ଲଦାଖର ପ୍ରତିଷ୍ଠିତ ପରିବେଶ କର୍ମୀ ତଥା ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କୁ ଜେଲରୁ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଶନିବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତାଙ୍କ ବିରୋଧରେ ଲାଗିଥିବା ଜାତୀୟ ସୁରକ୍ଷା ଆଇନ କଟକଣାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିଷ୍ପତ୍ତି ପରେ ୱାଙ୍ଗଚୁକଙ୍କୁ ରାଜସ୍ଥାନର ଯୋଧପୁର କେନ୍ଦ୍ରୀୟ କାରାଗାରରୁ ମୁକ୍ତ କରାଯାଇଛି। ସେ ପ୍ରାୟ ଛଅ ମାସ ଧରି ଅଟକ ରହିବା ପରେ ବାହାରକୁ ଆସିଛନ୍ତି।
ଗତ ବର୍ଷ ସେପ୍ଟେମ୍ବର ୨୬ ତାରିଖରେ ଲଦାଖକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଏବଂ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ସାମିଲ କରିବା ଦାବିରେ ଚାଲିଥିବା ଆନ୍ଦୋଳନ ସମୟରେ ତାଙ୍କୁ ଗିରଫ କରାଯାଇଥିଲା। ଲେହ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକ୍ରମେ ସାଧାରଣ ଶାନ୍ତି ବଜାୟ ରଖିବା ପାଇଁ ତାଙ୍କୁ NSA ଅଧୀନରେ ପ୍ରତିଷେଧକ ମୂଳକ ଭାବେ ଅଟକ ରଖାଯାଇଥିଲା। ସରକାରଙ୍କ ଯୁକ୍ତି ଥିଲା ଯେ ୱାଙ୍ଗଚୁକଙ୍କ କିଛି ମନ୍ତବ୍ୟ ଯୁବପିଢ଼ିଙ୍କୁ ଉତ୍ସାହିତ କରୁଛି, ଯାହା ସୀମାନ୍ତ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିପାରେ।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଲଦାଖର ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ସମ୍ମାନ ଜଣାଇବା ସହ ସେଠାରେ ଏକ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ସେଠାରେ ଚାଲିଥିବା ବନ୍ଦ ଓ ବିକ୍ଷୋଭ ଯୋଗୁଁ ସ୍ଥାନୀୟ ଅର୍ଥନୀତି, ପର୍ଯ୍ୟଟନ ଏବଂ ଶିକ୍ଷା କ୍ଷେତ୍ର ପ୍ରଭାବିତ ହେଉଥିଲା। ତେଣୁ ସମସ୍ତ ପକ୍ଷଙ୍କ ସହ ଏକ ସୁସ୍ଥ ଆଲୋଚନା ପାଇଁ ପଥ ପ୍ରଶସ୍ତ କରିବାକୁ ୱାଙ୍ଗଚୁକଙ୍କ ଉପରୁ କଟକଣା ହଟାଯାଇଛି।
ସୋନମ ୱାଙ୍ଗଚୁକଙ୍କ ମୁକ୍ତି ପଛରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ତାଙ୍କ ପତ୍ନୀ ଗୀତାଞ୍ଜଳି ଅଙ୍ଗମୋ ଏହି ଗିରଫଦାରୀକୁ ଚ୍ୟାଲେଞ୍ଜ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନିକଟରେ ଶୁଣାଣି ବେଳେ କୋର୍ଟ ୱାଙ୍ଗଚୁକଙ୍କ ଖରାପ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଏବଂ ତାଙ୍କୁ ମୁକ୍ତ କରିବା ଦିଗରେ ପୁନର୍ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ କହିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୭ ତାରିଖରେ ହେବାକୁ ଥିବାବେଳେ ସରକାର ସ୍ୱଇଚ୍ଛାରେ ଏହି କଟକଣା ପ୍ରତ୍ୟାହାର କରି ନେଇଛନ୍ତି।



