ଭୁବନେଶ୍ୱର, ୩ ଅକ୍ଟୋବର, ୨୦୨୬: ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବ୍ୟାପକ ପ୍ରସାର ଏବଂ ବିଶ୍ୱସ୍ତରୀୟ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଫିକି (FICCI)ର ଯୁଗ୍ମ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ମେ’ଫେୟାର ସାଙ୍କଚୁଆରୀରେ ୭ମ ଓଡ଼ିଶା ଟ୍ରାଭେଲ୍ ବଜାର (ଓଟିବି) ୨୦୨୬ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ପ୍ରମୁଖ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଛନ୍ତି। ଏହି ସମ୍ମିଳନୀରେ ଦେଶ ଓ ବିଦେଶର ବହୁ ପର୍ଯ୍ୟଟନ ବ୍ୟବସାୟୀ, ଆତିଥ୍ୟ ଶିଳ୍ପର ନିବେଶକ, ଅନ୍ତର୍ଜାତୀୟ କ୍ରେତା ଏବଂ ଟୁର୍ ଅପରେଟର ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି। ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ପ୍ରାକୃତିକ ଓ ସାଂସ୍କୃତିକ ବିଭବକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହ ନୂତନ ବ୍ୟବସାୟିକ ସହଭାଗିତା ଏବଂ ନିବେଶର ବାତାବରଣ ତିଆରି କରିବା। ଏହି ୩ ଦିନ ମଧ୍ୟରେ ବି୨ବି, ବି୨ଜି ଏବଂ ପ୍ରତ୍ୟକ୍ଷ କ୍ରେତା-ବିକ୍ରେତା ଆଲୋଚନା ସର୍ବାଧିକ ଗୁରୁତ୍ୱ ପାଉଛି।
ଉଦ୍ଘାଟନୀ ସମାରୋହରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ଭାରତର ପର୍ଯ୍ୟଟନ ମାନଚିତ୍ରରେ ଏକ ଶୀର୍ଷ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ ସରକାର ବଦ୍ଧପରିକର ବୋଲି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶା ଏବେ ପାରମ୍ପରିକ ପର୍ଯ୍ୟଟନରୁ ଆଗକୁ ବଢ଼ି ନିବେଶକ-ଅନୁକୂଳ ତଥା ଅନ୍ତର୍ଜାତୀୟ ମାନର ପର୍ଯ୍ୟଟନ ଭିତ୍ତିଭୂମି ନିର୍ମାଣ କରୁଛି। ଓଡ଼ିଶାର ସମୃଦ୍ଧ ଐତିହ୍ୟ, ମନୋରମ ସମୁଦ୍ରକୂଳ, ଜଙ୍ଗଲ, ଆଦିବାସୀ ସଂସ୍କୃତି ଏବଂ ଭିତରକନିକା ଓ ଚିଲିକା ଭଳି ଅନନ୍ୟ ଜୈବବିବିଧତା ସ୍ଥଳଗୁଡ଼ିକ ପର୍ଯ୍ୟଟକଙ୍କ ପାଇଁ ଏକ ଅବିସ୍ମରଣୀୟ ଅନୁଭୂତି ସୃଷ୍ଟି କରିଥାଏ।
ରାଜ୍ୟର ‘ବିକଶିତ ଓଡ଼ିଶା ଭିଜନ ୨୦୩୬-୨୦୪୭’ର ପ୍ରମୁଖ ଆଧାର ଭାବେ ପର୍ଯ୍ୟଟନ କ୍ଷେତ୍ରକୁ ଗ୍ରହଣ କରାଯାଇଛି, ଯାହା ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତି ସୁଯୋଗ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏଥିପାଇଁ ୧୫ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳକୁ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ଗଢ଼ିତୋଳିବାକୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି। ଓଡ଼ିଶା ପର୍ଯ୍ୟଟନ (ସଂଶୋଧନ) ନୀତି ୨୦୨୬ ମାଧ୍ୟମରେ ତାରକା ହୋଟେଲ ପାଇଁ ସର୍ବନିମ୍ନ କୋଠରୀ ସଂଖ୍ୟା ୫୦ରୁ ୧୦କୁ ହ୍ରାସ କରାଯାଇଛି, ଯାହାଦ୍ୱାରା କ୍ଷୁଦ୍ର ଓ ସ୍ୱତନ୍ତ୍ର ହୋଟେଲ ପ୍ରକଳ୍ପ ସହଜରେ ସରକାରୀ ପ୍ରୋତ୍ସାହନ ପାଇପାରିବେ।
ଏହି ସଂଶୋଧିତ ନୀତି ଅନୁଯାୟୀ, ପୁଞ୍ଜି ରିହାତିର ସର୍ବୋଚ୍ଚ ସୀମା ୧୨୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ସଂଗ୍ରହାଳୟ ଓ ଐତିହ୍ୟ ସମ୍ପତ୍ତି ପାଇଁ ୪୦% ସବସିଡି ଏବଂ ଇଲେକ୍ଟ୍ରିକ୍ ଡଙ୍ଗା, ଇଲେକ୍ଟ୍ରିକ୍ କାରାଭାନ ଓ ହସ୍ତଶିଳ୍ପ କେନ୍ଦ୍ରଗୁଡ଼ିକ ପାଇଁ ୫୦% ପର୍ଯ୍ୟନ୍ତ ପୁଞ୍ଜି ରିହାତି ବ୍ୟବସ୍ଥା ରହିଛି। ଆତିଥ୍ୟ ଭିତ୍ତିଭୂମି ବିକାଶ ପାଇଁ ୫,୫୦୦ ଏକର ଜମି ଅଧିଗ୍ରହଣ ଲାଗି ୧,୫୦୦ କୋଟି ଟଙ୍କାର ଯୋଜନାକୁ ଅନୁମୋଦନ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ୧୬୩ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ରିହାତି ପ୍ରଦାନ କରାଯାଇସାରିଛି। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ନିବେଶକମାନଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ମୋ ରାଜ୍ୟ ଅନ୍ୟ ଯେକୌଣସି ରାଜ୍ୟ ତୁଳନାରେ ଅଧିକ ପାଇବାକୁ ଯୋଗ୍ୟ,” ଏବଂ ସମସ୍ତଙ୍କୁ ଓଡ଼ିଶାରେ ନିବେଶ କରିବାକୁ ଆହ୍ୱାନ କରିଛନ୍ତି।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କେବଳ ସ୍ଥାନ ବୁଲିବା ବଦଳରେ ଅନୁଭୂତିଭିତ୍ତିକ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଯେ ଓଡ଼ିଶା ପର୍ଯ୍ୟଟକଙ୍କୁ ଆଧ୍ୟାତ୍ମିକତା, ହସ୍ତକଳା, ସ୍ୱାଦିଷ୍ଟ ଖାଦ୍ୟ ଓ ସ୍ଥାନୀୟ ଆତିଥ୍ୟର ଏକ ସମ୍ପୂର୍ଣ୍ଣ ସମାହାର ପ୍ରଦାନ କରେ। ‘ଥିଙ୍କ୍ ଇଣ୍ଡିଆ, ଥିଙ୍କ୍ ଓଡ଼ିଶା’ ମୂଳମନ୍ତ୍ରରେ ପର୍ଯ୍ୟଟନକୁ ଜୀବିକା ସୃଷ୍ଟିର ସାଧନ କରାଯାଉଛି, ଯାହାର ସିଧାସଳଖ ଲାଭ ମହିଳା, କାରିଗର, ଡ୍ରାଇଭର ଓ ଗାଇଡ୍ମାନଙ୍କ ପାଖରେ ପହଞ୍ଚିବ।
ଏହି ଅବସରରେ ଓଡ଼ିଆ ଖାଦ୍ୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ବିଶିଷ୍ଟ ରୋଷେୟା ରଣବୀର ବ୍ରାରଙ୍କ ଉପସ୍ଥିତିରେ “ପିଠା, ମିଠା ଏବଂ ପଣା” ପୁସ୍ତକ ଉନ୍ମୋଚିତ ହୋଇଛି। ସେହିପରି ମୁଖ୍ୟମନ୍ତ୍ରୀ ନୂତନ ଓଡ଼ିଶା ପର୍ଯ୍ୟଟନ ୱେବସାଇଟ୍ ଏବଂ ଓଡ଼ିଶା ଟୁରିଜିମ ଇନଭେଷ୍ଟମେଣ୍ଟ ଇନସେଣ୍ଟିଭ ମ୍ୟାନେଜମେଣ୍ଟ ସିଷ୍ଟମ ୱେବ୍ ଆପ୍ଲିକେସନର ଲୋକାର୍ପଣ କରିଛନ୍ତି, ଯାହା ନିବେଶକମାନଙ୍କୁ ସହଜରେ ସରକାରୀ ସହାୟତା ପାଇବାରେ ସାହାଯ୍ୟ କରିବ।
କ୍ରୀଡ଼ା ଓ ପର୍ଯ୍ୟଟନର ମିଳନକୁ ପ୍ରଦର୍ଶିତ କରି ପଦ୍ମଭୂଷଣ କପିଳ ଦେବଙ୍କ ଉପସ୍ଥିତିରେ ଆଗାମୀ ଓଏମସି ପୁରୀ କୋଷ୍ଟାଲ ମାରାଥନର ଜର୍ସି ଏବଂ ଫିନିସର୍ ମେଡାଲ ଉନ୍ମୋଚିତ ହୋଇଛି। କାର୍ଯ୍ୟକ୍ରମରେ ପର୍ଯ୍ୟଟନ ସଚିବ ବଲୱନ୍ତ ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, FICCI ପର୍ଯ୍ୟଟନ କମିଟି ସହ-ଅଧ୍ୟକ୍ଷ ଡ. ଜେ. କେ. ମହାନ୍ତି ଏବଂ ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଭାରତର ବିଶ୍ୱକପ୍ ବିଜେତା ଅଧିନାୟକ କପିଳ ଦେବ ଏବଂ ଏସୀୟ କ୍ରୀଡ଼ା ରେକର୍ଡଧାରୀ ପୋଲ୍ ଭଲ୍ଟର ବାରାନିକା ଇଲାଙ୍ଗୋଭାନ୍ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ୩ ଦିନିଆ କାର୍ଯ୍ୟକ୍ରମରେ ୨୭ଟି ଦେଶର ୪୫ ଜଣ ବିଦେଶୀ ଟୁର୍ ଅପରେଟର, ୩୨ଟି ସହରର ୧୪୫ ଜଣ ଘରୋଇ ଟୁର୍ ଅପରେଟର ଏବଂ ୧୦୦ରୁ ଅଧିକ ସ୍ଥାନୀୟ ସେବା ପ୍ରଦାନକାରୀ ଭାଗ ନେଉଛନ୍ତି। ଏହି ଅବସରରେ ୬,୦୦୦ରୁ ଅଧିକ ବି୨ବି ଓ ବି୨ଜି ବୈଠକ ସହ ୪୦ଟି ପ୍ରମୁଖ ହୋଟେଲ ବ୍ରାଣ୍ଡ ଓ ୨୫୦ ଜଣ ନିବେଶକଙ୍କୁ ନେଇ ସ୍ୱତନ୍ତ୍ର ନିବେଶକ ଅଧିବେଶନ ମଧ୍ୟ ଆୟୋଜିତ ହେଉଛି।



