Homeଆଂଚଳିକ ଖବରକିସ୍‌ର ଆଦିବାସୀ ମେଧାବୀଙ୍କ ବଡ଼ ସଫଳତା: ନିଟ୍‌ ପରୀକ୍ଷାରେ ବାଜି ମାରିଲେ ୧୧ ଛାତ୍ରଛାତ୍ରୀ

କିସ୍‌ର ଆଦିବାସୀ ମେଧାବୀଙ୍କ ବଡ଼ ସଫଳତା: ନିଟ୍‌ ପରୀକ୍ଷାରେ ବାଜି ମାରିଲେ ୧୧ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୧୭ ଜୁଲାଇ: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ (କିସ୍)ର ୧୧ ଜଣ ମେଧାବୀ ଆଦିବାସୀ ଛାତ୍ରଛାତ୍ରୀ ଚଳିତ ବର୍ଷର ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ନିଟ୍)ରେ ଉଲ୍ଲେଖନୀୟ ସଫଳତା ହାସଲ କରି ଡାକ୍ତର ହେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଗତକାଲି ପ୍ରକାଶିତ ଫଳାଫଳ ଅନୁଯାୟୀ କୃତକାର୍ଯ୍ୟ ହୋଇଥିବା ଏହି ପିଲାମାନେ ହେଲେ ଲକ୍ଷ୍ମୀ ବିରୁଆ, ଜୟାବ ମାଝି, ଅନିତା ବଇପାଇ, ଗଣେଶ ହେମ୍ବ୍ରମ, ମୁସ୍କାନ ମହାନନ୍ଦିଆ, ଲକ୍ଷ୍ମୀ ବାନରା, ଡାଙ୍ଗି ଟୁଡୁ, ସରିବାଳା ମୁଣ୍ଡା, ମୌସୁମୀ ମାଝି, ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ ଓ ସନ୍ତୋଷୀ ମାର୍ଡି। ଚଳିତ ବର୍ଷ ଛାତ୍ରମାନଙ୍କ ଅପେକ୍ଷା କିସ୍‌ର ଛାତ୍ରୀମାନେ ଅଧିକ ଉତ୍ସାହଜନକ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ସଫଳ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଓଡ଼ିଶା ସମେତ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ଜନଜାତି ପିଲା ମଧ୍ୟ ସାମିଲ ଅଛନ୍ତି।

କିସ୍‌ର ଏହି ଗୌରବମୟ ସଫଳତାରେ ସନ୍ତୋଷ ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ କୃତୀ ଶିକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଓ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି। ଜନଜାତି ସଂପ୍ରଦାୟରୁ ଆସି ପ୍ରଥମ ପିଢ଼ିର ଶିକ୍ଷା ଲାଭ କରୁଥିବା ଏହି ଗରିବ ପିଲାମାନେ ପ୍ରତିଷ୍ଠିତ ନିଟ୍ ପରୀକ୍ଷା ଉତ୍ତୀର୍ଣ୍ଣ ହେବା ସମଗ୍ର ଆଦିବାସୀ ସମାଜ ପାଇଁ ଏକ ଅତି ଗୌରବର ବିଷୟ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି। କିସ୍ ଅନୁଷ୍ଠାନରେ ପ୍ରଦାନ କରାଯାଉଥିବା ଉଚ୍ଚମାନର ଗୁଣାତ୍ମକ ଶିକ୍ଷା, ମାଗଣା ସ୍ୱତନ୍ତ୍ର କୋଚିଂ, ଉପଯୁକ୍ତ ଯତ୍ନ ଏବଂ ଅନୁକୂଳ ଶୈକ୍ଷିକ ପରିବେଶ ଯୋଗୁଁ ପିଲାମାନେ ଆଜି ଏହି ଶୀର୍ଷ ସଫଳତା ପାଇପାରିଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି। ଏଥିସହିତ ପିଲାଙ୍କ ମାର୍ଗଦର୍ଶନ ପାଇଁ ନିରନ୍ତର ଚେଷ୍ଟା ଜାରି ରଖିଥିବା କିସ୍‌ର ସମସ୍ତ ନିଷ୍ଠାପର ଶିକ୍ଷକ ଓ କର୍ମଚାରୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଗରିବ ଜନଜାତି ଶିକ୍ଷାର୍ଥୀମାନେ ଯେପରି ନିଟ୍ ସମେତ ଅନ୍ୟାନ୍ୟ ପ୍ରମୁଖ ଜାତୀୟ ପ୍ରବେଶିକା ପରୀକ୍ଷାରେ ସଫଳ ହେବେ, ସେଥିପାଇଁ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ସ୍ୱତନ୍ତ୍ର ପ୍ରୟାସ କ୍ରମେ କିସ୍‌ରେ ମେଧାବୀ ପିଲାଙ୍କୁ ମାଗଣାରେ ବିଶେଷ ପ୍ରଶିକ୍ଷଣ ଦିଆଯାଉଛି, ଯାହା ପ୍ରତିବର୍ଷ ଏହିପରି ସଫଳତାର ନୂଆ ଫର୍ଦ୍ଦ ଯୋଡ଼ୁଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments