ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ସ୍ତରର ଦକ୍ଷତା ପ୍ରତିଯୋଗିତା ‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’ରେ ଓଡ଼ିଶା ଚମତ୍କାର ପ୍ରଦର୍ଶନ କରି ଦେଶରେ ଶୀର୍ଷ ସ୍ଥାନ ଅଧିକାର କରିଛି। ଏହି ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଭାମାନେ ସମୁଦାୟ ୫୭ଟି ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏଥିମଧ୍ୟରେ ୨୩ଟି ସ୍ୱର୍ଣ୍ଣ, ୧୮ଟି ରୌପ୍ୟ ଏବଂ ୧୬ଟି କାଂସ୍ୟ ପଦକ ଅନ୍ତର୍ଭୁକ୍ତ। ଓଡ଼ିଶାର ଏହି ଅସାଧାରଣ ସଫଳତା ରାଜ୍ୟର ଦକ୍ଷତା ବିକାଶ କ୍ଷେତ୍ରରେ ଚାଲିଥିବା ନିରନ୍ତର ପ୍ରୟାସ ଏବଂ ‘ସ୍କିଲ୍ଡ ଇନ୍ ଓଡ଼ିଶା’ ଅଭିଯାନର ସଫଳତାକୁ ପ୍ରତିପାଦିତ କରୁଛି। ଉଦଯାପନୀ ସମାରୋହରେ ବିଜୟୀ ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ଟ୍ରଫି ପ୍ରଦାନ କରାଯାଇଛି।
ଏହି ପ୍ରତିଯୋଗିତାରେ ବିଭିନ୍ନ ବିଭାଗ ଯଥା ମୋବାଇଲ ରୋବୋଟିକ୍ସ, ଆଇଟି ସଲ୍ୟୁସନ, ୱେବ୍ ଟେକ୍ନୋଲୋଜି ଏବଂ ଗ୍ରାଫିକ୍ସ ଡିଜାଇନ ଭଳି ଅନେକ କ୍ଷେତ୍ରରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ନିଜର ପାରଦର୍ଶିତା ଦେଖାଇଛନ୍ତି। ଓଡ଼ିଶା ପଛକୁ କର୍ଣ୍ଣାଟକ ଦ୍ୱିତୀୟ ସ୍ଥାନରେ ଏବଂ ମହାରାଷ୍ଟ୍ର ତୃତୀୟ ସ୍ଥାନରେ ରହିଛନ୍ତି। ଓଡ଼ିଶାର ଏହି ବିଜୟୀ ପ୍ରତିଭାମାନେ ଏବେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଦକ୍ଷତା ପ୍ରତିଯୋଗିତା ବା ‘ୱାର୍ଲ୍ଡ ସ୍କିଲ୍ସ’ରେ ଭାରତର ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇବେ। ସେମାନଙ୍କୁ ଆନ୍ତର୍ଜାତୀୟ ସ୍ତରର ପ୍ରଶିକ୍ଷଣ ଦିଆଯିବ ଯାହାଦ୍ୱାରା ସେମାନେ ବିଶ୍ୱ ଦରବାରରେ ଓଡ଼ିଶା ତଥା ଦେଶର ନାମ ରଖିପାରିବେ।
ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହି ସଫଳତା ପାଇଁ ସମସ୍ତ ପ୍ରତିଯୋଗୀ ଓ ପ୍ରଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଯାଇଛି। ଓଡ଼ିଶା ସରକାର ଦକ୍ଷତା ବିକାଶକୁ ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି ଏବଂ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇ ଦେଉଛନ୍ତି। ଏହି ସଫଳତା ଯୁବପିଢ଼ିଙ୍କ ମଧ୍ୟରେ ଏକ ନୂଆ ଉତ୍ସାହ ସୃଷ୍ଟି କରିଛି। ଆଗାମୀ ଦିନରେ ଓଡ଼ିଶା ଦକ୍ଷତା ବିକାଶର ପେଣ୍ଠସ୍ଥଳୀ ପାଲଟିବ ଏବଂ ଏହି ସଫଳତା ରାଜ୍ୟର ଅର୍ଥନୈତିକ ତଥା ସାମାଜିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।



