ଭୁବନେଶ୍ୱର, ୫ ଅକ୍ଟୋବର: ପ୍ରସିଦ୍ଧ କିଟ୍ ବିଶ୍ୱବିଦ୍ୟାଳୟର ୨୨ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ସୋମବାର ସଫଳତାର ସହ ଉଦ୍ଯାପିତ ହୋଇଯାଇଛି । ତିନିଦିନ ଧରି ଚାଲିଥିବା ଏହି ବାସରୀୟ କାର୍ଯ୍ୟକ୍ରମରେ ନାଗାଲାଣ୍ଡ ରାଜ୍ୟପାଳ ନନ୍ଦ କିଶୋର ଯାଦବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବୈଷୟିକ ଜ୍ଞାନର ବଶବର୍ତ୍ତୀ ନହୋଇ ଏହା ଉପରେ ଦକ୍ଷତା ହାସଲ କରିବାକୁ ଆହ୍ୱାନ ଦେଇଛନ୍ତି । ଏହି ସମାରୋହରେ ୧୦ ହଜାରରୁ ଅଧିକ ସ୍ନାତକ, ସ୍ନାତକୋତ୍ତର ଓ ପିଏଚ୍ଡି ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି । ଉପସ୍ଥିତ ବରିଷ୍ଠ ଅତିଥିମାନେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଉପଲବ୍ଧ ସୁଯୋଗର ସଦୁପଯୋଗ କରିବା, ନୂତନ ଆଭିମୁଖ୍ୟ ଓ ସୃଜନଶୀଳତାକୁ ଆପଣାଇବା ସହିତ ସମାଜ ଗଠନରେ ନିଜର ଗୁରୁଦାୟିତ୍ୱ ନିର୍ବାହ କରିବାକୁ ପରାମର୍ଶ ଦେଇଛନ୍ତି ।
ସମାବର୍ତ୍ତନର ପ୍ରଥମ ଦିବସରେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଯାଦବ କିଟ୍ର ଶିକ୍ଷାଦାନ ଓ ସଫଳତା ଯାତ୍ରାକୁ ‘ଦୃଷ୍ଟିକୋଣ, ଅଧ୍ୟବସାୟ ଓ ଦୃଢ଼ ସଂକଳ୍ପର ଶିକ୍ଷା’ ଭାବେ ଅଭିହିତ କରିଥିଲେ । ଉଚ୍ଚଶିକ୍ଷାର ପ୍ରସାର ଓ ଜାତୀୟ ବିକାଶରେ କିଟ୍ର ବହୁମୂଲ୍ୟ ଅବଦାନ ପାଇଁ ସେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ର ସମସ୍ତ ନେତୃତ୍ୱ, ଅଧ୍ୟାପକ ଓ କର୍ମଚାରୀବୃନ୍ଦଙ୍କୁ ସାଧୁବାଦ ଜଣାଇଥିଲେ । ନିତି ଆୟୋଗ ଉପାଧ୍ୟକ୍ଷ ଡ. ଅଶୋକ କୁମାର ଲାହିରୀ ଦୀକ୍ଷାନ୍ତ ଭାଷଣ ଦେଇ କହିଥିଲେ ଯେ, ଭାରତର ଭବିଷ୍ୟତ ଆଧୁନିକ ବୈଷୟିକ ଜ୍ଞାନ ଦ୍ୱାରା ନିର୍ଦ୍ଧାରିତ ହେବ, ମାତ୍ର ବୈଷୟିକ ଅଗ୍ରଗତି ସହ ଦେଶର ମୂଲ୍ୟବୋଧ ଓ ପରମ୍ପରାକୁ ବଜାୟ ରଖିବା ମଧ୍ୟ ନିହାତି ଜରୁରୀ । ଏତଦ୍ବ୍ୟତୀତ ଆମେରିକାର ପ୍ରତିନିଧି ସଭା ସଦସ୍ୟ କଂଗ୍ରେସମ୍ୟାନ୍ ମାଇକେଲ୍ ବାଉମଗାର୍ଟନର କାର୍ଯ୍ୟକ୍ରମରେ ଯୋଗଦେଇ ବିଶ୍ୱ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠାରେ ଶିକ୍ଷାନୁଷ୍ଠାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ ।
ଉତ୍ସବର ଅନ୍ୟାନ୍ୟ ଦିବସଗୁଡ଼ିକରେ ଆମେରିକା ମୋଣ୍ଟାନା ଷ୍ଟେଟ୍ ୟୁନିଭର୍ସିଟିର ସଭାପତି ଡ. ବ୍ରକ୍ ଟେସମାନ୍, ମୋତିଲାଲ୍ ଓସ୍ୱାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍ର ମୋତିଲାଲ୍ ଓସ୍ୱାଲ୍, ଟେକ୍ନୋ ଇଣ୍ଡିଆ ଗ୍ରୁପ୍ର ଡ. ଗୌତମ ରାୟ ଚୌଧୁରୀ ଏବଂ ଏବିପି ନ୍ୟୁଜ୍ର ବରିଷ୍ଠ ସାମ୍ବାଦିକା ଚିତ୍ରା ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଉଦ୍ବୋଧନ ଦେଇଥିଲେ । ଏହି ଅବସରରେ ଅନେକ ବିଦେଶୀ ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ ।
ଏହାସହିତ ନୀତି ଆୟୋଗ ସଦସ୍ୟ ପ୍ରଫେସର ଗୋବର୍ଦ୍ଧନ ଦାସ, ହୋମି ଭାବା ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ର ଡିନ୍ ପ୍ରଫେସର ଅବେଶ କୁମାର ତ୍ୟାଗୀ, ଆର୍ପି-ସଞ୍ଜୀବ ଗୋଏଙ୍କା ଗ୍ରୁପ୍ର ଡ. ସଞ୍ଜୀବ ଗୋଏଙ୍କା, ଏସ୍ଆରଏମ୍ ୟୁନିଭର୍ସିଟି ଦିଲ୍ଲୀ-ଏନ୍ସିଆର କୁଳାଧିପତି ଡ. ରବି ପଚମୁଥୁ, ଏବଂ ରୋମାନିଆର ୟୁନିଭର୍ସିଟି ଅଫ୍ କ୍ରାଏଭୋଆର ରେକ୍ଟର ପ୍ରଫେସର ସେଜାର ଇଓନୁତ୍ ସ୍ପିନୁ ଯୋଗଦେଇ ନବସ୍ନାତକମାନଙ୍କୁ ସମ୍ବୋଧିତ କରିଥିଲେ ।
କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟ କୁଳାଧିପତି ଅଶୋକ କୁମାର ପରିଜା ଏଥିରେ ଅଧ୍ୟକ୍ଷତା କରିଥିଲେ । ଉପକୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଓ ବିଶ୍ୱବିଦ୍ୟାଳୟର ସମସ୍ତ ବରିଷ୍ଠ ଅଧିକାରୀ କାର୍ଯ୍ୟକ୍ରମରେ ସାମିଲ ଥିଲେ । ଏହି ସମାବର୍ତ୍ତନରେ ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣପଦକ, କୁଳାଧିପତି ସ୍ୱର୍ଣ୍ଣପଦକ, ପି.କେ. ବଳ ମେମୋରିଆଲ୍, ପପିପିଏଲ୍, ନନୀବାଳା ମେମୋରିଆଲ୍, ଶ୍ରୀକୃଷ୍ଣ ଚନ୍ଦ୍ର ପଣ୍ଡା ମେମୋରିଆଲ୍, ଡ. ୱାଟି ପରମଗୁରୁ ମେମୋରିଆଲ୍ ସ୍ୱର୍ଣ୍ଣପଦକ ସମେତ କୁଳପତି ରୌପ୍ୟ ପଦକ, ଡ. ନୀତିଶ କାନ୍ତ ରୌପ୍ୟ ପଦକ ଓ ଶ୍ରୀମତୀ ମଞ୍ଜୁ ରଥ ରୌପ୍ୟ ପଦକରେ ଭୂଷିତ କରାଯାଇଥିଲା ।



