓସଡମାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପାଟିଲ ଆଲୋଚନା ଓ ଅନୁମୋଦନ ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (ଏସଡିଆରଏଫ) ବାବଦକୁ ୧,୭୧٨ କୋଟି ଟଙ୍କା ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଏମଏଫ) ବାବଦକୁ ୪୨୯ କୋଟି ଟଙ୍କାକୁ ମିଶାଇ ମୋଟ ୨,୧୪୭ କୋଟି ଟଙ୍କାର ବ୍ୟବସ୍ଥା ରହିଛି, ଯେଉଁଥିରୁ ଏପର୍ଯ୍ୟନ୍ତ ୧୦୬୪.୪୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ବିଭିନ୍ନ ବିଭାଗ ଏବଂ ଜିଲ୍ଲାକୁ ପ୍ରଦାନ କରାଯାଇଥିବା ଅନୁଦାନ ମଧ୍ୟରୁ ୯୨.୯୩ ପ୍ରତିଶତ ବିନିଯୋଗ ପ୍ରମାଣପତ୍ର ହାସଲ କରାଯାଇ ସାରିଛି।

ଜଳବାୟୁ ପରିବର୍ତ୍ତନ ଓ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ଗ୍ରୀଷ୍ମ ପ୍ରବାହର ପ୍ରଭାବ ହ୍ରାସ କରିବା ପାଇଁ ୧.୭୭ କୋଟି ଟଙ୍କାର ପ୍ରକଳ୍ପକୁ କମିଟି ମଞ୍ଜୁରୀ ପ୍ରଦାନ କରିଛି। ଏହାଦ୍ୱାରା ରାଜଧାନୀର ବିଭିନ୍ନ ବସ୍‌ଷ୍ଟପ୍‌ରେ ଭେଟିଭର କୁଲିଂ ମ୍ୟାଟ୍‌, ସାଲିଆ ସାହିରେ ରିଫ୍ଲେକ୍ଟିଭ୍‌ ରୁଫ୍‌ ପେଣ୍ଟିଂ ଏବଂ କଟକ ନେତାଜୀ ବସ୍‌ ଟର୍ମିନାଲରେ ଭେଟିଭର ରୁଫ୍‌ ହ୍ୟାଙ୍ଗିଂ ଓ ପାନୀୟ ଜଳର ସୁବିଧା କରାଯିବ। ସେହିପରି ଭୁବନେଶ୍ୱର ସହରର ବନ୍ୟା ଓ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଏନଡିଏମଏର ୨୦୦ କୋଟି ଏବଂ ରାଜ୍ୟ ସରକାରଙ୍କ ୨୨.୨୦ କୋଟି ଟଙ୍କାର ଅଂଶଧନକୁ ମିଶାଇ ମୋଟ ୨୨୨.୨୦ କୋଟି ଟଙ୍କାର ପ୍ରକଳ୍ପ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହି ଯୋଜନାରେ ବର୍ଷାଜଳ ନିଷ୍କାସନ ନାଳର ଆଧୁନିକୀକରଣ, ଜଳାଶୟଗୁଡ଼ିକର ପୁନରୁଦ୍ଧାର ଓ ଆନ୍ତଃ-ସଂଯୋଗୀକରଣ ଏବଂ ଆଗୁଆ ସତର୍କ ସୂଚନା ପ୍ରଣାଳୀର ବିକାଶ କରାଯିବ।

ତୃଣମୂଳ ସ୍ତରରେ ବିପର୍ଯ୍ୟୟ ପରିଚାଳନାକୁ ମଜବୁତ କରିବା ଉଦ୍ଦେଶ୍ୟରେ ରାଜ୍ୟର ପ୍ରାୟ ୩,୦୦୦ ଅଣ-ବାତ୍ୟା ଆଶ୍ରୟସ୍ଥଳୀ ଗ୍ରାମରେ ଗ୍ରାମସ୍ତରୀୟ ଟାସ୍କଫୋର୍ସ ସ୍ୱେଚ୍ଛାସେବୀ ବାହିନୀ ଗଠନ ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି ସ୍ୱେଚ୍ଛାସେବୀମାନଙ୍କୁ ପ୍ରାରମ୍ଭିକ ସତର୍କତା ପ୍ରସାର, ଖୋଜା ଓ ଉଦ୍ଧାର କାର୍ଯ୍ୟ, ପ୍ରାଥମିକ ଚିକିତ୍ସା, ଆଶ୍ରୟସ୍ଥଳୀ ପରିଚାଳନା ଏବଂ ରିଲିଫ ବଣ୍ଟନ ସମ୍ବନ୍ଧରେ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯିବ। ମୁଖ୍ୟ ଶାସନ ସଚିବ ଏହି ପ୍ରଶିକ୍ଷଣର ପ୍ରଭାବଶାଳୀ ରୂପାୟନ ସହ ଏକ ସୁଦୃଢ଼ ତଦାରଖ ବ୍ୟବସ୍ଥା ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍‌ ଦଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଧାରିବା ପାଇଁ ଏଚ୍ଏଫ୍, ଭିଏଚ୍ଏଫ୍ ବେସ୍ ସେଟ୍, ଭିସାଟ୍ ଓ ସାଟେଲାଇଟ୍ ଫୋନ୍ ଭଳି ଆଧୁନିକ ବୈଷୟିକ ଯୋଗାଯୋଗ ଉପକରଣ ଯୋଗାଇଦେବାକୁ ସ୍ଥିର କରାଯାଇଛି।

ବୈଠକରେ ବଜ୍ରପାତ, ସାପ କାମୁଡ଼ା, ଜଙ୍ଗଲ ନିଆଁ ଏବଂ ଗ୍ରୀଷ୍ମ ପ୍ରବାହ ଜନିତ ଜୀବନହାନି ରୋକିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟକ୍ରମ ସହ ଆଶା, ଅଙ୍ଗନବାଡ଼ି କର୍ମୀ, କୃଷକ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ସାମିଲ କରି ରାଜ୍ୟବ୍ୟାପୀ ପଥପ୍ରାନ୍ତ ନାଟକ ଓ ପ୍ରଚାର ଅଭିଯାନ ହେବ। ଓସ୍‌ଡମା ପକ୍ଷରୁ ସୂଚନା ପ୍ରଯୁକ୍ତିଭିତ୍ତିକ ଡାଟା ପରିଚାଳନା ବ୍ୟବସ୍ଥାକୁ ମଧ୍ୟ ଅଧିକ ସକ୍ରିୟ କରାଯିବ। ଶେଷରେ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ପ୍ରକଳ୍ପଗୁଡ଼ିକର ସମୟାନୁବନ୍ଧିତ ତଥା ଗୁଣାତ୍ମକ କାର୍ଯ୍ୟକାରିତା ଏବଂ ପାଣ୍ଠିର ସ୍ୱଚ୍ଛ ବିନିଯୋଗ ଉପରେ ଗୁରୁତ୍ୱ ଦେଇ ଏକ ବିପର୍ଯ୍ୟୟ ମୁକ୍ତ ଓ ସଚେତନ ଓଡ଼ିଶା ଗଠନ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments