ବୁଡାପେଷ୍ଟ, ଅକ୍ଟୋବର ୧୨: ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ମୋବାଇଲ୍ ଫୋନ୍ ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ବୈଜ୍ଞାନିକମାନେ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଓ ଲୁକ୍କାୟିତ ସମସ୍ୟା ସମ୍ପର୍ଣ୍ଣରେ ଚେତାବନୀ ଦେଇଛନ୍ତି। ସେମୱେସ୍ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦ୍ୱାରା ହୋଇଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ ସ୍ମାର୍ଟଫୋନ୍ରେ ଅନ୍ତହୀନ ଭାବେ ସ୍କ୍ରୋଲିଂ କରିବା କେବଳ ମାନସିକ ସ୍ୱାସ୍ଥ୍ୟ ନୁହେଁ ବରଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଉଛି। ଅଧ୍ୟୟନ ଅନୁଯାୟୀ, ଅଧିକ ସମୟ ଧରି ଫୋନ୍ ସ୍କ୍ରୋଲ୍ କରିବା ଦ୍ୱାରା ସ୍ମରଣ ଶକ୍ତି ହ୍ରାସ ପାଇବା, ଏକାଗ୍ରତା କମିଯିବା, ନିଦ ବ୍ୟାହତ ହେବା ଏବଂ ଶାରୀରିକ ସନ୍ତୁଳନ ପ୍ରଭାବିତ ହେବାର ଆଶଙ୍କା ରହିଛି। ଗବେଷକମାନେ ଦର୍ଶାଇଛନ୍ତି ଯେ କେବଳ ଫୋନ୍ ବ୍ୟବହାର କରିବାର ସମୟ ସୀମା ନୁହେଁ ବରଂ ସେହି ସମୟ ମଧ୍ୟରେ ବ୍ୟକ୍ତି କ’ଣ କରୁଛନ୍ତି ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ଗବେଷଣା ‘ଆକ୍ଟା ସାଇକୋଲୋଜିକା’ ପତ୍ରିକାରେ ପ୍ରକାଶିତ ହୋଇଛି।
ଅଧ୍ୟୟନ ପାଇଁ ଗବେଷକମାନେ ୧୮ ରୁ ୩୫ ବର୍ଷ ବୟସ୍କ ଛାତ୍ରଛାତ୍ରୀମାନଙ୍କୁ ନେଇ ସେମାନଙ୍କର ମାନସିକ, ଶାରୀରିକ କାର୍ଯ୍ୟଦକ୍ଷତା ଏବଂ ଫୋନ୍ ବ୍ୟବହାର ଅଭ୍ୟାସର ଅନୁଧ୍ୟାନ କରିଥିଲେ। ଅଂଶଗ୍ରହଣକାରୀମାନେ ଅନଲାଇନ୍ ପ୍ରଶ୍ନ।ବଳୀ ମାଧ୍ୟମରେ ସେମାନଙ୍କର ଦୈନନ୍ଦିନ ଫୋନ୍ କାର୍ଯ୍ୟକଳାପ, ଆତ୍ମ-ନିୟନ୍ତ୍ରଣ, ସୋସିଆଲ୍ ମିଡିଆରେ କିଛି ଛାଡ଼ିଯିବାର ଭୟ ବା ‘ଫୋମୋ’ ଏବଂ ବ୍ୟକ୍ତିତ୍ୱ ସମ୍ପର୍କିତ ବିଭିନ୍ନ ବିଷୟରେ ତଥ୍ୟ ପ୍ରଦାନ କରିଥିଲେ। ଏହି ବିଶ୍ୱଳେଷଣରୁ ଲୋକଙ୍କର ଫୋନ୍ ବ୍ୟବହାରର ତିନୋଟି ମୁଖ୍ୟ ଶ୍ରେଣୀ ବା ଧାରା ସାମ୍ନାକୁ ଆସିଥିଲା। ପ୍ରଥମତଃ, କେବଳ ସାମାଜିକ ଯୋଗାଯୋଗ ପାଇଁ ଫୋନ୍ ବ୍ୟବହାର କରୁଥିବା ବ୍ୟକ୍ତି; ଦ୍ୱିତୀୟତଃ, ଦୈନନ୍ଦିନ ୪ ରୁ ୫ ଘଣ୍ଟାରୁ କମ୍ ସମୟ ପାଇଁ ମିଶ୍ରିତ ଭାବେ ଫୋନ୍ ବ୍ୟବହାର କରୁଥିବା ବ୍ୟକ୍ତି ଏବଂ ତୃତୀୟତଃ, ପ୍ରାୟ ଏକ-ତୃତୀୟାଂଶ ଅଂଶଗ୍ରହଣକାରୀ ଯେଉଁମାନେ ଦିନକୁ ୪ ରୁ ୫ ଘଣ୍ଟା କିମ୍ବା ତା’ଠାରୁ ଅଧିକ ସମୟ କେବଳ ଅନଲାଇନ୍ କଣ୍ଟେଣ୍ଟ୍ ବା ପାସିଭ୍ ସ୍କ୍ରୋଲିଂ ପାଇଁ ଖର୍ଚ୍ଚ କରିଥାଆନ୍ତି।
ଅଧ୍ୟୟନର ମୁଖ୍ୟ ଗବେଷକ ଡ. ଜୋହାନା ଟାକାକ୍ସଙ୍କ କହିବାନୁଯାୟୀ, କେବଳ ଉଦାସୀନତା କିମ୍ବା ବ୍ୟକ୍ତିତ୍ୱଗତ ସମସ୍ୟା ଯୋଗୁଁ ଲୋକେ ଫୋନ୍ ଆଡିକ୍ଟ ହୋଇଯାଆନ୍ତି ନାହିଁ ବରଂ ନିଜ ଆଚରଣ, ଭାବନା ଏବଂ ଆବେଗ ଉପରେ କିପରି ନିୟନ୍ତ୍ରଣ ରହିଛି ଏବଂ କିଛି ହରାଇବାର ଭୟ କେତେ ରହିଛି ତାହା ପ୍ରକୃତ କାରଣ ଅଟେ। ଅଧିକ ସମୟ ଧରି ଫୋନ୍ରେ କଣ୍ଟେଣ୍ଟ୍ ସ୍କ୍ରୋଲ୍ କରିବା ଦ୍ୱାରା ମସ୍ତିଷ୍କ ଉପରେ କ୍ରମାଗତ ଚାପ ପଡ଼ିଥାଏ, ଯାହାକି ଏକାଗ୍ରତାକୁ ଦୁର୍ବଳ କରିବା ସହିତ ମାନସିକ କ୍ଳାନ୍ତି ସୃଷ୍ଟି କରିଥାଏ। ଏହି ‘ହେଭି ପ୍ରୋସେସ୍’ ଗ୍ରୁପ୍ର ବ୍ୟକ୍ତିମାନେ ସ୍ମରଣ ଶକ୍ତି ଏବଂ ମନୋଯୋଗ ପରୀକ୍ଷାରେ ଅପେକ୍ଷାକୃତ ଖରାପ ପ୍ରଦର୍ଶନ କରିଥିଲେ ଏବଂ ସେମାନଙ୍କର ନିଦ ମଧ୍ୟ ପ୍ରଭାବିତ ହୋଇଥିଲା।
ଶାରୀରିକ ଦିଗରୁ ଦେଖିଲେ, ଅଧିକ ସମୟ ଧରି ଫୋନ୍ ବ୍ୟବହାର କରିବା ଦ୍ୱାରା ଶରୀରର ଭଙ୍ଗୀ ଉପରେ କୁପ୍ରଭାବ ପଡ଼ିଥାଏ। ଫୋନକୁ ସବୁବେଳେ ଆଖିର ସ୍ତରଠାରୁ ତଳକୁ ରଖି ବ୍ୟବହାର କରିବା ଦ୍ୱାରା ମୁଣ୍ଡ ଆଗକୁ ନଇଁ ରହିଥାଏ, ଯାହାକୁ ‘ଟେକ୍ ନେକ୍’ କୁହାଯାଏ। ଶାରୀରିକ ମାପ ପାଇଁ ଦାୟିତ୍ୱପ୍ରାପ୍ତ ବିଶେଷଜ୍ଞ ବେଆଟା ସେରେଗେଲି ବ୍ୟାଖ୍ୟା କରିଛନ୍ତି ଯେ ଏପରି ଦୀର୍ଘ ସମୟ ଧରି ମୁଣ୍ଡ ଆଗକୁ ନଇଁ ରହିବା ଦ୍ୱାରା ବେକର ମାଂସପେଶୀ ଏବଂ ଜଏଣ୍ଟ୍ ଉପରେ ଅଧିକ ଚାପ ପଡ଼ିଥାଏ। ବେକରେ ଥିବା ସ୍ୱତନ୍ତ୍ର ସଂବେଦୀ ରିସେପ୍ଟରଗୁଡ଼ିକ ମସ୍ତିଷ୍କକୁ ମୁଣ୍ଡର ସ୍ଥିତି ବିଷୟରେ ସୂଚନା ଦେଇଥାଆନ୍ତି; ଏହି ଅଭ୍ୟାସ ଦୀର୍ଘସ୍ଥାୟୀ ହେଲେ ସେହି ସଙ୍କେତଗୁଡ଼ିକ ବଦଳିଯାଏ ଏବଂ ଶରୀରର ଭାରସାମ୍ୟ ତଥା ପ୍ରତିକ୍ରିୟା ସମୟ ପ୍ରଭାବିତ ହୋଇଥାଏ।
ତେବେ ଗବେଷକମାନେ ସ୍ମାର୍ଟଫୋନ୍ ସମ୍ପୂର୍ଣ୍ଣ ବର୍ଜନ କରିବାକୁ ପରାମର୍ଶ ଦେଇନାହାନ୍ତି, ବରଂ ସୁସ୍ଥ ଅଭ୍ୟାସ ଗଢ଼ିବା ଏବଂ ଫୋନ୍ ବ୍ୟବହାର ଶୈଳୀରେ ପରିବର୍ତ୍ତନ ଆଣିବାକୁ କହିଛନ୍ତି। ଅନାବଶ୍ୟକ ନୋଟିଫିକେସନ୍ ବନ୍ଦ କରିବା, ସୋସିଆଲ୍ ମିଡିଆ ବ୍ୟବହାର ପାଇଁ ସମୟ ସୀମା ଧାର୍ଯ୍ୟ କରିବା, ଶୋଇବା ସମୟରେ ଫୋନ୍ ଦୂରରେ ରଖିବା ଏବଂ ନିୟମିତ ଶାରୀରିକ ବ୍ୟାୟାମ କରିବା ଦ୍ୱାରା ଏହି ସମସ୍ୟାରୁ ବହୁ ପରିମାଣରେ ମୁକ୍ତି ମିଳିପାରିବ ବୋଲି ଅଧ୍ୟୟନରେ ପରାମର୍ଶ ଦିଆଯାଇଛି।



