ନୂଆଦିଲ୍ଲୀ, ୧୬ ଜୁଲାଇ (୨୦୨୬): ଭାରତୀୟ କମୋଡିଟି ବଜାରକୁ ଅଧିକ ସୁଦୃଢ଼ ଓ ପାରଦର୍ଶୀ କରିବା ଲକ୍ଷ୍ୟରେ ଏକ ବଡ଼ ବ୍ୟବସାୟିକ ସହଭାଗିତା ସ୍ଥାପନ ହୋଇଛି। ଦେଶର ଅଗ୍ରଣୀ ସେୟାର ବଜାର ‘ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ’ ଏବଂ ସୁନା କ୍ଷେତ୍ରର ପ୍ରମୁଖ ସମନ୍ୱିତ ପ୍ଲାଟଫର୍ମ ‘ଅଗମଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡ’ ମଧ୍ୟରେ ଏକ ରଣନୀତିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଭାରତରେ ଇଲେକ୍ଟ୍ରୋନିକ ଗୋଲ୍ଡ ରିସିପ୍ଟସ ବ୍ୟବସ୍ଥାର ପ୍ରସାର କରିବା ସହ ଡିଜିଟାଲ ସୁନା ବଜାରର ଭିତ୍ତିଭୂମିକୁ ବ୍ୟାପକ କରିବା ଏହି ସହଭାଗିତାର ମୂଳ ଉଦ୍ଦେଶ୍ୟ।
ଏହି ନୂତନ ବ୍ୟବସ୍ଥା ଅଧୀନରେ, ଇଜିଆରର ଉତ୍ପାଦନ, ରିଡେମ୍ପସନ, ନଗଦ ପ୍ରବାହ (ଲିକ୍ୱିଡିଟି), ସୁନା ଯୋଗାଣ ଏବଂ ସଠିକ୍ ମୂଲ୍ୟ ନିର୍ଦ୍ଧାରଣ କ୍ଷେତ୍ରରେ ଅଗମଣ୍ଟର ଥିବା କାର୍ଯ୍ୟଦକ୍ଷତା ଓ ଅଭିଜ୍ଞତାକୁ ଏନଏସଇ ଉପଯୋଗ କରିବ। ଏହା ଦ୍ୱାରା ଷ୍ଟକ ଏକ୍ସଚେଞ୍ଜ ଦ୍ୱାରା ପରିଚାଳିତ ସ୍ପଟ୍ ଗୋଲ୍ଡ ମାର୍କେଟ ଅଧିକ ସକ୍ରିୟ ହେବ। ବଜାରରେ ସାଧାରଣ ଲୋକଙ୍କ ଭାଗିଦାରୀ ବୃଦ୍ଧି କରିବା, କାରବାର ପ୍ରକ୍ରିୟାକୁ ସହଜ କରିବା ଏବଂ ନିବେଶକଙ୍କ ସମେତ ସୁନା ବ୍ୟବସାୟୀଙ୍କ ମଧ୍ୟରେ ଇଲେକ୍ଟ୍ରୋନିକ ସୁନା ରିସିପ୍ଟର ବ୍ୟବହାରକୁ ବହୁଗୁଣିତ କରିବା ପାଇଁ ଉଭୟ ସଂସ୍ଥା ଏକାଠି କାମ କରିବାକୁ ସହମତି ପ୍ରକାଶ କରିଛନ୍ତି।
ଏହି ସହଭାଗିତା ଉପରେ ଗୁରୁତ୍ୱ ଦେଇ ଏନଏସଇର ଚିଫ୍ ବିଜନେସ ଡେଭଲପମେଣ୍ଟ ଅଫିସର ଶ୍ରୀ ଶ୍ରୀରାମ କ୍ରିଷ୍ଣନ କହିଛନ୍ତି ଯେ, ଏକ ସ୍ୱଚ୍ଛ ଓ ଦୀର୍ଘସ୍ଥାୟୀ ସୁନା ବଜାର ଗଠନ କରିବା ପାଇଁ ସୁନା ବିଶୋଧନକାରୀ ଏବଂ ଲିକ୍ୱିଡିଟି ଯୋଗାଣକାରୀଙ୍କୁ ଗୋଟିଏ ମଞ୍ଚକୁ ଆଣିବା ସବୁଠାରୁ ଜରୁରୀ। ଅନ୍ୟପଟେ, ଅଗମଣ୍ଟ ଏଣ୍ଟରପ୍ରାଇଜେସର ଡିରେକ୍ଟର ଶ୍ରୀ କେତନ କୋଠାରୀ ପ୍ରକାଶ କରିଛନ୍ତି ଯେ, ୟୁପିଆଇ ବ୍ୟବସ୍ଥା ଯେଭଳି ଦେଶରେ ଆର୍ଥିକ କାରବାରର ଚିତ୍ର ବଦଳାଇ ଦେଇଛି, ଠିକ୍ ସେହିଭଳି ଏକ ସରକାରୀ ନିୟନ୍ତ୍ରିତ ଏକ୍ସଚେଞ୍ଜ ମାଧ୍ୟମରେ ଇଜିଆର ମଧ୍ୟ ସୁନାକୁ ସୁରକ୍ଷିତ ରଖିବା, କ୍ରୟ-ବିକ୍ରୟ କରିବା, ଏହା ବିରୁଦ୍ଧରେ ଋଣ ନେବା ଏବଂ ସହଜରେ ଫେରସ୍ତ ପାଇବାର ସୁବିଧା ଦେବ। ଏହି ଡିଜିଟାଲ ବ୍ୟବସ୍ଥା ଫଳରେ ଭାରତୀୟ ପରିବାର ଗୁଡ଼ିକରେ ଗଚ୍ଛିତ ଥିବା ବିପୁଳ ପରିମାଣର ସୁନା ଆନୁଷ୍ଠାନିକ ଭାବେ ଦେଶର ମୁଖ୍ୟ ଅର୍ଥନୀତି ସହ ଯୋଡ଼ି ହୋଇପାରିବ।



