ଭୁବନେଶ୍ୱର, ୨ ଅକ୍ଟୋବର ୨୦୨୬: ପବିତ୍ର ଗାନ୍ଧୀ ଜୟନ୍ତୀ ତଥା ଅନ୍ତର୍ଜାତୀୟ ଅହିଂସା ଦିବସର ଶୁଭ ଅବସରରେ କାନାଡାରେ ରହୁଥିବା ପ୍ରବାସୀ ଓଡ଼ିଆ ଲେଖକ, ବରିଷ୍ଠ ସାମ୍ବାଦିକ ଏବଂ ଅନ୍ତର୍ଜାତୀୟ ନୀତି ବିଶେଷଜ୍ଞ ସତ୍ୟ ବ୍ରତ ଦାସଙ୍କ ବହୁପ୍ରତୀକ୍ଷିତ ପୁସ୍ତକ ‘ଦ ମାନିଫେଷ୍ଟୋ ଅଫ୍ ହୋପ୍’ ବିଶ୍ୱବ୍ୟାପୀ ପ୍ରକାଶିତ ହୋଇଯାଇଛି।
କାନାଡାର ପ୍ରସିଦ୍ଧ ‘ବାର୍ଲୋ ବୁକ୍ସ’ ପବ୍ଲିଶିଂ ହାଉସ୍ ପକ୍ଷରୁ ପ୍ରକାଶିତ ଏହି ଗ୍ରନ୍ଥଟିରେ ସାମ୍ପ୍ରତିକ ବିଶ୍ୱର ଜଟିଳ ସମସ୍ୟା ଯଥା—ଜଳବାୟୁ ପରିବର୍ତ୍ତନ, ସାମାଜିକ ଅସମାନତା, ବିଭିନ୍ନ ସଂଘର୍ଷ ଏବଂ ଅସ୍ଥିରତାର ସ୍ଥାୟୀ ମୁକାବିଲା ପାଇଁ ସାଧାରଣ ନାଗରିକଙ୍କ ସକ୍ରିୟ ଭୂମିକା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ନିଜର ଦୀର୍ଘବର୍ଷର ସାମ୍ବାଦିକତା ଓ ଅନ୍ତର୍ଜାତୀୟ ନୀତି ସମ୍ପର୍କିତ ଅଭିଜ୍ଞତାକୁ ପାଥେୟ କରି ଲେଖକ ସତ୍ୟ ବ୍ରତ ଦାସ ଏକ ସହନଶୀଳ, ସମତାପୂର୍ଣ୍ଣ ଏବଂ ସ୍ଥାୟୀ ଭବିଷ୍ୟତ ଗଠନର ଦିଗଦର୍ଶନ ଦେଇଛନ୍ତି। କେବଳ ‘ନେଟ୍ ଜିରୋ’ ଲକ୍ଷ୍ୟ ଭିତରେ ସୀମିତ ନରହି ‘ପ୍ଲାନେଟ୍ ପଜିଟିଭ୍’ ସମାଜ ଗଠନ ପାଇଁ ସେ ଏଥିରେ ‘ଆଡପ୍ଟେସନ୍, ରେଜିଲିଏନ୍ସ ଏବଂ ମିଟିଗେସନ୍’ ଫ୍ରେମୱାର୍କ ପ୍ରସ୍ତାବିତ କରିଛନ୍ତି। କାନାଡାର ଏଡମଣ୍ଟନ୍ରେ ରହୁଥିବା ଶ୍ରୀ ଦାସ ନିଜର ଏହି ପୁସ୍ତକରେ ଓଡ଼ିଶାର ଜୀବନ୍ତ ଅନୁଭୂତିକୁ ବିଶ୍ୱ ସମ୍ମୁଖରେ ସୁନ୍ଦର ଭାବେ ଉପସ୍ଥାପିତ କରିଛନ୍ତି।
ପୁସ୍ତକର ମୂଳ ଉଦ୍ଦେଶ୍ୟ ସମ୍ପର୍କରେ ଲେଖକ ସତ୍ୟ ବ୍ରତ ଦାସ ପ୍ରକାଶ କରିଛନ୍ତି ଯେ, ଏକ ସ୍ଥାୟୀ ଓ ସମାବେଶୀ ଭବିଷ୍ୟତ ପାଇଁ ‘ଦ ମାନିଫେଷ୍ଟୋ ଅଫ୍ ହୋପ୍’ ସମସ୍ତଙ୍କ ପାଇଁ ଏକ ପ୍ରେରଣାଦାୟୀ ଗ୍ରନ୍ଥ ସାବ୍ୟସ୍ତ ହେବ। ସାମୂହିକ ଦାୟିତ୍ୱବୋଧ ଏବଂ ନାଗରିକ ନେତୃତ୍ୱ ମାଧ୍ୟମରେ ସଙ୍କଟରୁ ସହନଶୀଳତା ଆଡ଼କୁ ଗତି କରିବାର ସ୍ପଷ୍ଟ ବାର୍ତ୍ତା ଏଥିରେ ଦିଆଯାଇଛି।
ଏହି ଆନ୍ତର୍ଜାତିକ ଲୋକାର୍ପଣ ଅବସରରେ କାନାଡାର ବିଭିନ୍ନ ସହରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ଗତ ଅକ୍ଟୋବର ୧ ତାରିଖରେ ଏଡମଣ୍ଟନ୍ରେ ପୁସ୍ତକକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିବା ବେଳେ ଅକ୍ଟୋବର ୨ରେ ‘ଏ ଟେଷ୍ଟ ଅଫ୍ ହୋପ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାସହ ଆସନ୍ତା ଅକ୍ଟୋବର ୧୩ ତାରିଖରେ ଓଟାୱାସ୍ଥିତ ‘କାନାଡିଆନ୍ ୱାର ମ୍ୟୁଜିୟମ’ଠାରେ ଏହାର ଜାତୀୟସ୍ତରୀୟ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହେବ। ଏହି ଭବ୍ୟ ସମାରୋହରେ କାନାଡାରେ ଅବସ୍ଥାପିତ ଭାରତର ହାଇକମିଶନର ଡକ୍ଟର ଦୀନେଶ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ କୂଟନୀତିଜ୍ଞ ଓ ବୁଦ୍ଧିଜୀବୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପୁସ୍ତକଟି ବର୍ତ୍ତମାନ ହାର୍ଡକଭର୍, ଇ-ବୁକ୍ ଏବଂ ଆମାଜନ କିଣ୍ଡଲ୍ରେ ବିଶ୍ୱବ୍ୟାପୀ ଉପଲବ୍ଧ ହୋଇସାରିଥିବା ବେଳେ ଭାରତୀୟ ବଜାରରେ ଏହାର ହାର୍ଡକଭର୍ ସଂସ୍କରଣ ଖୁବଶୀଘ୍ର ମିଳିବ।



