ନୂଆଦିଲ୍ଲୀ: ଯଦି ଦେଶର ପ୍ରତ୍ୟେକ ନାଗରିକ ସାମ୍ବାଦିକ ପାଲଟିଯାଆନ୍ତି, ତେବେ ଏହା ସମସ୍ତଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି ସୁପ୍ରିମକୋର୍ଟ ଗୁରୁବାର ଦିନ ସ୍ପଷ୍ଟ କରିଛନ୍ତି। ସ୍ୱାଧୀନ ସାମ୍ବାଦିକ, ଫ୍ରିଲାନ୍ସର୍ ଏବଂ ସୋସିଆଲ ମିଡିଆରେ ରିଲ୍ସ ତିଆରି କରୁଥିବା ବ୍ୟକ୍ତିମାନଙ୍କର ଅଭିବ୍ୟକ୍ତିର ସ୍ୱାଧୀନତା ଅଧିକାରକୁ ସୁରକ୍ଷା ଦେବା ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଏହି ମତପ୍ରକାଶ କରିଛନ୍ତି। ବିଭିନ୍ନ ବିକ୍ଷୋଭ ସ୍ଥଳରେ ପଞ୍ଜୀକୃତ ଗଣମାଧ୍ୟମର ସାମ୍ବାଦିକଙ୍କ ବ୍ୟତୀତ ବହୁ ସଂଖ୍ୟାରେ ଏଭଳି ସ୍ୱାଧୀନ କର୍ମୀମାନେ ମଧ୍ୟ ପହଞ୍ଚିଥା’ନ୍ତି।
ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୈସିଂ କୋର୍ଟରେ ଅଭିଯୋଗ କରିଥିଲେ ଯେ ଦିଲ୍ଲୀ ପୋଲିସ ବିକ୍ଷୋଭ କଭର୍ କରୁଥିବା ସ୍ୱାଧୀନ ସାମ୍ବାଦିକମାନଙ୍କୁ ଚିହ୍ନିବାକୁ ମନା କରୁଛି ଏବଂ କେବଳ ପିଆଇବି ସ୍ୱୀକୃତିକୁ ବାଧ୍ୟତାମୂଳକ କରୁଛି। ତେଣୁ ନିଯୁକ୍ତିଦାତାଙ୍କ ପରିଚୟ ପତ୍ର ଥିବା ସମସ୍ତ ସାମ୍ବାଦିକଙ୍କୁ ପୋଲିସ ଯେପରି ବାଧା ନ ଦିଏ, ସେଥିପାଇଁ ଏକ ଜାତୀୟ ପ୍ରୋଟୋକଲ୍ ରହିବା ଆବଶ୍ୟକ ବୋଲି ସେ ଯୁକ୍ତି ବାଢ଼ିଥିଲେ।
ତେବେ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଳ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ପ୍ରସଙ୍ଗରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟ ବିଚାରପତି କହିଛନ୍ତି ଯେ, “ଆମକୁ ଗୋଟିଏ କଥା ମନରେ ରଖିବାକୁ ପଡ଼ିବ ଯେ ଯଦି ପ୍ରତ୍ୟେକ ବ୍ୟକ୍ତି ସାମ୍ବାଦିକ ସାଜିବେ, ତେବେ ଏହା ଅନ୍ୟ ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ।” ସେହିପରି ବିଚାରପତି ଜୟମାଳ୍ୟ ବାଗଚୀ ମତ ଦେଇଛନ୍ତି ଯେ, ସମ୍ବିଧାନ ପ୍ରଦତ୍ତ ଅଭିବ୍ୟକ୍ତିର ସ୍ୱାଧୀନତା ଅଧିକାର ବଳରେ ଦେଶର ପ୍ରତ୍ୟେକ ନାଗରିକ ସାମ୍ବାଦିକ ହେବାକୁ ଅଧିକାର ପାଇଛନ୍ତି କି ନାହିଁ, ତାହା ଏକ ଗଭୀର ପରୀକ୍ଷାପ୍ରଦ ବିଷୟ ଏବଂ ଏହା ନିଶ୍ଚିତ ଭାବରେ କଷ୍ଟକର। ପଞ୍ଜୀକୃତ ଗଣମାଧ୍ୟମର ସାମ୍ବାଦିକ, ସ୍ୱାଧୀନ ସାମ୍ବାଦିକ, ପ୍ରଭାବଶାଳୀ ବ୍ୟକ୍ତି କିମ୍ବା ରିଲ୍ ତିଆରି କରୁଥିବା ବ୍ୟକ୍ତିମାନଙ୍କ ପାଇଁ ସୁରକ୍ଷାର ବିଭିନ୍ନ ସ୍ତର ରହିଛି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ଦର୍ଶାଇଛନ୍ତି ଯେ, ବର୍ତ୍ତମାନର ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଯୁଗରେ ମୋବାଇଲ୍ ଫୋନ୍ ଧରିଥିବା ଯେକୌଣସି ବ୍ୟକ୍ତି ନିଜକୁ ସ୍ୱାଧୀନ ସାମ୍ବାଦିକ ବୋଲି ଦାବି କରିପାରୁଛନ୍ତି। ବାସ୍ତବରେ ସେମାନେ କେବଳ ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରି ଅର୍ଥ ରୋଜଗାର କରିବା ପାଇଁ ଏକପାଖିଆ ଖବର ପରିବେଷଣ କରୁଛନ୍ତି କିମ୍ବା ଘଟଣାଗୁଡ଼ିକୁ ଅତିରଞ୍ଜିତ କରୁଛନ୍ତି। ତେବେ ମହିଳା ସାମ୍ବାଦିକମାନଙ୍କୁ ଯେପରି ହଇରାଣ କରା ନ ଯାଏ, ସେହିପରି ସମାନ ସୁରକ୍ଷା ମହିଳା ପୋଲିସ କର୍ମଚାରୀମାନଙ୍କୁ ମଧ୍ୟ ମିଳିବା ଉଚିତ ବୋଲି ସେ ମତ ଦେଇଛନ୍ତି।



