/* SC_TH_END:4.0.3:d099fa56 */ କୃଷି ଶିକ୍ଷାରୁ ଗ୍ରାମୀଣ ବିକାଶ: ସୋଆ ଛାତ୍ରଛାତ୍ରୀଙ୍କ ଦ୍ୱାରା ଖୋର୍ଦ୍ଧାର ୧୧ଟି ଗ୍ରାମରେ ‘ରାୱେ’ କାର୍ଯ୍ୟକ୍ରମ ଉଦ୍‌ଯାପିତ - Bikalpa.in
Friday, August 28, 2026
spot_img
Homeଶିକ୍ଷା ଓ ସମାଜକୃଷି ଶିକ୍ଷାରୁ ଗ୍ରାମୀଣ ବିକାଶ: ସୋଆ ଛାତ୍ରଛାତ୍ରୀଙ୍କ ଦ୍ୱାରା ଖୋର୍ଦ୍ଧାର ୧୧ଟି ଗ୍ରାମରେ 'ରାୱେ' କାର୍ଯ୍ୟକ୍ରମ...

କୃଷି ଶିକ୍ଷାରୁ ଗ୍ରାମୀଣ ବିକାଶ: ସୋଆ ଛାତ୍ରଛାତ୍ରୀଙ୍କ ଦ୍ୱାରା ଖୋର୍ଦ୍ଧାର ୧୧ଟି ଗ୍ରାମରେ ‘ରାୱେ’ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଭୁବନେଶ୍ୱର, ଅଗଷ୍ଟ ୨୨: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ର କୃଷି ବିଜ୍ଞାନ ଛାତ୍ରଛାତ୍ରୀମାନେ ଜାତୀୟ କୃଷି ଶିକ୍ଷା ନୀତି ଅଧୀନରେ ଆୟୋଜିତ ‘ଗ୍ରାମୀଣ କୃଷି କାର୍ଯ୍ୟାନୁଭୂତି (ରାୱେ) – ୨୦୨୬’ କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପୂର୍ଣ୍ଣ କରିଛନ୍ତି। କୃଷି ଶିକ୍ଷାକୁ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନରଖି ଗ୍ରାମୀଣ ଜୀବନ, ସାମାଜିକ-ଅର୍ଥନୈତିକ ସ୍ଥିତି ଏବଂ କୃଷକଙ୍କ ପ୍ରତ୍ୟକ୍ଷ ସମସ୍ୟା ସହ ଯୋଡ଼ିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ଥିଲା। ଏହି କ୍ରମରେ ଗତ ଜୁନ୍ ୨୯ରୁ ଅଗଷ୍ଟ ୧୯ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଖୋର୍ଦ୍ଧା ଜିଲ୍ଲାର ୩ଟି ବ୍ଲକ୍‌ ଅନ୍ତର୍ଗତ ୧୧ଟି ଗ୍ରାମରେ ରହି କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଥିଲେ। ଅଧ୍ୟାପକ କମିଟିର ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ବିଦ୍ୟାର୍ଥୀମାନେ ଚାଷୀ ଓ ସ୍ଥାନୀୟ ହିତଧାରକଙ୍କ ସହ ଆଲୋଚନା କରି ଗ୍ରାମୀଣ କୃଷିର ବାସ୍ତବ ଆବଶ୍ୟକତା ଓ ଚ୍ୟାଲେଞ୍ଜଗୁଡ଼ିକୁ ଚିହ୍ନଟ କରିପାରିଛନ୍ତି।

ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀମାନେ ବିସ୍ତୃତ କୃଷି-ପରିବେଶ ତନ୍ତ୍ର ବିଶ୍ଳେଷଣ କରି ଜମିର ବ୍ୟବହାର, ଫସଲ ପ୍ରଣାଳୀ, ଆଧୁନିକ କୃଷି ଯନ୍ତ୍ରପାତିର ପ୍ରୟୋଗ, ଜଳସେଚନ ସୁବିଧା, ମୃତ୍ତିକା ପରୀକ୍ଷା, ଉଦ୍ଭିଦ ସୁରକ୍ଷା, ପଶୁପାଳନ, ଊଦ୍ୟାନ କୃଷି ଏବଂ ବଜାର ବିଶ୍ଳେଷଣ ଭଳି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ତଥ୍ୟ ସଂଗ୍ରହ କରିଥିଲେ। ସଂଗୃହିତ ତଥ୍ୟକୁ ଆଧାର କରି ପ୍ରତ୍ୟେକ ଗ୍ରାମ ପାଇଁ ସ୍ୱତନ୍ତ୍ର ‘ଗ୍ରାମ କାର୍ଯ୍ୟ ଯୋଜନା’ ପ୍ରସ୍ତୁତ କରାଯାଇଛି, ଯାହା ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ଓ ଗ୍ରାମୀଣ ସମାଜ ମଧ୍ୟରେ ସମ୍ପର୍କକୁ ଅଧିକ ନିବିଡ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ ସାଜିବ।

ସ୍ଥାନୀୟ ଚାଷୀମାନଙ୍କୁ ସାମ୍ପ୍ରତିକ କୃଷି କୌଶଳ ସହ ପରିଚିତ କରାଇବା ପାଇଁ ୩୨ଟି ପ୍ରଦର୍ଶନୀଭିତ୍ତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଚାଷ ଖର୍ଚ୍ଚ ହ୍ରାସ, ଆୟ ବୃଦ୍ଧି ଏବଂ ପରିବେଶ-ଅନୁକୂଳ କୃଷି ପ୍ରଯୁକ୍ତି ଉପରେ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା। ବିଦ୍ୟାର୍ଥୀମାନେ ନିଜେ ଯୁବ କୃଷି ବିଶେଷଜ୍ଞ ଭାବେ କାର୍ଯ୍ୟ କରି ଚାଷୀଙ୍କୁ ବୈଷୟିକ ଜ୍ଞାନକୌଶଳ ଶିଖାଇବା ସହ ସେମାନଙ୍କ ସନ୍ଦେହ ନିରାକରଣ କରିଥିଲେ।

ଅନ୍ୟପଟେ ବୃଦ୍ଧିପାଉଥିବା ଉତ୍ପାଦନ ଖର୍ଚ୍ଚ, ଜଳବାୟୁ ପରିବର୍ତ୍ତନ, ମୃତ୍ତିକା ଅବକ୍ଷୟ, ଜଳ ସଙ୍କଟ ଓ କୀଟରୋଗ ସମସ୍ୟା ଭଳି ମୁଖ୍ୟ ପ୍ରତିବନ୍ଧକଗୁଡ଼ିକୁ ନେଇ ୧୬ଟି ସଚେତନତା ସଭା ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଛାତ୍ରଛାତ୍ରୀଙ୍କ ଏହି ପ୍ରୟାସକୁ ପ୍ରଶଂସା କରି କହିଥିଲେ ଯେ, ଶ୍ରେଣୀଗୃହ ଜ୍ଞାନକୁ କ୍ଷେତ୍ରସ୍ତରରେ ପ୍ରୟୋଗ କରି ଗ୍ରାମୀଣ ସମାଜର ସେବା କରିବା ହିଁ କୃଷି ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ।

ସୋଆ ଆଇଏଏସ୍‌ର ଡୀନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ମତ ପ୍ରକାଶ କରିଥିଲେ ଯେ, ଗ୍ରାମୀଣ ପରିବେଶର ପ୍ରତ୍ୟକ୍ଷ ଅନୁଭବ ଛାତ୍ରଛାତ୍ରୀଙ୍କୁ ସମସ୍ୟା ଚିହ୍ନଟ ଓ ସମାଧାନର ବ୍ୟବହାରିକ ଦକ୍ଷତା ପ୍ରଦାନ କରିଛି। କୃଷି ସମ୍ପ୍ରସାରଣ ବିଭାଗ ମୁଖ୍ୟ ପ୍ରଫେସର ବିବୁଧ ପରାଶର କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ଦ୍ୱାରା ଚାଷୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ୱିମୁଖୀ ଜ୍ଞାନର ଆଦାନପ୍ରଦାନ ସମ୍ଭବ ହୋଇପାରିଛି। ଶେଷରେ ‘ରାୱେ’ ଅଧ୍ୟକ୍ଷ ଡ. ଅଂଶୁମାନ ଜେନା ସୂଚନା ଦେଇଥିଲେ ଯେ, ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ “ଶ୍ରେଣୀଗୃହରୁ ସମାଜ” ଏବଂ “ଜ୍ଞାନରୁ ପ୍ରୟୋଗ” ଆଡ଼କୁ ନେବାରେ ସଫଳ ହୋଇଛି, ଯାହା ସେମାନଙ୍କୁ ଆଗାମୀ ଦିନର ଦକ୍ଷ କୃଷି ବିଶେଷଜ୍ଞ ଭାବେ ଗଢ଼ିତୋଳିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments