Homeଆଂଚଳିକ ଖବରସିଜିମାଳି-କୁଟୁରମାଳି ସୁରକ୍ଷା ସମାବେଶ: କୁଟୁରମାଳି ଜନଶୁଣାଣି ବାତିଲ ଦାବି

ସିଜିମାଳି-କୁଟୁରମାଳି ସୁରକ୍ଷା ସମାବେଶ: କୁଟୁରମାଳି ଜନଶୁଣାଣି ବାତିଲ ଦାବି

ସିଜିମାଳିର ତିଜିରାଜା ପୂଜା ପର୍ବ ସମାପ୍ତ ହେବା ପରେ ସାଗବାରି ଗ୍ରାମ ନିକଟସ୍ଥ ପାହାଡ଼ ସତ୍ୟାଗ୍ରହ ସ୍ଥଳରେ ଏକ ବିଶାଳ ସୁରକ୍ଷା ସମାବେଶ ଅନୁଷ୍ଠିତ ହୋଇଯାଇଛି। ମା’ ମାଟି ମାଳି ସୁରକ୍ଷା ମଞ୍ଚର ସଭାପତି ସୁବାସ ସିଂ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସିଜିମାଳି ଓ କୁଟୁରମାଳି ଅଞ୍ଚଳର ଶହ ଶହ ଆଦିବାସୀ ସାମିଲ ହୋଇ ଖଣି ଖନନକୁ ତୀବ୍ର ବିରୋଧ କରିଛନ୍ତି। ବିଶେଷକରି କୁଟୁରମାଳିରେ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଥିବା ଜନଶୁଣାଣିକୁ ବାତିଲ କରିବା ପାଇଁ ଏହି ସମାବେଶରେ ମୁଖ୍ୟ ଦାବି ଉଠିଛି।

ଏହି ସମାବେଶରେ ଲୋକ ଶକ୍ତି ଅଭିଯାନର ରାଷ୍ଟ୍ରୀୟ ଆବାହକ ପ୍ରଫୁଲ୍ଲ ସାମନ୍ତରା ଯୋଗଦେଇ ପ୍ରଶାସନ ଓ କମ୍ପାନୀର ମଧୁଚନ୍ଦ୍ରିକାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ କମ୍ପାନୀ ସ୍ୱାର୍ଥରେ ପ୍ରଶାସନ ପକ୍ଷରୁ ଚାଲିଥିବା ଆତଙ୍କରାଜ ତୁରନ୍ତ ବନ୍ଦ ହେବା ଆବଶ୍ୟକ। ସରକାର ସିଜିମାଳି ଓ କୁଟୁରମାଳିରୁ ଖଣି ଲିଜ୍ ପ୍ରତ୍ୟାହାର କରିବା ସହ ସମଗ୍ର ରାଜ୍ୟରେ ବକ୍ସାଇଟ୍ ଖଣି ଖନନ ନିଷେଧ କରିବାକୁ ସେ ନିବେଦନ କରିଛନ୍ତି। ପୋଲିସ ଦମନ ଜରିଆରେ ଲୋକଙ୍କୁ ଭୟଭୀତ କରି ରଖାଯିବା ଏବଂ ମୂଳ ସ୍ଥାନରୁ ୪୦-୫୦ କିଲୋମିଟର ଦୂରରେ ଜନଶୁଣାଣି କରିବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଆଇନ ବିରୋଧୀ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ସେହିପରି ଜନ ଆନ୍ଦୋଳନ ନେତା ନରେନ୍ଦ୍ର ମହାନ୍ତି, ଡ଼ା ବିଶ୍ୱଜିତ୍ ଏବଂ ଆଫଳତୁନଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ଗତ ଏପ୍ରିଲ ୭ ତାରିଖରେ ପୋଲିସ ପକ୍ଷରୁ ହୋଇଥିବା ବର୍ବର ଆକ୍ରମଣକୁ ଘୋର ନିନ୍ଦା କରିଛନ୍ତି। ଏହି ଘଟଣା ପାଇଁ ଦାୟୀ ପୋଲିସ ଏସପି, ଜିଲ୍ଲାପାଳ ଓ କାଶୀପୁର ଥାନା ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ଏହି ଅବସରରେ ଜେଲରୁ ମୁକ୍ତ ହୋଇଥିବା ୯ ଜଣ ସଂଗ୍ରାମୀ ମହିଳାଙ୍କୁ ସମାବେଶରେ ସମ୍ମାନିତ କରାଯାଇଥିଲା। ଆଦାନୀ କମ୍ପାନୀ ସ୍ୱାର୍ଥରେ କରାଯାଉଥିବା ଜନଶୁଣାଣିକୁ ପ୍ରତ୍ୟାହାର କରିବା ପାଇଁ ସଭାରେ ଏକ ସଂକଳ୍ପ ଗୃହୀତ ହୋଇଛି। କଣ୍ଟାମାଳରେ ପୋଲିସ ଅତ୍ୟାଚାର ପରେ ସେଠାକୁ ଗସ୍ତ କରିଥିବା ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ଅନୁସନ୍ଧାନ ରିପୋର୍ଟ ସାର୍ବଜନୀନ କରିବାକୁ ମଧ୍ୟ ଏହି ମଞ୍ଚରୁ ଆହ୍ୱାନ ଦିଆଯାଇଛି। ମାଟିର ସୁରକ୍ଷା ପାଇଁ ଏହି ଲଢ଼େଇ ଆଗକୁ ଆହୁରି ଜୋରଦାର ହେବ ବୋଲି ସମାବେଶରେ ଉପସ୍ଥିତ ଜନତା ସଂକଳ୍ପ କରିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments