ଭୁବନେଶ୍ୱର, ୧୭/୦୭/୨୦୨୬: ଓଡ଼ିଶାର ଅଗ୍ରଣୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ୱରର ଷଷ୍ଠ ସମାବର୍ତ୍ତନ ଉତ୍ସବ ଚଳିତ ମାସ ୧୮ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଗୌରବମୟ ସମାରୋହରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ତଥା ରସାୟନ ଏବଂ ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବାହ୍ନ ୧୦ଟାରେ କୃତୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଡିଗ୍ରୀ ପ୍ରଦାନ କରିବେ।
ଏହି ଉତ୍ସବରେ ମୋଟ ୬୮୪ ଜଣ ଶିକ୍ଷାର୍ଥୀଙ୍କୁ ଶିକ୍ଷା ସମାପ୍ତିର ସାର୍ଟିଫିକେଟ ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରେ ୧୯୨ ଜଣ ଏମ୍ବିବିଏସ, ୧୬୩ ଜଣ ଏମ୍ଡି/ଏମ୍ଏସ, ୬୦ ଜଣ ଡିଏମ୍/ଏମ୍ସିଏଚ୍, ୧୭ ଜଣ ପୋଷ୍ଟ-ଡକ୍ଟରାଲ୍ ଫେଲୋ, ୪ ଜଣ ପିଏଚ୍ଡି ସ୍କଲାରଙ୍କ ସମେତ ୧୩୪ ଜଣ ବିଏସ୍ସି (ଅନର୍ସ) ନର୍ସିଂ, ୭୫ ଜଣ ବିଏସ୍ସି (ଅନର୍ସ) ପାରାମେଡିକାଲ୍ ଏବଂ ୩୯ ଜଣ ଏମଏସ୍ସି ନର୍ସିଂ ଛାତ୍ରଛାତ୍ରୀ ଅଛନ୍ତି। ଏହା ସହିତ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ୩୨ ଜଣ ମେଧାବୀଙ୍କୁ ୬୧ ଟି ସ୍ୱର୍ଣ୍ଣ ପଦକରେ ସମ୍ମାନିତ କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏବଂ ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିବେ ବୋଲି ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ସିଇଓ ଡ. ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି।
ଆଜି ପ୍ରତିଷ୍ଠାନ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିନ୍ (ଏକାଡେମିକ୍) ଡ. ଦିଲ୍ଲୀପ କୁମାର ପରିଡ଼ା, ଡିନ୍ (ପରୀକ୍ଷା) ଡ. ମନସ୍ୱିନୀ ମଙ୍ଗରାଜ, ଡିନ୍ (ଗବେଷଣା) ଡ. ବୈଜୟନ୍ତୀମାଳା ମିଶ୍ର, ମେଡିକାଲ ଅଧୀକ୍ଷକ ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ, କୁଳସଚିବ ଡ. ସୁଦୀପ୍ତ ରଞ୍ଜନ ସିଂହ, ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପ୍ରଫେସର ଡ. ମନୋଜ କୁମାର ମହାନ୍ତି, ଡ. ସଞ୍ଜୟ କୁମାର ଗିରି, ଡ. ସୌଭାଗ୍ୟ କୁମାର ଜେନା ଏବଂ ଡ. ବି. ବି. ତ୍ରିପାଠି ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟ ସେବାର ବିକାଶ କ୍ରମରେ ଏମ୍ସ ଭୁବନେଶ୍ୱରର ଶିଶୁ ଶଲ୍ୟଚିକିତ୍ସା ବିଭାଗ ଅଧୀନରେ ଏକ ସ୍ୱତନ୍ତ୍ର ନବଜାତ ଶଲ୍ୟଚିକିତ୍ସା ଆଇସିୟୁ ସ୍ଥାପନ କରାଯିବା ନେଇ ଡ. ଆଶୁତୋଷ ବିଶ୍ୱାସ ଘୋଷଣା କରିଛନ୍ତି। ଜନ୍ମଗତ ଜଟିଳତା ଥିବା ଏବଂ ଅସ୍ତ୍ରୋପଚାର ଆବଶ୍ୟକ କରୁଥିବା ନବଜାତ ଶିଶୁଙ୍କ ପାଇଁ ଏହି ୟୁନିଟ୍ ବରଦାନ ସଦୃଶ ହେବ। ବିଶେଷ କରି ଅନ୍ୟାନ୍ୟ ଚିକିତ୍ସାଳୟରୁ ସଂକଟାପନ୍ନ ଅବସ୍ଥାରେ ରେଫର୍ ହୋଇ ଆସୁଥିବା ଶିଶୁଙ୍କୁ ଏଠାରେ ସ୍ୱତନ୍ତ୍ର ପ୍ରାକ୍ ଓ ପରବର୍ତ୍ତୀ ଅସ୍ତ୍ରୋପଚାର ସେବା ମିଳିପାରିବ। ଏହି ଆଧୁନିକ ଚିକିତ୍ସା ବ୍ୟବସ୍ଥା ଏମ୍ସ ଭୁବନେଶ୍ୱରକୁ ସମଗ୍ର ପୂର୍ବ ଭାରତରେ ଏକ ପ୍ରମୁଖ ରେଫରାଲ୍ କେନ୍ଦ୍ର ଭାବରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବ ବୋଲି ଡ. ବିଶ୍ୱାସ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।



