ଭୁବନେଶ୍ୱର, ୧୬ ଜୁଲାଇ ୨୦୨୬: ଭାରତୀୟ ସଂସ୍କୃତି ଓ ଶାସ୍ତ୍ରୀୟ କଳାର ଅନନ୍ୟ ମହାସମାରୋହ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟର ସହଯୋଗରେ ସାଂସ୍କୃତିକ ଅନୁଷ୍ଠାନ ‘ତ୍ରିଧାରା’ ଦ୍ୱାରା ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ-୨୦୨୬ର ଆୟୋଜନ କରାଯାଇଥିଲା । ଓଡ଼ିଶୀ ନୃତ୍ୟ ଜଗତର କିମ୍ବଦନ୍ତୀ ପୁରୁଷ ଗୁରୁ ଡ଼. ଦେବପ୍ରସାଦ ଦାସଙ୍କ ୪୦ତମ ଶ୍ରାଦ୍ଧ ତିଥି ଅବସରରେ ଏହି କାର୍ଯ୍ୟକ୍ରମଟିକୁ ୪୦ତମ ଶ୍ରଦ୍ଧାଞ୍ଜଳି ସମାରୋହ ଭାବେ ଉତ୍ସର୍ଗ କରାଯାଇ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରାଯାଇଥିଲା ।

ଏହି ସାଂସ୍କୃତିକ ଦିବସର କାର୍ଯ୍ୟକ୍ରମ ସକାଳ ୯ ଟାରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଥିବା ଗୁରୁ ଡ଼. ଦେବପ୍ରସାଦ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଆରମ୍ଭ ହୋଇଥିଲା । ଏଠାରେ ବହୁ ବିଶିଷ୍ଟ ଗୁରୁ, କଳାକାର, ଅତିଥି ଓ ଶିଷ୍ୟମାନେ ଏକତ୍ରିତ ହୋଇ ସ୍ୱର୍ଗତ ଗୁରୁଙ୍କ ଓଡ଼ିଶୀ ନୃତ୍ୟ ପ୍ରତି ଥିବା ଅତୁଳନୀୟ ଅବଦାନକୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାପରେ ସକାଳ ୧୦ ଟାରେ ରବୀନ୍ଦ୍ର ମଣ୍ଡପଠାରେ ଉଦ୍ଘାଟନୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଓଡ଼ିଶା ସମେତ କୋଲକାତା ଓ ରାୟପୁର ଆଦି ସହରର ୩୦ରୁ ଅଧିକ ପ୍ରଖ୍ୟାତ ନୃତ୍ୟ ଅନୁଷ୍ଠାନ ଭାଗ ନେଇଥିଲେ । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ବାଙ୍କୀ, ରଣପୁର ଓ ବଲାଙ୍ଗୀରରୁ ଆସିଥିବା ନୃତ୍ୟଶିଳ୍ପୀମାନେ ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଗୁରୁ ଦେବପ୍ରସାଦଙ୍କ ଶୈଳୀର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଥିଲେ । ଏହା ସହିତ ଗଞ୍ଜାମ ଓ କଳାହାଣ୍ଡିର ପାରମ୍ପରିକ ଲୋକକଳା ଯଥା ଘଣ୍ଟ ମୃଦଙ୍ଗ, ବାଘ ନୃତ୍ୟ, କାଠପାଦ ନୃତ୍ୟ ଏବଂ ଘୁମୁରାର ଜୀବନ୍ତ ପ୍ରଦର୍ଶନ ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା ।

ଉତ୍ସବର ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ନ ୨ ଟାରେ ଆରମ୍ଭ ହୋଇଥିଲା, ଯେଉଁଥିରେ ଅତିଥି କଳାକାରଙ୍କ ପକ୍ଷରୁ ନୃତ୍ୟ ପ୍ରଦର୍ଶନ ଜାରି ରହିଥିଲା । ଏହି ଅଧିବେଶନରେ ଭୋପାଳର ପ୍ରଫେସର ଡ଼. ବିଜୟା ଶର୍ମାଙ୍କ ଦ୍ୱାରା ପରିବେଷିତ ଉଚ୍ଚକୋଟୀର କଥକ ନୃତ୍ୟ ଶ୍ରୋତା ଓ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଗୁରୁ ଡ଼. ଦେବପ୍ରସାଦ ଦାସଙ୍କ ନାତୁଣୀ ସୁଶ୍ରୀ ବାଗ୍ମୀଶ୍ରୀ ଦାସଙ୍କ ଉପସ୍ଥିତି ଏହି ସ୍ମୃତି ସମାରୋହକୁ ଆହୁରି ଭାବବିହ୍ୱଳ କରି ଗଢ଼ିତୋଳିଥିଲା । ସେହିପରି ସନ୍ଧ୍ୟା ୬ ଟାରୁ ଆରମ୍ଭ ହୋଇଥିବା ଚୂଡ଼ାନ୍ତ ସନ୍ଧ୍ୟାରେ ଶାସ୍ତ୍ରୀୟ ସଙ୍ଗୀତର ମହୋତ୍ସବ ଦେଖିବାକୁ ମିଳିଥିଲା । ପ୍ରଥମେ ଆନ୍ତର୍ଜାତୀୟ ସ୍ତରର ଖ୍ୟାତିସମ୍ପନ୍ନ ତବଲା ବାଦକ ପଣ୍ଡିତ ଅନିନ୍ଦୋ ଚାଟାର୍ଜୀଙ୍କ ଆକର୍ଷଣୀୟ ଏକକ ତବଲା ବାଦନ ପରିବେଷିତ ହୋଇଥିଲା । ଏହାପରେ ପ୍ରଖ୍ୟାତ ବେହେଲା ବାଦକ ପଣ୍ଡିତ ମୈସୁର ମଞ୍ଜୁନାଥ ଓ ଯୁବ ବେହେଲା ବାଦିକା ସୁଶ୍ରୀ ମାଳବୀ ମଞ୍ଜୁନାଥଙ୍କ ଯୁଗଳ ବେହେଲା ବାଦନ ଶ୍ରୋତାଙ୍କ ହୃଦୟ ଜିତିଥିଲା, ଯେଉଁଥିରେ ପଣ୍ଡିତ ପ୍ରଶ୍ନଜିତ ପୋଦ୍ଦାର ତବଲାରେ ସଙ୍ଗତ କରିଥିଲେ । କାର୍ଯ୍ୟକ୍ରମର ଶେଷ ପ୍ରଦର୍ଶନ ଭାବେ ‘ତ୍ରିଧାରା’ର ଶିଳ୍ପୀମାନଙ୍କ ଦ୍ୱାରା ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ ଉପରେ ଆଧାରିତ ଓଡ଼ିଶୀ ନୃତ୍ୟ ପ୍ରଯୋଜନା “ଜୟ ରାମ” ପରିବେଷିତ ହୋଇ ସଙ୍ଗୀତ ସଂଯୋଜନା ଓ କଳାତ୍ମକ ଉତ୍କର୍ଷ ପାଇଁ ଉଚ୍ଚ ପ୍ରଶଂସା ଲାଭ କରିଥିଲା ।

ଏହି ଭବ୍ୟ ସାଂସ୍କୃତିକ ମହୋତ୍ସବରେ ଶ୍ରୀ ଶୁଭେନ୍ଦୁ ଦାସ, ଶ୍ରୀ ସମର କୁମାର ମଣ୍ଡଳ, ଗୁରୁ ଦେବପ୍ରସାଦ ଦାସଙ୍କ ବରିଷ୍ଠ ଶିଷ୍ୟା ଚପଳା ମିଶ୍ର, ରଶ୍ମି ମିଶ୍ର, ମୀନାକ୍ଷୀ ବେହେରା, ତ୍ରିଧାରାର କାର୍ଯ୍ୟକାରୀ ସଭାପତି ସିମାଞ୍ଚଳ ପଣ୍ଡା ଏବଂ ନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ପୁଣ୍ୟଦର୍ଶନ ସାହୁ ସଫଳତାର ସହ ସଂଯୋଜନା କରିଥିବା ବେଳେ ତ୍ରିଧାରାର ସହକାରୀ ନିର୍ଦ୍ଦେଶକ ପ୍ରଭୁତୋଷ ପଣ୍ଡା ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।



