/* SC_TH_END:4.0.3:d099fa56 */ ୧୦ ମାସର ଶିଶୁକୁ ନୂଆ ଜୀବନ ଦେଲେ କିମ୍‍ସ ଡାକ୍ତର: ଖାଦ୍ୟନଳୀରୁ ବାହାରିଲା ଧାତବ ପିନ୍‍ - Bikalpa.in
Friday, August 28, 2026
spot_img
Homeସ୍ୱାସ୍ଥ୍ୟ ଓ ଜୀବନଚର୍ଯ୍ୟା୧୦ ମାସର ଶିଶୁକୁ ନୂଆ ଜୀବନ ଦେଲେ କିମ୍‍ସ ଡାକ୍ତର: ଖାଦ୍ୟନଳୀରୁ ବାହାରିଲା ଧାତବ ପିନ୍‍

୧୦ ମାସର ଶିଶୁକୁ ନୂଆ ଜୀବନ ଦେଲେ କିମ୍‍ସ ଡାକ୍ତର: ଖାଦ୍ୟନଳୀରୁ ବାହାରିଲା ଧାତବ ପିନ୍‍

ଭୁବନେଶ୍ୱର, ୨୦ ଅଗଷ୍ଟ: ଖାଦ୍ୟନଳୀରେ ତୀକ୍ଷ୍ଣ ଧାତବ ପିନ୍‍ ଅଟକି ରହି ମୃତ୍ୟୁ ସହ ଜୁଝୁଥିବା ରାଉରକେଲାର ଜଣେ ୧୦ ମାସର ଶିଶୁକୁ ସଫଳତାର ସହ ଜୀବନଦାନ ଦେଇଛନ୍ତି କିମ୍‍ସ ହସପିଟାଲର ବିଶେଷଜ୍ଞ ଚିକିତ୍ସକ ଦଳ। ଅସାବଧାନତାବଶତଃ ଶିଶୁଟି ପିନ୍‍ଟିକୁ ଗିଳି ଦେଇଥିବା ବେଳେ ଏହା ଗଳା ତଳକୁ ଖାଦ୍ୟନଳୀର ଉପରିଭାଗରେ ରହିଯାଇଥିଲା। ଫଳରେ ଶିଶୁଟି ବାରମ୍ବାର ବାନ୍ତି କରିବାରୁ ପରିବାର ଲୋକେ ପ୍ରଥମେ ସ୍ଥାନୀୟ ବିଭିନ୍ନ ଚିକିତ୍ସାଳୟକୁ ନେଇଥିଲେ ବି ସମସ୍ୟାର ସଠିକ୍ କାରଣ ଜଣାପଡ଼ିନଥିଲା। ପରେ ଗତ ୧୮ ତାରିଖରେ ତାକୁ କିମ୍‍ସରେ ଭର୍ତ୍ତି କରାଯିବା ପରେ ବିଭିନ୍ନ ପରୀକ୍ଷାରୁ ଖାଦ୍ୟନଳୀରେ ପିନ୍‍ ଥିବା ସ୍ପଷ୍ଟ ହୋଇଥିଲା। ପିନ୍‍ଟି ଅତି ଧାରୁଆ ହୋଇଥିବାରୁ ଏହାକୁ ସିଧା ବାହାର କଲେ ଖାଦ୍ୟନଳୀ କ୍ଷତଗ୍ରସ୍ତ ହୋଇ ଶିଶୁଟିର ଜୀବନପ୍ରତି ପ୍ରଚଣ୍ଡ ବିପଦ ସୃଷ୍ଟି ହେବାର ଆଶଙ୍କା ଥିଲା।

ଏହି ସଂବେଦନଶୀଳ ଚିକିତ୍ସା ପାଇଁ କିମ୍‍ସର କର୍ଣ୍ଣ-ନାସା-ଗଳା, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଓ ନିଶ୍ଚେତକ ବିଶେଷଜ୍ଞଙ୍କୁ ନେଇ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଥିଲା। ଏହି ଟିମ୍‍ରେ ଇଏନ୍‍ଟି ବିଶେଷଜ୍ଞ ଡାକ୍ତର କବିକାନ୍ତ ସାମନ୍ତରାୟ, ଡାକ୍ତର ମାନସ ରଞ୍ଜନ ରାଉତ, ଡାକ୍ତର ଟି. ରାଜମୋହନ ରାଓ, ଡାକ୍ତର ଦିବ୍ୟଲୋଚନ ପ୍ରହରାଜ ଏବଂ ଡାକ୍ତର ସ୍ନେହା ସାମିଲ ଥିଲେ। ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍‍ କୌଶଳ ବ୍ୟବହାର କରି ଡାକ୍ତରମାନେ ପ୍ରଥମେ ପିନ୍‍ଟିକୁ ସୁରକ୍ଷିତ ଭାବେ ପେଟକୁ ନେଇଥିଲେ ଏବଂ ସେଠାରୁ କୌଣସି ଆଘାତ ନଦେଇ ବାହାରକୁ ବାହାର କରିବାରେ ସଫଳ ହୋଇଥିଲେ। ହସପିଟାଲରେ ଉନ୍ନତମାନର ଏଣ୍ଡୋସ୍କୋପିକ୍‍ ଉପକରଣ ଓ ଡାକ୍ତରୀ ଦଳର ଅସୀମ ସତର୍କତା ଯୋଗୁଁ ଏହି ଜଟିଳ ପ୍ରକ୍ରିୟା ବିନା କୌଣସି ଜଟିଳତାରେ ଶେଷ ହୋଇଥିବା ଡାକ୍ତର ସାମନ୍ତରାୟ ଜଣାଇଛନ୍ତି। ଶିଶୁଟି ବିପଦମୁକ୍ତ ହେବା ପରେ ପରିବାର ଲୋକେ କିମ୍‍ସ କର୍ତ୍ତୃପକ୍ଷଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ଏହି ସଫଳ ଅସ୍ତ୍ରୋପଚାର ପାଇଁ କିଟ୍‍, କିସ୍‍ ଓ କିମ୍‍ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମ୍ପୃକ୍ତ ଡାକ୍ତରୀ ଟିମ୍‍କୁ ପ୍ରଶଂସା କରିବା ସହ ଶିଶୁଟିର ସୁସ୍ଥ ଆରୋଗ୍ୟ କାମନା କରିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments