ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଆସନ୍ତା ଏପ୍ରିଲ ୧ ତାରିଖରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ ବାହାରେ କାମ କରିବା ପାଇଁ ବାରଣ କରାଯାଇଛି। ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅଂଶୁଘାତରୁ ଶ୍ରମିକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।
ଏହି ନିର୍ଦ୍ଦେଶନାମା ସମସ୍ତ ସରକାରୀ, କେନ୍ଦ୍ର ସରକାରୀ କାର୍ଯ୍ୟାଳୟ, ବେସରକାରୀ ସଂସ୍ଥା, ଶିଳ୍ପାନୁଷ୍ଠାନ ଏବଂ ଠିକାଦାରଙ୍କ ପାଇଁ ଲାଗୁ ହେବ। କାର୍ଯ୍ୟ ସମୟକୁ ପରିବର୍ତ୍ତନ କରି ଶ୍ରମିକମାନଙ୍କୁ ଖରା ସମୟରେ ବିଶ୍ରାମ ଦେବାକୁ ପରାମର୍ଶ ଦିଆଯାଇଛି। ଜରୁରୀକାଳୀନ କାର୍ଯ୍ୟ କ୍ଷେତ୍ରରେ ଯଦି କାମ ବନ୍ଦ କରିବା ସମ୍ଭବ ନୁହେଁ, ତେବେ ଶ୍ରମିକମାନଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥଳ ଏବଂ ଓଆରଏସ ପ୍ୟାକେଟ ଭଳି ଆବଶ୍ୟକୀୟ ସୁବିଧା ଯୋଗାଇ ଦେବାକୁ ବାଧ୍ୟତାମୂଳକ କରାଯାଇଛି।
ଏଥିସହିତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ସତର୍କ ରହିବାକୁ କୁହାଯାଇଛି। ଅଂଶୁଘାତ ଜନିତ ସମସ୍ୟାର ସମାଧାନ ପାଇଁ ଡାକ୍ତରଖାନାଗୁଡ଼ିକରେ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ଏହି ସତର୍କତା ମୂଳକ ପଦକ୍ଷେପ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଗୁରୁତ୍ୱ ଦେଇ ପ୍ରଣୟନ କରାଯାଇଛି।



