ମୁମ୍ବାଇ, ମହାରାଷ୍ଟ୍ର, ଅଗଷ୍ଟ ୧୯, ୨୦୨୬: ଭାରତରେ ପୁଷ୍ଟିହୀନତା ଆଶଙ୍କାରେ ଥିବା କୋମଳମତି ଶିଶୁଙ୍କର ସାମଗ୍ରିକ ଶାରୀରିକ ବିକାଶ ଏବଂ ହାଡ଼ ଓ ମାଂସପେଶୀର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ଓରାଲ ପୁଷ୍ଟିକର ସପ୍ଲିମେଣ୍ଟ ଏକ ପ୍ରମୁଖ ସାଧନ ପାଲଟିଛି। ଗ୍ଲୋବାଲ ସ୍ୱାସ୍ଥ୍ୟସେବା କମ୍ପାନୀ ‘ଆବଟ୍ଟ୍’ ଦ୍ୱାରା ପରିଚାଳିତ ଏକ ନୂତନ କ୍ଲିନିକାଲ ଅଧ୍ୟୟନରୁ ଜଣାପଡ଼ିଛି ଯେ, କେବଳ ଖାଦ୍ୟପେୟ ପରାମର୍ଶ ପାଇଥିବା ଶିଶୁଙ୍କ ତୁଳନାରେ ନିୟମିତ ଖାଦ୍ୟ ପରାମର୍ଶ ସହିତ ପାଟିରେ ନିଆଯାଉଥିବା ପୁଷ୍ଟିକର ସପ୍ଲିମେଣ୍ଟ ଗ୍ରହଣ କରିଥିବା ଶିଶୁଙ୍କ ଉଚ୍ଚତା ୨.୪ ଗୁଣ ଅଧିକ ବୃଦ୍ଧି ପାଇଛି। ଏହାସହିତ ସେମାନଙ୍କର ‘ଲିନ୍ ମାସ୍’ ପ୍ରାୟ ୧୫% ଅଧିକ ବଢ଼ିଥିବା ଗବେଷଣାରୁ ପ୍ରମାଣିତ ହୋଇଛି, ଯାହା ଶିଶୁଙ୍କର କେବଳ ଶାରୀରିକ ଓଜନ ଓ ଆକାର ନୁହେଁ, ବରଂ ଗୁଣାତ୍ମକ ବିକାଶକୁ ସୂଚାଉଛି।
‘ଚିଲ୍ଡ୍ରେନ୍’ ଏବଂ ‘ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ମେଡିସିନ୍’ ପତ୍ରିକାରେ ପ୍ରକାଶିତ ଏହି ଗବେଷଣାରେ ୩ ରୁ ୭ ବର୍ଷ ବୟସର ୨୨୩ ଜଣ ଭାରତୀୟ ଶିଶୁଙ୍କୁ ସାମିଲ କରାଯାଇଥିଲା। ଏହି ଶିଶୁମାନେ ଖାଇବାରେ ବାଛିବାଛି ଖାଉଥିଲେ ଏବଂ ଅପୁଷ୍ଟିର ଶିକାର ହୋଇଥିଲେ କିମ୍ବା ପୁଷ୍ଟିହୀନତାର ଆଶଙ୍କାରେ ଥିଲେ। ଛଅ ମାସର ଏହି ପରୀକ୍ଷଣ କାଳରେ ସମସ୍ତ ପରିବାର ଓ ଶିଶୁଙ୍କୁ ଆହାର ସମ୍ବନ୍ଧୀୟ ପରାମର୍ଶ ଦିଆଯିବା ସହ ଅଧା ଶିଶୁଙ୍କୁ ଦୈନିକ ଦୁଇଥର ଆବଟ୍ର ଶିଶୁ ପୁଷ୍ଟିକର ସପ୍ଲିମେଣ୍ଟ ‘ପିଡିଆସିଓର’ ସେବନ କରିବାକୁ ଦିଆଯାଇଥିଲା। ଗବେଷକମାନେ ସମୟ ବ୍ୟବଧାନରେ ସେମାନଙ୍କର ଶାରୀରିକ ବୃଦ୍ଧି, ଆହାର ଗ୍ରହଣ ଓ ଶରୀରର ଗଠନର ଅନୁଧ୍ୟାନ କରିଥିଲେ।
ଶିଶୁଙ୍କ ଶରୀରର ଗଠନ ଏବଂ ହାଡ଼ର ସ୍ୱାସ୍ଥ୍ୟ ଯାଞ୍ଚ କରିବା ପାଇଁ ‘ଡୁଆଲ୍-ଏନର୍ଜି ଏକ୍ସ-ରେ ଆବଜର୍ପସିଓମେଟ୍ରି’ ପ୍ରଯୁକ୍ତିର ସାହାଯ୍ୟ ନିଆଯାଇଥିଲା। ଏହି ଉନ୍ନତ ଇମେଜିଂ ପଦ୍ଧତି ଦ୍ୱାରା ଶରୀରର ଚର୍ବିକୁ ବାଦ୍ ଦେଇ ମାଂସପେଶୀ, ହାଡ଼ ଓ ବିଭିନ୍ନ ଅଙ୍ଗକୁ ନେଇ ଗଠିତ ଲିନ୍ ମାସ୍, ଶରୀରର ଚର୍ବି ଏବଂ ହାଡ଼ରେ ଥିବା ଖଣିଜ ଉପାଦାନର ସଠିକ୍ ପରିମାଣ ମପାଯାଇପାରିଛି।
ଗବେଷଣାରୁ ଜଣାପଡ଼ିଥିବା ମୁଖ୍ୟ ଫଳାଫଳ ଅନୁଯାୟୀ, ବୟସ ଅନୁସାରେ ବିଏମଆଇ ଏବଂ ଡିଏକ୍ସଏ ମାପ ମାଧ୍ୟମରେ ଦେଖାଯାଇଛି ଯେ ସପ୍ଲିମେଣ୍ଟ ନେଇଥିବା ଶିଶୁଙ୍କ ଶରୀରରେ ଅତ୍ୟଧିକ ଚର୍ବି ଜମା ନହୋଇ ସୁସ୍ଥ ଭାବେ ଉଚ୍ଚତା, ଓଜନ ଏବଂ ଲିନ୍ ମାସରେ ବୃଦ୍ଧି ଘଟିଛି। ଡିଏକ୍ସଏ ଯାଞ୍ଚରୁ ସେମାନଙ୍କର ‘ବୋନ୍ ମିନେରାଲ୍ ଡେନସିଟି’ ୩୫% ବୃଦ୍ଧି ପାଇବା ସହ ହାଡ଼ରେ ଖଣିଜ ତତ୍ତ୍ୱର ପରିମାଣ ବଢ଼ିଛି। ସେହିପରି ‘କ୍ୟାଚ୍-ଅପ୍ ଗ୍ରୋଥ’ କ୍ଷେତ୍ରରେ, ସପ୍ଲିମେଣ୍ଟ ପାଇଥିବା ଶିଶୁଙ୍କ ବୟସ ଅନୁସାରେ ଓଜନ ଓ ଉଚ୍ଚତାର ପର୍ସେଣ୍ଟାଇଲରେ ୪ ଗୁଣ ପର୍ଯ୍ୟନ୍ତ ଅଧିକ ସୁଧାର ଦେଖାଦେଇଛି।
ଏହା ବ୍ୟତୀତ, ଲିନ୍ ମାସ୍ ବୃଦ୍ଧି ଯୋଗୁଁ ଶିଶୁଙ୍କର ମାଂସପେଶୀ ଏବଂ ସାମଗ୍ରିକ ଶାରୀରିକ ଶକ୍ତି ବଢ଼ିଛି। ତିନି ମାସ ମଧ୍ୟରେ ସେମାନଙ୍କର କ୍ୟାଲୋରୀ, କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନ୍ ଗ୍ରହଣ ପରିମାଣ ବୃଦ୍ଧି ପାଇଥିଲା ଏବଂ ଏହି ସ୍ଥିତି ଛଅ ମାସ ପର୍ଯ୍ୟନ୍ତ କାୟମ ରହିଥିଲା। ଶିଶୁଙ୍କ ପୁଷ୍ଟି ସ୍ଥିତିର ମୁଖ୍ୟ ସୂଚକ ହାତର ଉପର ଭାଗର ମଧ୍ୟମ ପରିଧି ପର୍ସେଣ୍ଟାଇଲରେ ମଧ୍ୟ ବିଶେଷ ସୁଧାର ଆସିଛି।
ପୁଣେସ୍ଥିତ ଜାହାଙ୍ଗୀର କ୍ଲିନିକାଲ୍ ଡେଭଲପମେଣ୍ଟ ସେଣ୍ଟର ପ୍ରାଇଭେଟ୍ ଲିମିଟେଡର ପରାମର୍ଶଦାତା ଶିଶୁରୋଗ ବିଶେଷଜ୍ଞ ତଥା ମୁଖ୍ୟ ଗବେଷିକା ଡକ୍ଟର ଅନୁରାଧା ଖାଦିଲକର କହିଛନ୍ତି ଯେ, ଶିଶୁଙ୍କ ଅପୁଷ୍ଟି ସମସ୍ୟାର ସମାଧାନ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରୁ ସଠିକ୍ ପୁଷ୍ଟିକର ସହାୟତା ଯୋଗାଇଦେବା ଅତି ଜରୁରୀ। ଏହି ସପ୍ଲିମେଣ୍ଟେସନ୍ ଦ୍ୱାରା ଶିଶୁଙ୍କର ବାହ୍ୟ ଶାରୀରିକ ବୃଦ୍ଧି ସାଙ୍ଗକୁ ଆଭ୍ୟନ୍ତରୀଣ ଲିନ୍ ମାସ୍ ଏବଂ ହାଡ଼ର ସ୍ୱାସ୍ଥ୍ୟ ମଜବୁତ ହୋଇଥାଏ।
ଭାରତରେ ଆବଟ୍ ପୋଷଣ ବ୍ୟବସାୟର ମେଡିକାଲ୍ ଏବଂ ସାଇଣ୍ଟିଫିକ୍ ଆଫେୟାର୍ସ ନିର୍ଦ୍ଦେଶିକା ଡକ୍ଟର ପ୍ରୀତି ଠାକୋରଙ୍କ ମତରେ, ଉଦ୍ଦିଷ୍ଟ ପୁଷ୍ଟିକର ସପ୍ଲିମେଣ୍ଟେସନ୍ ଦ୍ୱାରା ପୁଷ୍ଟିହୀନତା ଆଶଙ୍କାରେ ଥିବା ଶିଶୁମାନଙ୍କ ସୁସ୍ଥ ବିକାଶ ସମ୍ଭବ। ଆବଟ୍ର ‘ପିଡିଆସିଓର’ ପଛରେ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟର ୨୦ରୁ ଅଧିକ କ୍ଲିନିକାଲ୍ ଗବେଷଣାର ସଫଳ ପ୍ରମାଣ ରହିଛି।
ସାମ୍ପ୍ରତିକ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ୨୦୨୩–୨୪ ସୂଚନା ଅନୁଯାୟୀ, ଭାରତରେ ୫ ବର୍ଷରୁ କମ୍ ବୟସର ୨୯.୩% ଶିଶୁ ବୟସ ତୁଳନାରେ କମ୍ ଉଚ୍ଚତା ଏବଂ ୩୧.୮% ଶିଶୁ କମ୍ ଓଜନ ସମସ୍ୟା ଭୋଗୁଛନ୍ତି। ଏହି ପରିପ୍ରେକ୍ଷୀରେ, ପୁଷ୍ଟିକର ଆହାର ଓ ସପ୍ଲିମେଣ୍ଟ ରଣନୀତି ଶିଶୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବିପ୍ଳବାତ୍ମକ ପଦକ୍ଷେପ ସାବ୍ୟସ୍ତ ହୋଇପାରିବ।



