ଭୁବନେଶ୍ୱର, ଅକ୍ଟୋବର ୫: ଦେଶର ସ୍ନାତକ ଡାକ୍ତରୀ (ଏମ୍ବିବିଏସ୍) ଶିକ୍ଷା କାର୍ଯ୍ୟକ୍ରମରେ ରୋଗୀଙ୍କ ସହ କଥାବାର୍ତ୍ତା ଓ ଯୋଗାଯୋଗ ଦକ୍ଷତା ପ୍ରଶିକ୍ଷଣକୁ ସାମିଲ କରାଯାଇଥିଲେ ହେଁ, ଏହାର ନିରନ୍ତର ମୂଲ୍ୟାଙ୍କନ ଏବଂ ପ୍ରଗତିର ରେକର୍ଡ ରଖିବାରେ ଏକ ବଡ଼ ପ୍ରତିବନ୍ଧକ ରହିଥିବା ଜାତୀୟ ସ୍ତରର ସୂଚନାରୁ ପ୍ରକାଶ ପାଇଛି। କ୍ଲିନିକାଲ୍ କମ୍ୟୁନିକେସନ୍ ଶିକ୍ଷା ସମ୍ପର୍କରେ ଆୟୋଜିତ ଜାତୀୟ ପରାମର୍ଶ ବୈଠକରେ ଦେଶର ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୪୭ଟି ମେଡିକାଲ୍ ଅନୁଷ୍ଠାନରୁ ପ୍ରାପ୍ତ ୧୫୨ଟି ମତାମତରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ପ୍ରାୟ ୭୬ ପ୍ରତିଶତ ମେଡିକାଲ୍ କଲେଜରେ ଏମ୍ବିବିଏସ୍ ପାଠ୍ୟକ୍ରମ ସମୟରେ ଯୋଗାଯୋଗ ଶିକ୍ଷା ଦିଆଯାଉଥିବା ବେଳେ, ମାତ୍ର ୪ ପ୍ରତିଶତ ଅନୁଷ୍ଠାନରେ ହିଁ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଓ ପରବର୍ତ୍ତୀ ପ୍ରଗତିକୁ ମାପିବା ପାଇଁ ଏକୀକୃତ ଦୀର୍ଘକାଳୀନ ରେକର୍ଡ ପ୍ରଣାଳୀର ବ୍ୟବହାର ହେଉଛି।
ନୂଆଦିଲ୍ଲୀଠାରେ ଆୟୋଜିତ କ୍ଲିନିକାଲ୍ କମ୍ୟୁନିକେସନ୍ ଜାତୀୟ ଆଡଭାଇଜରୀ ସେସନ୍ରେ ଏହି ବିଷୟରେ ଗ୍ରହଣ କରାଯାଇଥିବା ସର୍ଭେ ତଥ୍ୟ ଆଲୋଚିତ ହୋଇଥିଲା। ଏହି ଅବସରରେ କ୍ଲିନିକାଲ୍ କମ୍ୟୁନିକେସନ୍ ସ୍ପେଶାଲ୍ ଇଣ୍ଟରେଷ୍ଟ ଗ୍ରୁପ୍ (ଏସ୍ଆଇଜି) ଦ୍ୱାରା ଏକ ଜାତୀୟ ରୂପରେଖ ବା ବ୍ଲୁପ୍ରିଣ୍ଟ ମଧ୍ୟ ପ୍ରକାଶ ପାଇଛି। ସ୍ନାତକ ଡାକ୍ତରୀ ଶିକ୍ଷାରେ ଯୋଗାଯୋଗ କୌଶଳକୁ କିପରି ଅଭ୍ୟାସ ଓ ମୂଲ୍ୟାଙ୍କନ କରାଯାଉଛି ଏବଂ ଏହାକୁ କାର୍ଯ୍ୟକାରୀ କରିବା ସମୟରେ କେଉଁସବୁ ବ୍ୟାବହାରିକ ସମସ୍ୟା ଦେଖାଦେଉଛି, ତାହାର ସମୀକ୍ଷା କରିବା ଏହି ପରାମର୍ଶ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଇଣ୍ଡିଆନ୍ କଲେଜ୍ ଅଫ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଇନ୍ ମେଡିସିନ୍ (ଆଇସିଏଆଇଏମ୍) ଏବଂ ଡକ୍ସି ଏଆଇ ସହଯୋଗରେ ଏସ୍ଆଇଜି ଦ୍ୱାରା ଏହି ସେସନ୍ ସଂଘଟିତ ହୋଇଥିଲା, ଯେଉଁଥିରେ ସିଗ୍ମାମୋଜାଇକ୍ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ ନଲେଜ୍ ଆଣ୍ଡ ଇମ୍ପ୍ଲିମେଣ୍ଟେସନ୍ ପାର୍ଟନର ଭାବେ ଅଂଶଗ୍ରହଣ କରିଥିଲା।
ଏହି ଜାତୀୟ ନୀତି ନିର୍ଦ୍ଧାରଣ କାର୍ଯ୍ୟକ୍ରମରେ ଓଡ଼ିଶାର ଭୁବନେଶ୍ୱରସ୍ଥିତ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ସଞ୍ଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ପ୍ରମୁଖ ଭୂମିକା ରହିଥିଲା। ପ୍ରଫେସର (ଡାକ୍ତର) ଇ. ଭେଙ୍କଟ ରାଓଙ୍କ ନେତୃତ୍ୱରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଏମ୍ବିବିଏସ୍ ଛାତ୍ରଛାତ୍ରୀଙ୍କୁ ନେଇ କ୍ଲିନିକାଲ୍ କମ୍ୟୁନିକେସନ୍ର ଏକ ପାଇଲଟ୍ ପ୍ରୋଜେକ୍ଟ କରାଯାଇଥିଲା। ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି କିପରି ଯୋଗାଯୋଗ ଦକ୍ଷତାର ନିୟମିତ ଅଭ୍ୟାସ ଓ ଫੈକଲ୍ଟି ମୂଲ୍ୟାଙ୍କନ କରାଯାଇପାରିବ, ତାହା ଏହି ପ୍ରୋଜେକ୍ଟ ଦ୍ୱାରା ସମ୍ଭବ ହୋଇଥିଲା। ଏହି ସଫଳ ଅଭିଜ୍ଞତା ଜାତୀୟ ରୂପରେଖ ପ୍ରସ୍ତୁତିରେ ବିଶେଷ ସହାୟକ ହୋଇଥିଲା।
ପରାମର୍ଶ ସେସନ୍ରୁ ଏହା ସ୍ପଷ୍ଟ ହୋଇଛି ଯେ, ଡାକ୍ତରୀ ଶିକ୍ଷାରେ ଯୋଗାଯୋଗ କୌଶଳ ଶିକ୍ଷାଦାନକୁ ପୃଥକ୍ ଭାବେ ନ ଦେଖି ଦୀର୍ଘମିଆଦୀ ଭାବେ ଏହାର ଗୁଣାତ୍ମକ ପରିବର୍ତ୍ତନକୁ ଟ୍ରାକ୍ କରିବା ଏବଂ ଏକ ସମନ୍ୱିତ ଆକଳନ ପଦ୍ଧତି ଆପଣାଇବା ଆଜିର ସମୟରେ ଆବଶ୍ୟକ ହୋଇପଡ଼ିଛି।
ଏହି ଆବଶ୍ୟକତାକୁ ଆଗକୁ ନେବା ପାଇଁ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଗତ ଜୁନ୍ ମାସରେ ସିଗ୍ମାମୋଜାଇକ୍ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ ସହିତ ଏକ ସମ୍ପ୍ରସାରିତ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ କରିଛି। ଏହି ଚୁକ୍ତି ମାଧ୍ୟମରେ ସ୍ୱାସ୍ଥ୍ୟସେବା ଗବେଷଣା, ଡିଜିଟାଲ୍ ହେଲ୍ଥ, ମେଡିକାଲ୍ ଏଜୁକେସନ୍, କମ୍ୟୁନିକେସନ୍ ସାଇନ୍ସ, ଏଆଇ ଆଧାରିତ ଚିକିତ୍ସା ସେବା ଏବଂ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ନୂତନ ନବସୃଜନ ପାଇଁ ମିଳିତ ଭାବେ କାର୍ଯ୍ୟ କରାଯିବ।



