ସଭ୍ୟତାର ବିକାଶ ପଛରେ ଯେଉଁମାନଙ୍କର ଅକ୍ଳାନ୍ତ ପରିଶ୍ରମ ରହିଛି, ସେମାନେ ହେଉଛନ୍ତି ଶ୍ରମିକ। ଶ୍ରମ ହିଁ ଭଗବାନ ଏହି ମହାନ୍ ବାଣୀକୁ ପାଥେୟ କରି ଜଣେ ଶ୍ରମିକ ନିଜର ଝାଳ ବୁହାଇ ସମାଜକୁ ସୁନ୍ଦର ଓ ବାସଯୋଗ୍ୟ କରିଥାଏ। ପ୍ରତିବର୍ଷ ମେ’ ମାସ ପହିଲା ତାରିଖକୁ ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ବା ମେ’ ଦିବସ ଭାବେ ପାଳନ କରାଯାଏ। ଏହି ଦିବସଟି କେବଳ ଏକ ଛୁଟିଦିନ ନୁହେଁ, ବରଂ ଏହା ଶ୍ରମିକମାନଙ୍କର ଅଧିକାର, ସମ୍ମାନ ଏବଂ ସେମାନଙ୍କର ଐତିହାସିକ ସଂଘର୍ଷର ଏକ ପ୍ରତୀକ ଅଟେ। ଶ୍ରମିକ ଦିବସ ପାଳନର ଇତିହାସ ଅତ୍ୟନ୍ତ ସଂଘର୍ଷମୟ ଏବଂ ପ୍ରେରଣାଦାୟୀ। ଉନବିଂଶ ଶତାବ୍ଦୀରେ ଶିଳ୍ପ ବିପ୍ଳବ ସମୟରେ ଶ୍ରମିକମାନଙ୍କୁ ଦୟନୀୟ ଅବସ୍ଥାରେ କାମ କରିବାକୁ ପଡ଼ୁଥିଲା। ସେତେବେଳେ କାମ କରିବାର କୌଣସି ନିର୍ଦ୍ଦିଷ୍ଟ ସମୟ ନଥିଲା ଓ ଜଣେ ଶ୍ରମିକକୁ ଦିନକୁ ୧୨ରୁ ୧୬ ଘଣ୍ଟା ପର୍ଯ୍ୟନ୍ତ କଠିନ ପରିଶ୍ରମ କରିବାକୁ ବାଧ୍ୟ କରାଯାଉଥିଲା। ଏହି ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ୧୮୮୬ ମସିହା ମେ’ ୧ ତାରିଖରେ ଆମେରିକାର ଚିକାଗୋ ସହରରେ ହଜାର ହଜାର ଶ୍ରମିକ ଆଠ ଘଣ୍ଟା କାର୍ଯ୍ୟ ସମୟ ଦାବିରେ ଏକତ୍ରିତ ହୋଇଥିଲେ। ଚିକାଗୋର ହେ-ମାର୍କେଟ୍ ଠାରେ ଏକ ଶାନ୍ତିପୂର୍ଣ୍ଣ ସଭା ଚାଲିଥିବା ବେଳେ ବୋମା ବିସ୍ଫୋରଣ ଓ ପୋଲିସ ଗୁଳି ଚାଳନାରେ ଅନେକ ଶ୍ରମିକ ପ୍ରାଣ ହରାଇଥିଲେ। ସେହି ଶହୀଦ ଶ୍ରମିକମାନଙ୍କ ସ୍ମୃତି ଚରଣ କରି ୧୮୮୯ ମସିହାରେ ଆନ୍ତର୍ଜାତୀୟ ସମାଜବାଦୀ ସମ୍ମିଳନୀରେ ମେ’ ୧ ତାରିଖକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ଘୋଷଣା କରାଗଲା।
ଭାରତରେ ପ୍ରଥମ କରି ୧୯୨୩ ମସିହା ମେ’ ୧ ତାରିଖରେ ମାଡ୍ରାସ ଠାରେ ଶ୍ରମିକ ଦିବସ ପାଳନ କରାଯାଇଥିଲା। ଲେବର କିଷାନ ପାର୍ଟି ଅଫ୍ ହିନ୍ଦୁସ୍ତାନର ନେତୃତ୍ୱରେ ଏହି ଉତ୍ସବ ଆୟୋଜିତ ହୋଇଥିଲା ଏବଂ ସେହି ଦିନ ପ୍ରଥମ ଥର ପାଇଁ ଭାରତରେ ଶ୍ରମିକମାନଙ୍କ ପ୍ରତୀକ ଭାବେ ନାଲି ପତାକା ବ୍ୟବହାର କରାଯାଇଥିଲା। ଭାରତୀୟ ସମ୍ବିଧାନ ମଧ୍ୟ ଶ୍ରମିକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଅନେକ ନିୟମ ପ୍ରଣୟନ କରିଛି। ଶ୍ରମିକ ଦିବସ କେବଳ ଶ୍ରମିକଙ୍କ ବିଜୟର ଦିନ ନୁହେଁ ବରଂ ଏହା ସମାଜରେ ସେମାନଙ୍କ ଗୁରୁତ୍ୱକୁ ସ୍ୱୀକାର କରିବାର ଏକ ସୁଯୋଗ। ଏହି ଦିବସ ଶ୍ରମିକମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ଅଧିକାର ଯଥା ନିର୍ଦ୍ଦିଷ୍ଟ କାର୍ଯ୍ୟ ସମୟ, ସର୍ବନିମ୍ନ ମଜୁରୀ ଏବଂ ସୁରକ୍ଷିତ କାର୍ଯ୍ୟ ପରିବେଶ ବିଷୟରେ ସଚେତନ କରାଏ। ସମାଜରେ କୌଣସି କାମ ଛୋଟ ନୁହେଁ ଏବଂ ଜଣେ ରାସ୍ତା ସଫା କରୁଥିବା ଶ୍ରମିକଠାରୁ ଆରମ୍ଭ କରି କାରଖାନାରେ କାମ କରୁଥିବା ବୈଷୟିକ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଶ୍ରମିକ। ଏହି ଦିବସ ସମସ୍ତଙ୍କ ଶ୍ରମକୁ ସମ୍ମାନ ଜଣାଏ ଏବଂ ଶ୍ରମିକମାନେ ଏକଜୁଟ ହେଲେ ନିଜର ଦାବି ହାସଲ କରିପାରିବେ, ଏହା ହିଁ ମେ’ ଦିବସର ମୁଖ୍ୟ ଶିକ୍ଷା।
ଆଜିର ଆଧୁନିକ ଯୁଗରେ ମଧ୍ୟ ଶ୍ରମିକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଭାରତରେ ଏକ ବଡ଼ ଅଂଶ ଶ୍ରମିକ ଅସଂଘଠିତ କ୍ଷେତ୍ରରେ କାମ କରନ୍ତି, ଯେଉଁଠାରେ ସେମାନଙ୍କର କୌଣସି ଚାକିରି ସୁରକ୍ଷା ବା ସାମାଜିକ ସୁରକ୍ଷା ନଥାଏ। ଆଜି ବି ଅନେକ କୋମଳମତି ଶିଶୁ ନିଜର ଶୈଶବକୁ ହରାଇ ବିଭିନ୍ନ ବିପଜ୍ଜନକ ସ୍ଥାନରେ କାମ କରୁଛନ୍ତି, ଯାହା ଏକ ସାମାଜିକ ଅଭିଶାପ। ସେହିଭଳି ସମାନ କାମ ପାଇଁ ଅନେକ ସ୍ଥାନରେ ମହିଳାମାନଙ୍କୁ ପୁରୁଷଙ୍କ ତୁଳନାରେ କମ୍ ମଜୁରୀ ମିଳିଥାଏ। ବୈଷୟିକ ଜ୍ଞାନକୌଶଳର ବୃଦ୍ଧି ଓ ସ୍ୱୟଂଚାଳିତ ଯନ୍ତ୍ରର ଆଗମନ ଯୋଗୁଁ ଅନେକ ଶ୍ରମିକ ନିଜର ଜୀବିକା ହରାଇବାର ଭୟରେ ରହିଛନ୍ତି। ଭାରତ ସରକାର ଶ୍ରମିକମାନଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଓ ଆଇନ ପ୍ରଣୟନ କରିଛନ୍ତି, ଯେପରିକି ମାତୃତ୍ୱ ସୁବିଧା ଅଧିନିୟମ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଏବଂ ଇ-ଶ୍ରମ ପୋର୍ଟାଲ। ଏହି ସବୁ ବ୍ୟବସ୍ଥା ଶ୍ରମିକମାନଙ୍କ ଜୀବନଧାରଣର ମାନ ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ।
ଆଜିର ଉପଭୋକ୍ତାବାଦୀ ଦୁନିଆରେ ଆମେ ସୁନ୍ଦର ଅଟ୍ଟାଳିକା, ଭଲ ରାସ୍ତା ଏବଂ ବିଳାସପୂର୍ଣ୍ଣ ସାମଗ୍ରୀ ବ୍ୟବହାର କରୁଛେ, କିନ୍ତୁ ଏହା ପଛରେ ଥିବା ସେହି କଠିନ ପରିଶ୍ରମୀ ହାତଗୁଡ଼ିକୁ ଭୁଲିଯାଉଛେ। ଶ୍ରମିକ ଦିବସ ଆମକୁ ସେହି ଅଦୃଶ୍ୟ ନାୟକମାନଙ୍କ କଥା ମନେ ପକାଇଦିଏ। ଶ୍ରମିକମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସେମାନଙ୍କ ପରିବାରର ଉନ୍ନତି ହେଲେ ହିଁ ଦେଶର ଉନ୍ନତି ସମ୍ଭବ। ଯେଉଁ ହାତ ସମାଜ ଗଢ଼େ, ସେହି ହାତକୁ ସମ୍ମାନ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ପରିଶେଷରେ, ଶ୍ରମିକ ଦିବସ କେବଳ ବର୍ଷକରେ ଦିନଟିଏ ପାଳନ କରିବାର ଉତ୍ସବ ନୁହେଁ, ବରଂ ଏହା ଏକ ପ୍ରତିଶ୍ରୁତି। ଆମକୁ ସଙ୍କଳ୍ପ ନେବାକୁ ହେବ ଯେ, ଆମେ ଶ୍ରମିକମାନଙ୍କୁ ସମ୍ମାନ ଦେବା, ସେମାନଙ୍କର ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଏବଂ ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ କରିବା ଯେଉଁଠାରେ ଶ୍ରମର ମୂଲ୍ୟ ଯଥାର୍ଥ ଭାବେ ଆକଳନ କରାଯିବ। ଶ୍ରମିକମାନଙ୍କ ସ୍ୱେଦରେ ଭିଜିଥିବା ଏହି ମାଟି ସେମାନଙ୍କ ଋଣ ସେତେବେଳେ ପରିଶୋଧ କରିବ, ଯେତେବେଳେ ପ୍ରତିଟି ଶ୍ରମିକ ମୁଣ୍ଡ ଟେକି ସମ୍ମାନର ସହ ବଞ୍ଚିପାରିବ। ଏହି ଦିବସ ଆମକୁ ମନେ ପକାଇଦିଏ ଯେ ଶ୍ରମିକମାନଙ୍କର ତ୍ୟାଗ ଓ ନିଷ୍ଠା ବିନା ଏକ ବିକଶିତ ସମାଜର କଳ୍ପନା ଅସମ୍ଭବ। ସେଥିପାଇଁ ସେମାନଙ୍କୁ ସାମାଜିକ ମୁଖ୍ୟଧାରାରେ ସାମିଲ କରିବା ଓ ସେମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଆମ ସମସ୍ତଙ୍କର ଦାୟିତ୍ୱ।



