ଭୁବନେଶ୍ୱର, ୧୫ ଜୁଲାଇ ୨୦୨୬: ଓଡ଼ିଶୀ ନୃତ୍ୟ ଜଗତର ଅନନ୍ୟ ସାଧକ ଗୁରୁ ଡ଼ଃ ଦେବପ୍ରସାଦ ଦାସ (ଭାରତ ନୃତ୍ୟ ଉନ୍ନୟନ ରତ୍ନ)ଙ୍କ ୪୦ତମ ଶ୍ରାଦ୍ଧ ଦିବସ ଅବସରରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଦୁଇଦିନିଆ ‘୪୦ତମ ଶ୍ରଦ୍ଧାଞ୍ଜଳି ସମାରୋହ-୨୦୨୬’ ଏବଂ ‘ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ’ ଆଜିଠାରୁ ଗଭୀର ଶ୍ରଦ୍ଧା ଓ ସାଂସ୍କୃତିକ ଉତ୍ସାହ ସହିତ ଶୁଭାରମ୍ଭ ହୋଇଯାଇଛି। ସାଂସ୍କୃତିକ ଅନୁଷ୍ଠାନ ‘ତ୍ରିଧାରା’ ପକ୍ଷରୁ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟର ସହଯୋଗରେ ଏହି ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଭାରତୀୟ ଶାସ୍ତ୍ରୀୟ ଓ ଲୋକ କଳାର ସଂରକ୍ଷଣ, ପ୍ରସାର ସହ ଯୁବପିଢ଼ିଙ୍କୁ ଗୁରୁ ଡ଼ଃ ଦେବପ୍ରସାଦ ଦାସଙ୍କ ସମୃଦ୍ଧ ନୃତ୍ୟ ଐତିହ୍ୟ ଓ ଆଦର୍ଶରେ ଅନୁପ୍ରାଣିତ କରିବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ଏହି ପବିତ୍ର ଦିବସର ପ୍ରାରମ୍ଭରେ ପ୍ରାତଃ ସମୟରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଥିବା ସ୍ୱର୍ଗତ ଗୁରୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଅବସରରେ ସଂସ୍କୃତି ପ୍ରେମୀ, ବିଶିଷ୍ଟ କଳାକାର, ଅତିଥି ଓ ଶିଷ୍ୟମାନେ ଉପସ୍ଥିତ ରହି ଓଡ଼ିଶୀ ନୃତ୍ୟର ବିକାଶ ଏବଂ ‘ଦେବପ୍ରସାଦ ଶୈଳୀ’ର ପ୍ରତିଷ୍ଠା ଦିଗରେ ତାଙ୍କର ଅତୁଳନୀୟ ଅବଦାନକୁ ଭାବପୂର୍ଣ୍ଣ ସ୍ମରଣ କରିଥିଲେ।

ଉଦ୍ଘାଟନୀ ଅଧିବେଶନରେ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର ଅନେକ ପ୍ରତିଷ୍ଠିତ ନୃତ୍ୟ ଅନୁଷ୍ଠାନ ଅଂଶଗ୍ରହଣ କରି ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ବିବିଧତା ଏବଂ ନିରନ୍ତରତାକୁ ମଞ୍ଚରେ ଉପସ୍ଥାପିତ କରିଥିଲେ। ଦିନବ୍ୟାପୀ ଅନୁଷ୍ଠିତ ଏହି ମହୋତ୍ସବରେ ତ୍ରିଧାରା, ପାରଳାଖେମୁଣ୍ଡିର ଶ୍ରୀଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର, ପଶ୍ଚିମବଙ୍ଗର ଶ୍ରୀକ୍ଷେତ୍ର ଓଡ଼ିଶୀ ନୃତ୍ୟଭୂମି, ଖୋର୍ଦ୍ଧାର ନୃତ୍ୟାୟନ, ଫୁଲବାଣୀର ନଟରାଜ କଳା ମନ୍ଦିର, ଭୁବନେଶ୍ୱରର ଇଣ୍ଡିଆନ୍ ଡାନ୍ସ ଏକାଡେମୀ ଓ ନାଟ୍ୟ ଶାସ୍ତ୍ର, ଚାନ୍ଦବାଲିର ମୀରାମ୍ବିକା ଫାଇନ୍ ଆର୍ଟସ୍, ନିରାକାରପୁରର ଉତ୍କଳିକା ସଙ୍ଗୀତ ଏକାଡେମୀ ଓ ନୃତ୍ୟଧ୍ୱଜା ଓଡ଼ିଶୀ ଏକାଡେମୀ, ବ୍ରହ୍ମପୁରର ଉତ୍କଳିକା କଳା ନିକେତନ, ସୁବର୍ଣ୍ଣପୁରର ମା’ ଠାକୁରାଣୀ ନୃତ୍ୟାନୁଷ୍ଠାନ, ଘଟଗାଁର ମା’ ତାରିଣୀ ନୃତ୍ୟ ଶିକ୍ଷା କେନ୍ଦ୍ର, ଚୌଦ୍ୱାରର ତ୍ରିନେତ୍ର କଳା କୁଞ୍ଜ, ବଲାଙ୍ଗିରର ସ୍ୱର ଝଙ୍କାର, କେନ୍ଦୁଝରର ହରେ କୃଷ୍ଣ ଡାନ୍ସ ଏକାଡେମୀ, ବୌଦ୍ଧର ଗେଲ୍ହା ମା’ କଳାନିକେତନ ଏବଂ ଗଞ୍ଜାମର ନୀଳାଦ୍ରି ରିଦମ୍ସ ଭଳି ଅଗ୍ରଣୀ ଅନୁଷ୍ଠାନଗୁଡ଼ିକର କଳାକାରମାନେ ମନୋମୁଗ୍ଧକର ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ।

ଶାସ୍ତ୍ରୀୟ ନୃତ୍ୟ ସହ ଓଡ଼ିଶାର ପାରମ୍ପରିକ ଲୋକକଳାର ରଙ୍ଗ ମଧ୍ୟ ଏହି ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା। ମା’ ସମଲେଶ୍ୱରୀ କଳା ବିକାଶ କେନ୍ଦ୍ର ପକ୍ଷରୁ ଓଡ଼ିଶାର ପାରମ୍ପରିକ ‘ରଣପା’ ନୃତ୍ୟ, ପୁରୀ ରଙ୍ଗ ଶାଳା ଦ୍ୱାରା ପ୍ରସିଦ୍ଧ ‘ସାହି ଯାତ’ ଏବଂ ପାରଳାଖେମୁଣ୍ଡିର ଶ୍ରୀଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ରର କଳାକାରମାନଙ୍କ ଦ୍ୱାରା ‘ମହାରୀ ଓ ପଲ୍ଲୀ ନୃତ୍ୟ’ର ଚମତ୍କାର ପ୍ରଦର୍ଶନ କରାଯାଇ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଝଲକ ଦେଖାଇ ଦିଆଯାଇଥିଲା। ଅପରାହ୍ନ ଅଧିବେଶନରେ ଆମନ୍ତ୍ରିତ ଶିଳ୍ପୀମାନଙ୍କ ଉଚ୍ଚକୋଟୀର କଳାନୈପୁଣ୍ୟକୁ କଳାପ୍ରେମୀ, ସଂସ୍କୃତି ଗବେଷକ, ଛାତ୍ରଛାତ୍ରୀ ତଥା ସାଧାରଣ ଦର୍ଶକ ଭୂୟସୀ ପ୍ରଶଂସା କରିଥିଲେ। ଏହି ଉତ୍ସବ ଆସନ୍ତା ୧୬ ଜୁଲାଇ ୨୦୨୬ରିଖରେ ମଧ୍ୟ ଜାରି ରହିବ, ଯେଉଁଠାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ନୃତ୍ୟଦଳ ଓଡ଼ିଶାର ପାରମ୍ପରିକ ଲୋକକଳା ପ୍ରଦର୍ଶନ କରିବେ ଏବଂ ସନ୍ଧ୍ୟାରେ ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ-୨୦୨୬ର ଭବ୍ୟ ସମାପନ ଉତ୍ସବ ଅନୁଷ୍ଠିତ ହେବ।




