ଭୁବନେଶ୍ୱର, ନଭେମ୍ବର ୧୧, ୨୦୨୬: ସହରାଞ୍ଚଳ ସ୍ୱଚ୍ଛତା, ପରିମଳ ବ୍ୟବସ୍ଥା ଏବଂ ବର୍ଜ୍ୟବସ୍ତୁର ସୁସ୍ଥାୟୀ ପରିଚାଳନା କ୍ଷେତ୍ରରେ ନିରନ୍ତର ଉଦ୍ୟମ ପାଇଁ ଓଡ଼ିଶାକୁ ଜାତୀୟ ସ୍ତରରେ ବିଶେଷ ସମ୍ମାନ ମିଳିଛି। ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫-୨୬ରେ ରାଜ୍ୟକୁ ଏହି ଗୌରବମୟ ସ୍ୱୀକୃତି ପ୍ରଦାନ କରାଯାଇଛି। ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ କରକମଳରୁ ରାଜ୍ୟ ସରକାରଙ୍କ ପକ୍ଷରୁ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଚଳିତ ବର୍ଷର ପୁରସ୍କାରରେ ଓଡ଼ିଶାର ତିନୋଟି ସହର ଜାତୀୟ ମାନଚିତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସ୍ୱଚ୍ଛ ଉପକୂଳ ସହର ବର୍ଗରେ ପୁରୀ ଦେଶର ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ, ଭୁବନେଶ୍ୱରକୁ ଓଡ଼ିଶାର ପ୍ରଥମ ରାଜ୍ୟସ୍ତରୀୟ ସ୍ୱଚ୍ଛ ସହର ଭାବେ ଘୋଷଣା କରାଯାଇଛି। ସେହିପରି ୨୦ ହଜାରରୁ ୫୦ ହଜାର ଜନସଂଖ୍ୟା ବର୍ଗର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ମଧ୍ୟରେ ଆସିକା ପୌରପାଳିକା ଦ୍ୱିତୀୟ ସ୍ଥାନ ହାସଲ କରିଛି। ଏହି ଉପଲବ୍ଧି ରାଜ୍ୟର ସହରାଞ୍ଚଳଗୁଡ଼ିକରେ ଉନ୍ନତ ପରିମଳ ସେବା, ଦକ୍ଷ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଜନସାଧାରଣଙ୍କ ସ୍ୱতঃସ୍ଫୂର୍ତ୍ତ ସହଭାଗିତାକୁ ପ୍ରତିପାଦିତ କରୁଛି।
ଏହି ଜାତୀୟ ସ୍ୱୀକୃତି ଓଡ଼ିଶାକୁ ଏକ ସ୍ୱଚ୍ଛ, ନିର୍ମଳ ଓ ବାସଯୋଗ୍ୟ ରାଜ୍ୟ ଭାବେ ଗଢ଼ି ତୋଳିବାର ଅଭିଯାନରେ ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ। ରାଜ୍ୟ ସରକାର, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ସଫେଇ କର୍ମଚାରୀ ଏବଂ ନାଗରିକମାନଙ୍କ ମିଳିତ ପ୍ରୟାସକୁ ଏହା ସମ୍ମାନିତ କରିଛି। ସ୍ୱଚ୍ଛତାକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ସହ ନାଗରିକ ଦାୟିତ୍ୱବୋଧ ବୃଦ୍ଧି କରିବାରେ ଏହି ପଦକ୍ଷେପ ସହାୟକ ହୋଇଛି।

ସ୍ୱଚ୍ଛ ଭାରତ ମିଶନ୍-ସହରାଞ୍ଚଳ ଅଧୀନରେ ଅନୁଷ୍ଠିତ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫-୨୬ ହେଉଛି ବିଶ୍ୱର ସର୍ବବୃହତ୍ ସହରାଞ୍ଚଳ ସ୍ୱଚ୍ଛତା ମୂଲ୍ୟାୟନର ଦଶମ ସଂସ୍କରଣ। ଚଳିତ ବର୍ଷର ବିଷୟବସ୍ତୁ ‘ସ୍ୱଚ୍ଛତା କି ନୟୀ ପହେଲ୍ – ବଢ଼ାଏଁ ହାଥ, କରେଁ ସଫାଇ ସାଥ୍’ ମାଧ୍ୟମରେ ଜନଭାଗୀଦାରୀ, ଅନୁଷ୍ଠାନିକ ଉତ୍ତରଦାୟିତ୍ୱ ଏବଂ ସହରଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ଜରିଆରେ ଗତ ଦଶ ବର୍ଷ ଧରି ସହରାଞ୍ଚଳ ପରିମଳ ବ୍ୟବସ୍ଥାରେ ହୋଇଥିବା ବ୍ୟାପକ ପରିବର୍ତ୍ତନକୁ ପାଳନ କରାଯାଇଛି।
ନୂଆଦିଲ୍ଲୀଠାରେ ଆୟୋଜିତ ଏହି ସମାରୋହରେ ମନ୍ତ୍ରୀ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହିତ ସ୍ୱତନ୍ତ୍ର ଶାସନ ସଚିବ ତଥା ସ୍ୱଚ୍ଛ ଭାରତ ମିଶନ୍ (ସହରାଞ୍ଚଳ)ର ମିଶନ ନିର୍ଦ୍ଦେଶକ ଶ୍ରୀ ବିନୟ କୁମାର ଦାଶ, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ଭୁବନେଶ୍ୱର ମହାନଗର ନିଗମର କମିଶନର, ପୁରୀ ମହାନଗର ନିଗମର ପ୍ରତିନିଧି ଏବଂ ଆସିକା ପୌରପାଳିକାର ଅଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ। ଏହି ଜାତୀୟ ସମ୍ମାନ ଆଗାମୀ ଦିନରେ ରାଜ୍ୟର ସମସ୍ତ ସହରରେ ପରିମଳ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ସ୍ୱଚ୍ଛ ଓ ସମାବେଶୀ ସହର ଗଠନର ଲକ୍ଷ୍ୟକୁ ଆଗକୁ ନେବାରେ ନୂଆ ଶକ୍ତି ଯୋଗାଇବ।



