ନୂଆଦିଲ୍ଲୀ, ୬ ଅକ୍ଟୋବର, ୨୦୨୬: ୧୯୯୫ ମସିହାରେ ଭାରତୀୟ ବଜାରରେ ପ୍ରବେଶ କରିଥିବା ଦକ୍ଷିଣ କୋରିଆର ବହୁରାଷ୍ଟ୍ରୀୟ ପ୍ରଯୁକ୍ତି କମ୍ପାନୀ ସାମସଙ୍ଗ ଆଜି ଦେଶରେ ନିଜର ୩୦ ବର୍ଷର ସଫଳ ଯାତ୍ରା ପୂରଣ କରିଛି। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଅର୍ଥନୀତିରେ ପରିଣତ କରିବାର ସ୍ୱପ୍ନ ସହ ପାଦ ମିଳାଇ କମ୍ପାନୀ କେବଳ ବ୍ୟବସାୟରେ ସୀମିତ ନରହି ଉତ୍ପାଦନ, ନିଯୁକ୍ତି, ଗବେଷଣା, ଉଦ୍ଭାବନ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଅତୁଳନୀୟ ଅବଦାନ ଦେଇଛି। ତିନି ଦଶନ୍ଧିର ଏହି ନିରବଚ୍ଛିନ୍ନ ପ୍ରଚେଷ୍ଟା ଆଜି ଗ୍ଲୋବାଲ୍ ସପ୍ଲାଏ ଚେନ୍ରେ ଭାରତୀୟ କାରଖାନାର ପ୍ରାଧାନ୍ୟ, ବିଶ୍ୱସ୍ତରୀୟ ଟେକ୍ନୋଲୋଜି ବିକଶିତ କରୁଥିବା ଭାରତୀୟ ଇଞ୍ଜିନିୟର ଏବଂ ୧୫ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିଥିବା ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଫଳିତ ହେଉଛି।
ସାମସଙ୍ଗ ସାଉଥୱେଷ୍ଟ ଏସିଆର ପ୍ରେସିଡେଣ୍ଟ ତଥା ସିଇଓ ଜେବି ପାର୍କଙ୍କ ଅନୁଯାୟୀ, ତିରିଶ ବର୍ଷ ପୂର୍ବେ ଅନେକ ଆନ୍ତର୍ଜାତୀୟ କମ୍ପାନୀ ଭାରତକୁ କେବଳ ଏକ ବିଶାଳ ବଜାର ଭାବେ ଦେଖି ଆସିଥିବା ବେଳେ ସାମସଙ୍ଗ ଏହି ଦେଶରେ ଥିବା ଅପାର ସମ୍ଭାବନାକୁ ଅନୁଭବ କରିପାରିଥିଲା। ଏହି ଚିନ୍ତାଧାରାରୁ ନୋଏଡ଼ା ଏବଂ ଚେନ୍ନାଇରେ ବିଶାଳ ଉତ୍ପାଦନ କେନ୍ଦ୍ର ଗଢ଼ିଉଠିଛି। ଏହାସହ କମ୍ପାନୀ ୩ଟି ଆର ଆଣ୍ଡ ଡି କେନ୍ଦ୍ର ଓ ଗୋଟିଏ ଡିଜାଇନ୍ କେନ୍ଦ୍ର ସ୍ଥାପନ କରିବା ସହ ଭାରତରେ ୧୪,୦୦୦ରୁ ଅଧିକ ପେଟେଣ୍ଟ ଦାଖଲ କରି ନିଜର ବୈଜ୍ଞାନିକ ଓ ବୈଷୟିକ ଭିତ୍ତିଭୂମିକୁ ସୁଦୃଢ଼ କରିଛି।
ନୋଏଡ଼ାରେ ଅବସ୍ଥିତ ସାମସଙ୍ଗ କାରଖାନା ବିଶ୍ୱର ଅନ୍ୟତମ ବୃହତ୍ତମ ସ୍ମାର୍ଟଫୋନ୍ ନିର୍ମାଣ କେନ୍ଦ୍ର ଭାବେ ଗଢ଼ିଉଠିବା ସହ ଏକ ପ୍ରମୁଖ ଆନ୍ତର୍ଜାତୀୟ ରପ୍ତାନି ହବ୍ରେ ପରିଣତ ହୋଇଛି। ଚେନ୍ନାଇ ଉତ୍ପାଦନ କେନ୍ଦ୍ର ସହ ମିଶି ଏହା ସ୍ଥାନୀୟ ଇଲେକ୍ଟ୍ରୋନିକ୍ସ ସପ୍ଲାଏ ଚେନ୍କୁ ଅଧିକ କ୍ରିୟାଶୀଳ କରିପାରିଛି। ତେବେ ଉତ୍ପାଦନଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଭାରତୀୟ ଇଞ୍ଜିନିୟରମାନଙ୍କ କାର୍ଯ୍ୟଦକ୍ଷତାରେ ଦେଖିବାକୁ ମିଳିଛି। ଆର ଆଣ୍ଡ ଡି ଏବଂ ଡିଜାଇନ୍ କେନ୍ଦ୍ରଗୁଡ଼ିକ ଗବେଷଣାକୁ ନିର୍ମାଣ ପ୍ରକ୍ରିୟା ସହ ଯୋଡ଼ି ସାରା ବିଶ୍ୱ ପାଇଁ ଗ୍ଲୋବାଲ୍ ପ୍ରୋଡକ୍ଟ ପ୍ରସ୍ତୁତ କରୁଛନ୍ତି।
୧.୪ ବିଲିୟନ ଭାରତୀୟଙ୍କ ଭିନ୍ନ ଭାଷା, ସାମର୍ଥ୍ୟ ଓ ଡିଜିଟାଲ୍ ଆବଶ୍ୟକତାକୁ ନଜରରେ ରଖି ପ୍ରସ୍ତୁତ କରାଯାଉଥିବା ସମାଧାନ ଆଜି ବିଶ୍ୱର ଅନ୍ୟାନ୍ୟ ଦେଶର ଉପଭୋକ୍ତାଙ୍କ ପାଇଁ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହେଉଛି। ବେଙ୍ଗାଲୁରୁ କେନ୍ଦ୍ରର ଇଞ୍ଜିନିୟରମାନେ ଗାଲାକ୍ସି ଏଆଇ ପାଇଁ ଲାଙ୍ଗୁଏଜ୍ ମଡେଲ୍ରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଅପରପକ୍ଷରେ, ନୋଏଡ଼ା ଗବେଷଣା କେନ୍ଦ୍ର ଆଇଆଇଟି ମାନ୍ଦ୍ରାଜ ସହିତ ଭାଗୀଦାରୀ କରି ଭାରତୀୟ ଭାଷା, ସ୍ୱାସ୍ଥ୍ୟସେବା ଏବଂ ଜେନେରେଟିଭ୍ ଏଆଇ କ୍ଷେତ୍ରରେ କାର୍ଯ୍ୟ କରୁଛି। ଏହି ବିବର୍ତ୍ତନ ସାମସଙ୍ଗକୁ “ଭାରତକୁ ପ୍ରଯୁକ୍ତି ଆଣିବା” ବଦଳରେ “ଭାରତ ସହ ମିଶି ପ୍ରଯୁକ୍ତି ସୃଷ୍ଟି କରିବା” ଆଡ଼କୁ ଆଗେଇ ନେଇଛି।
ଦକ୍ଷତା ବୃଦ୍ଧି ପାଇଁ କମ୍ପାନୀ “Together for Tomorrow. Enabling People” ଦୃଷ୍ଟିଭଙ୍ଗୀ ଆପଣାଇ ବିଦ୍ୟାଳୟ ଶିକ୍ଷାରୁ ଆରମ୍ଭ କରି ବୈଷୟିକ ତାଲିମ ପର୍ଯ୍ୟନ୍ତ ସମସ୍ତ ପଥକୁ ସୁଗମ କରୁଛି। ୨୦୨୨ରେ ଆରମ୍ଭ ହୋଇଥିବା ସାମସଙ୍ଗ ଇନୋଭେସନ୍ କ୍ୟାମ୍ପସ୍ ମାଧ୍ୟମରେ ଏଆଇ, ବିଗ୍ ଡାଟା, ଆଇଓଟି ଏବଂ କୋଡିଂରେ ୨୬,୫୦୦ରୁ ଅଧିକ ଯୁବକଯୁବତୀ ପ୍ରଶିକ୍ଷିତ ହୋଇସାରିଛନ୍ତି। ଗତବର୍ଷ ତାଲିମ ପାଇଥିବା ୨୦,୦୦୦ ଯୁବପିଢ଼ିଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ମହିଳା ଥିଲେ। ସେହିପରି ‘ଦୋସ୍ତ’ କାର୍ଯ୍ୟକ୍ରମ ଜରିଆରେ ଅସୁବିଧାଗ୍ରସ୍ତ ବର୍ଗର ୧୩,୦୦୦ ଯୁବକଙ୍କୁ କ୍ଲାସରୁମ୍ ଶିକ୍ଷା ସହ ୫ ମାସର ବେତନଯୁକ୍ତ ରିଟେଲ୍ ତାଲିମ ଦିଆଯାଉଛି। ବିଦ୍ୟାଳୟ ସ୍ତରରେ ‘ଡିଜିଆରିଭୁ’ ପ୍ରକଳ୍ପ ତାମିଲନାଡୁର କାଞ୍ଚିପୁରମ୍ ଓ ରାଣିପେଟ୍ ଜିଲ୍ଲାର ୧୦ଟି ସରକାରୀ ସ୍କୁଲର ୩,୦୦୦ ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟେମ୍ ଲ୍ୟାବ୍ ଓ ଡିଜିଟାଲ୍ ଶିକ୍ଷା ଉପଲବ୍ଧ କରାଉଛି।
ବିଶେଷ କରି ‘Samsung Solve for Tomorrow’ ପ୍ରତିଯୋଗିତା ଜରିଆରେ ପ୍ରଯୁକ୍ତିର ପ୍ରସାର ମେଟ୍ରୋ ସହରରୁ ବାହାରି ଗ୍ରାମାଞ୍ଚଳ ଓ ଛୋଟ ସହରଗୁଡ଼ିକରେ ପହଞ୍ଚିପାରିଛି। ଚଳିତ ବର୍ଷ ୬୪୮ଟି ସହରରୁ ଆବେଦନ ଆସିଥିବା ବେଳେ ୧୩୫ଟି ସହରରେ ୧୮୪ଟି ଡିଜାଇନ୍-ଥିଙ୍କିଂ ୱାର୍କସପ୍ କରାଯାଇଥିଲା। ପ୍ରତିଯୋଗିତାର ଶୀର୍ଷ ୨୦ଟି ଫାଇନାଲିଷ୍ଟ ଦଳ ମଧ୍ୟରୁ ଅଧାରୁ ଅଧିକ ଓଡ଼ିଶାର ସୁନ୍ଦରଗଡ଼, ଆନ୍ଧ୍ର ପ୍ରଦେଶର ଚିତ୍ତୁର ଏବଂ ଉତ୍ତର ପ୍ରଦେଶର ରାଏବରେଲୀ ଭଳି ସହରରୁ ପ୍ରତିନିଧିତ୍ୱ କରୁଛନ୍ତି। “AI Living for India” ଥିମ୍ରେ କାର୍ଯ୍ୟ କରୁଥିବା ଏହି ଦଳଗୁଡ଼ିକ ଆଇଆଇଟି ଦିଲ୍ଲୀ ଏବଂ ସାମସଙ୍ଗ ଗବେଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରସ୍ତୁତ ହେଉଛନ୍ତି। ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ଥିବା ଗ୍ରାଣ୍ଡ ଫାଇନାଲ୍ରେ ବିଜେତାଙ୍କ ପାଇଁ ୨ କୋଟି ଟଙ୍କାର ଇନକ୍ୟୁବେସନ୍ ଅନୁଦାନ ରହିଛି।
ଜେବି ପାର୍କଙ୍କ ଅନୁଯାୟୀ, “ଲୋକଙ୍କ କ୍ଷମତା ବୃଦ୍ଧିରେ ବିନିଯୋଗ କରିବା କେବଳ ଦାନ ନୁହେଁ, ଏହା ପ୍ରକୃତ ରାଷ୍ଟ୍ର ନିର୍ମାଣ।” ଗବେଷଣା, ପ୍ରୋଟୋଟାଇପିଂ ଓ ଇନକ୍ୟୁବେସନ୍ ସହାୟତା ମାଧ୍ୟମରେ ସାମସଙ୍ଗ ଭାରତୀୟ ଯୁବପିଢ଼ିଙ୍କୁ ନିଜସ୍ୱ ଚିନ୍ତାଧାରାର ବିକାଶ କରିବା ସହ ବିଶ୍ୱସ୍ତରୀୟ ପ୍ରଯୁକ୍ତି କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସହାୟକ ହୋଇଛି।



