ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ହାତୀସରା ଲରିଆପଡ଼ା ଅଞ୍ଚଳର ଯୁବକ ରାହୁଲ ମାଝି କଟକ ଯାଉଥିବା କହି ଘରୁ ବାହାରିବା ପରେ ନିଖୋଜ ହୋଇଯାଇଛନ୍ତି। ବର୍ତ୍ତମାନ ତାଙ୍କର ମୋବାଇଲ୍ ଫୋନ ସୁଇଚ୍ ଅଫ୍ ରହିଛି। ଏହି ସମୟରେ ଏକ ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କୁ ନେଇ କିଛି ସମ୍ବେଦନଶୀଳ ପୋଷ୍ଟ ପ୍ରକାଶ ପାଇବା ପରେ ଘଟଣାଟି ଏକ ସାଧାରଣ ନିଖୋଜ ମାମଲାଠାରୁ ଅଧିକ ଜଟିଳ ରୂପ ଧାରଣ କରିଛି।
ତଦନ୍ତ ପ୍ରକ୍ରିୟା ମଧ୍ୟରେ ରାହୁଲଙ୍କ ମୋବାଇଲ୍ ଫୋନର ଲୋକେସନ କ୍ରମାଗତ ଭାବେ ବଦଳୁଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ଫୋନର ଲୋକେସନ କେତେବେଳେ ଛତିଶଗଡ଼ର ରାୟପୁର ତ ଆଉ କେତେବେଳେ ଆନ୍ଧ୍ରପ୍ରଦେଶ ଦେଖାଉଛି। ଏହା ସହିତ ତାଙ୍କର ନମ୍ବର ବ୍ୟବହାର କରି କେଉଁଠାରେ ଏକ ନୂତନ ଗ୍ୟାସ କନେକ୍ସନ ନିଆଯାଇଥିବା ଭଳି କିଛି ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି, ଯାହା ପରିବାର ଲୋକଙ୍କ ଚିନ୍ତାକୁ ଦ୍ଵିଗୁଣିତ କରିଛି।
ଘଟଣାକୁ ଅଧିକ ସମ୍ବେଦନଶୀଳ କରିଛି ଇନ୍ଷ୍ଟାଗ୍ରାମ୍ର ଏକ ଅଜଣା ପ୍ରୋଫାଇଲରୁ ସେୟାର କରାଯାଇଥିବା କିଛି ପୋଷ୍ଟ। ଜଣେ ଅଜଣା ଯୁବତୀଙ୍କ ଆକାଉଣ୍ଟରୁ ଶବାଗାର ଏବଂ ଧଳା କପଡ଼ା ଆଚ୍ଛାଦିତ ହୋଇଥିବା ମୃତଦେହର ଫଟୋ ସହିତ ରାହୁଲଙ୍କ ଫଟୋକୁ ସଂଯୋଗ କରି “ଫେରିଆସ ବାବୁ” ଓ “ଆତ୍ମାକୁ ଶାନ୍ତି ମିଳୁ” ଭଳି ଲେଖା ପୋଷ୍ଟ କରାଯାଇଛି। ସୋସିଆଲ ମିଡିଆରେ ଏଭଳି ଗୁଜବ ଓ ଭୟାନକ ଫଟୋ ପ୍ରସାରଣ ଯୋଗୁଁ ରାହୁଲଙ୍କ ପରିବାର ଗଭୀର ମାନସିକ ସ୍ତରରେ ଭାଙ୍ଗି ପଡ଼ିଛନ୍ତି।
ଏଭଳି ଏକ ଗୁରୁତର ପରିସ୍ଥିତିରେ ଜଣେ ସାଧାରଣ ଗ୍ରାମୀଣ ଅଞ୍ଚଳର ଅସହାୟ ଯୁବକଙ୍କ ନିଖୋଜ ମାମଲାକୁ ନେଇ ସ୍ଥାନୀୟ ପ୍ରଶାସନ ଉପରେ ଚାପ ବଢ଼ିବାରେ ଲାଗିଛି। ପରିବାର ଲୋକେ ମା ବାପା ଛେଉଣ୍ଡ ପୁଅ ରାହୁଲଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଚାତକ ଭଳି ଚାହିଁ ରହିଥିବା ବେଳେ, ଏହି ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ଅଧିକ ଦ୍ରୁତ ଏବଂ ପ୍ରଭାବଶାଳୀ କରିବା ପାଇଁ ସାଧାରଣରେ ଦାବି ଉଠିଛି।
ତେଣୁ ସ୍ଥାନୀୟ ପୁଲିସ ଏବଂ ସାଇବର ସେଲ୍ ତୁରନ୍ତ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଆବଶ୍ୟକ ହୋଇପଡ଼ିଛି। ରାହୁଲଙ୍କ କଲ୍ ଡିଟେଲ୍ସ, ସାଇବର ଟ୍ରାକିଂ ଏବଂ ସମ୍ପୃକ୍ତ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟର ତଥ୍ୟ ଯାଞ୍ଚ କରି ସେ ଜୀବିତ ଅଛନ୍ତି କି ନାହିଁ ଏବଂ ତାଙ୍କର ପ୍ରକୃତ ସ୍ଥିତି କଣ, ସେହି ସତ୍ୟ ସାମ୍ନାକୁ ଆଣିବା ପାଇଁ ପରିବାର ଲୋକେ ଓ ଗ୍ରାମବାସୀ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି।



