ଭୁବନେଶ୍ୱର, ୦୩ ଅକ୍ଟୋବର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅଧୀନସ୍ଥ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ (କ୍ୟାମ୍ପସ-୧)ଠାରେ ପେଟ ଏବଂ ଅନ୍ତନଳୀର ବିଭିନ୍ନ ରୋଗ ଓ ଏହାର ନିରାକରଣ ସମ୍ପର୍କିତ ଏକ ରାଜ୍ୟସ୍ତରୀୟ ସିଏମ୍ଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହସ୍ପିଟାଲର ଆନାଟୋମି ବିଭାଗ ଏବଂ ଆନାଟୋମିକାଲ ସୋସାଇଟି ଅଫ୍ ଇଣ୍ଡିଆ (ଏଏସଆଇ) ଓଡ଼ିଶା ଶାଖାର ଯୁଗ୍ମ ଆନୁକୂଲ୍ୟରେ ସୂଚାରୁରୂପେ ସମ୍ପାଦିତ ଏହି ଆଲୋଚନାଚକ୍ରରେ ଓଡ଼ିଶାର ବହୁ ସରକାରୀ ଓ ଘରୋଇ ମେଡିକାଲ କଲେଜରୁ ୧୦୦ରୁ ଅଧିକ ଆନାଟୋମି ବିଭାଗର ଫ୍ୟାକଲ୍ଟି, ପିଜି ଛାତ୍ରଛାତ୍ରୀ, ଗବେଷକ ଓ ବରିଷ୍ଠ ଚିକିତ୍ସକ ଯୋଗ ଦେଇଥିଲେ।
ଏହି ସମ୍ମିଳନୀରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଏଭଳି ବୈଜ୍ଞାନିକ ସିଏମ୍ଇ ପ୍ରୋଗ୍ରାମ୍ ମେଡିକାଲ ଛାତ୍ରଛାତ୍ରୀ, ଗବେଷକ ଏବଂ ଫ୍ୟାକଲ୍ଟି ସଦସ୍ୟମାନଙ୍କୁ ଚିକିତ୍ସା କ୍ଷେତ୍ରରେ ନୂତନ ଦିଗଦର୍ଶନ ଦେବ। ବର୍ତ୍ତମାନର ବଦଳୁଥିବା ଜୀବନଶୈଳୀ ଯୋଗୁଁ କେବଳ ଯୁବପିଢ଼ି ନୁହଁନ୍ତି, ସବୁ ବର୍ଗର ଲୋକଙ୍କ ମଧ୍ୟରେ ପେଟ ଓ ଅନ୍ତନଳୀ ସଂକ୍ରାନ୍ତୀୟ ସମସ୍ୟା ବୃଦ୍ଧି ପାଉଛି। ଏହାର ବିଭିନ୍ନ ଲକ୍ଷଣ ଚିହ୍ନଟ କରିବା ସହ ଆଧୁନିକ ଚିକିତ୍ସା ପ୍ରଣାଳୀ ସମ୍ପର୍କରେ ପ୍ରଫେସର ମିଶ୍ର ନିଜର ଆଲୋକପାତ କରିଥିଲେ।
ସେହିପରି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ସାମିଲ ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ ସଚେତନତା ଏବଂ ଚିକିତ୍ସା କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ‘ଗଟ୍ ଟୁ ମାଇଣ୍ଡ ଆଣ୍ଡ ଇରିଟେବୁଲ ବାୱେଲ ସିଣ୍ଡ୍ରୋମ୍’ ଶୀର୍ଷକ ପ୍ରସଙ୍ଗ ଉପରେ ଏଏସଆଇ ଓଡ଼ିଶା ଶାଖାର ସଭାପତି ପ୍ରଫେସର (ଡାକ୍ତର) ସନ୍ତୋଷ କୁମାର ସାହୁ ଏବଂ ସଚିବ ଡାକ୍ତର ମନୋଜ କୁମାର ଦେହୁରୀ ସାରଗର୍ଭକ ଆଲୋଚନା କରିଥିଲେ। ଆଇବିଏସ୍ ଭଳି ସାଧାରଣ ପାଚନତନ୍ତ୍ର ସମସ୍ୟାରେ ପେଟ ଯନ୍ତ୍ରଣା ସହ ଶାରୀରିକ ଓ ମାନସିକ ସମସ୍ୟା ଜଡ଼ିତ ଥାଏ। ନିୟମିତ ବ୍ୟାୟାମ, ସୁଷମ ଖାଦ୍ୟପେୟ ଏବଂ ମାନସିକ ସୁସ୍ଥତା ଦ୍ୱାରା ଏଥିରୁ ନିସ୍ତାର ମିଳିପାରିବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମର ସଂଯୋଜକ ଥତା ଆନାଟୋମି ବିଭାଗ ମୁଖ୍ୟ ପ୍ରଫେସର (ଡାକ୍ତର) ସୀତାଂଶୁ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇ ବିଷୟବସ୍ତୁ ସମ୍ପର୍କରେ ସୂଚନା ଦେଇଥିବା ବେଳେ ପ୍ରଫେସର (ଡାକ୍ତର) ସୌମ୍ୟରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନାଚକ୍ରରେ ବରିଷ୍ଠ ଚିକିତ୍ସକମାନଙ୍କୁ ସମ୍ମାନିତ କରାଯିବା ସହ ପିଜି ଛାତ୍ରଛାତ୍ରୀଙ୍କ ପାଇଁ କୁଇଜ୍ ପ୍ରତିଯୋଗିତା, ପୁରସ୍କାର ବିତରଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି।



