ଭୁବନେଶ୍ୱର, ୦୧/୦୪/୨୦୨୬: ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ସାରା ରାଜ୍ୟରେ ଏକ ଆଧ୍ୟାତ୍ମିକ ଏବଂ ଦେଶାତ୍ମବୋଧକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଓଡ଼ିଶା ଗଠନର ମହାନାୟକ ତଥା ବରପୁତ୍ରମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ୧୯୩୬ ମସିହା ଏପ୍ରିଲ ପହିଲାର ସେହି ଐତିହାସିକ ସ୍ମୃତିକୁ ମନେ ପକାଇ ପ୍ରତ୍ୟେକ ଓଡ଼ିଆ ନିଜର ଭାଷା, ସଂସ୍କୃତି ଏବଂ ଅସ୍ମିତାକୁ ନେଇ ଗର୍ବ ପ୍ରକାଶ କରିଛନ୍ତି। ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଆଜିର ଦିନଟିକୁ ଓଡ଼ିଆ ସ୍ୱାଭିମାନର ପର୍ବ ଭାବେ ପାଳନ କରାଯାଇଥିବା ବେଳେ ବରପୁତ୍ରମାନଙ୍କ ଅତୁଳନୀୟ ତ୍ୟାଗ ଓ ସଂଗ୍ରାମକୁ ଶ୍ରଦ୍ଧାର ସହ ସ୍ମରଣ କରାଯାଇଛି।

ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସହରର ବିଭିନ୍ନ ପ୍ରାନ୍ତରେ ସ୍ଥାପିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ରାଜଭବନ ଛକସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ସମେତ ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀର ମୋହନ ସେନାପତି, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ଏବଂ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଭଳି ମହାନାୟକଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ସେମାନଙ୍କ ପବିତ୍ର ସ୍ମୃତିକୁ ନମନ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ ଯେ ଏହି ବରପୁତ୍ରମାନଙ୍କ ନିସ୍ୱାର୍ଥପର ସେବା ଓ ଦୂରଦୃଷ୍ଟି ଯୋଗୁଁ ହିଁ ଓଡ଼ିଶା ଭାଷା ଭିତ୍ତିରେ ଏକ ସ୍ୱତନ୍ତ୍ର ପରିଚୟ ପାଇପାରିଛି।

ସହରର କୋଣ ଅନୁକୋଣରେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରସାରିତ ହେଉଥିବା ଦେଶାତ୍ମବୋଧକ ସଙ୍ଗୀତ ଜନସାଧାରଣଙ୍କ ମନରେ ଏକ ନୂତନ ଜୋସ୍ ଓ ଉନ୍ମାଦନା ଭରି ଦେଇଥିଲା। ବିଶେଷ କରି “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତର ମୂର୍ଚ୍ଛନା ସାରା ପରିବେଶକୁ ଗରିମାମୟ କରିବା ସହ ଓଡ଼ିଆ ପ୍ରାଣକୁ ଆନ୍ଦୋଳିତ କରିଥିଲା। ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀ, ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା, ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ ଏବଂ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
ଉତ୍କଳ ଦିବସ କେବଳ ଏକ ପର୍ବ ନୁହେଁ, ବରଂ ଏହା ଆମ ଐତିହ୍ୟ ଓ ଏକତାର ଏକ ବଳିଷ୍ଠ ପ୍ରତୀକ ବୋଲି ଏହି ଅବସରରେ ଆଲୋଚନା କରାଯାଇଥିଲା। ବରପୁତ୍ରମାନଙ୍କ ପଦାଙ୍କ ଅନୁସରଣ କରି ଏକ ଶକ୍ତିଶାଳୀ, ବିକଶିତ ଏବଂ ସମୃଦ୍ଧ ଓଡ଼ିଶା ଗଢ଼ିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ଉଚିତ୍ ବୋଲି ବୁଦ୍ଧିଜୀବୀମାନେ ଆହ୍ୱାନ ଦେଇଥିଲେ। ଆଜିର ଏହି ଗୌରବମୟ ଦିନ ଓଡ଼ିଆ ଜାତିକୁ ନିଜର ଭାଷା ଓ କଳା ସଂସ୍କୃତିର ସୁରକ୍ଷା ପାଇଁ ସଦାସର୍ବଦା ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ ପାଇଥିଲା।



