ଭୁବନେଶ୍ୱର, ୩ ଅକ୍ଟୋବର ୨୦୨୬: ଭାରତୀୟ ପ୍ରଯୁକ୍ତିବିଦ୍ୟାନ ସଂସ୍ଥାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ଗତ ୨୯ ସେପ୍ଟେମ୍ବର ୨୦୨୬ରେ “ଦି ବିଗ୍ ବ୍ୟାଙ୍ଗ୍: ଏ ଡିସକଭରି ରିଟନ୍ ଇନ୍ ଦ ସ୍କାଏ” ଶୀର୍ଷକରେ ଏକ ସ୍ୱତନ୍ତ୍ର ପ୍ରତିଷ୍ଠାନୀୟ ସେମିନାର ଆୟୋଜିତ ହୋଇଯାଇଛି। ଏହି ସେମିନାରରେ ବେଙ୍ଗାଲୁରୁସ୍ଥିତ ରମଣ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ପୂର୍ବତନ ନିର୍ଦ୍ଦେଶକ ତଥା ବିଶିଷ୍ଟ ରେଡିଓ ଜ୍ୟୋତିର୍ବିଜ୍ଞାନୀ ପ୍ରଫେସର ରବି ସୁବ୍ରହ୍ମଣ୍ୟନ୍ ଅତିଥି ବକ୍ତା ଭାବେ ଯୋଗଦେଇ ବ୍ରହ୍ମାଣ୍ଡର ଇତିହାସ ଓ ଏହାର ବିକାଶ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ। ଆଇଆଇଟି ଭୁବନେଶ୍ୱରର ପ୍ରଫେସର-ଇନ୍-ଚାର୍ଜ-ଏକ୍ସଟ୍ରା ଏକାଡେ଼ମିକ ଆଫେୟାର୍ସ ଡ. ଶାନ୍ତନୁ ପାତ୍ର ଏହି କାର୍ଯ୍ୟକ୍ରମଟିକୁ ସଞ୍ଚାଳନ କରିଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେଇ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପାଦ କରମଲକର ଶିକ୍ଷାର ବ୍ୟାପକତା ସମ୍ପର୍କରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଶିକ୍ଷା କେବଳ ଶ୍ରେଣୀଗୃହ, ପରୀକ୍ଷା ଓ ନମ୍ବର ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ, ବରଂ ବାହ୍ୟ ବିଶେଷଜ୍ଞଙ୍କ ବକ୍ତୃତା ସହ ସାଇକେଲ ଚାଳନା, କ୍ରୀଡ଼ା ଓ ସଂସ୍କୃତି ଭଳି ଜୀବନଦକ୍ଷତାକୁ ଶିକ୍ଷାଦାନର ସହ-ଅଂଶ କରିବା ଦ୍ୱାରା ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ସମ୍ଭବ ହୋଇଥାଏ। ଶ୍ରେଣୀଗୃହ ବାହାରର ଏହି ସବୁ ଅନୁଭୂତି ଭବିଷ୍ୟତ କ୍ୟାରିୟର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିଜ ଜୀବନର ଅନୁଭୂତି ସେୟାର କରି ସେ ଉଲ୍ଲେଖ କରିଥିଲେ ଯେ, ପିଏଚ୍ଡି ଶେଷ ପରେ ଉଦ୍ୟୋଗୀତା ସମ୍ପର୍କିତ ଏକ ଅତିଥି ବକ୍ତୃତାରୁ ପ୍ରେରଣା ପାଇ ସେ ନିଜେ ଦୁଇ ବର୍ଷର ଏକ ଉଦ୍ୟୋଗୀୟ ସଫର ଆରମ୍ଭ କରିଥିଲେ। ଏହି ବିଗ୍ ବ୍ୟାଙ୍ଗ୍ ସେମିନାର ମାଧ୍ୟମରେ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ବ୍ରହ୍ମାଣ୍ଡର ମୌଳିକ ପ୍ରଶ୍ନ ଏବଂ ଏହାର ଅନୁସନ୍ଧାନ ପାଇଁ ବ୍ୟବହୃତ ପ୍ରଯୁକ୍ତି ବିଷୟରେ ଜାଣିବାର ଏକ ନୂତନ ସୁଯୋଗ ମିଳିଛି।
ରେଡିଓ ଜ୍ୟୋତିର୍ବିଜ୍ଞାନ ଓ ବ୍ରହ୍ମାଣ୍ଡ ବିଜ୍ଞାନ କ୍ଷେତ୍ରରେ ନିଜର ୪୫ ବର୍ଷର ଗବେଷଣା ଅଭିଜ୍ଞତାକୁ ପାଥେୟ କରି ପ୍ରଫେସର ସୁବ୍ରହ୍ମଣ୍ୟନ୍ ବ୍ୟାଖ୍ୟା କରିଥିଲେ ଯେ, ସଠିକ୍ ଜ୍ୟୋତିର୍ବୈଜ୍ଞାନିକ ପର୍ଯ୍ୟବେକ୍ଷଣଗୁଡ଼ିକ କିପରି ମହାକାଶ ବିଷୟରେ ମାନବସମାଜର ଧାରଣାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ସେ ମିଲ୍କି ୱେର ରଚନା, ଆକାଶଗଙ୍ଗାମାନଙ୍କର ମହାଜାଗତିକ ଜାଲ ଏବଂ ବିଲିୟନ ବିଲିୟନ ବର୍ଷ ଧରି ମହାକାଶରେ ଘଟିଥିବା ପରିବର୍ତ୍ତନ ସମ୍ପର୍କିତ ପ୍ରମାଣଗୁଡ଼ିକୁ ଶ୍ରୋତାମାନଙ୍କ ଆଗରେ ସହଜ ଭାବେ ଉପସ୍ଥାପନ କରିଥିଲେ।
ଏହି ବକ୍ତୃତାର ପ୍ରମୁଖ ଆକର୍ଷଣ ଥିଲା କସ୍ମିକ୍ ମାଇକ୍ରୋୱେଭ୍ ବ୍ୟାକଗ୍ରାଉଣ୍ଡ (ସିଏମବି), ଯାହା ଏକ ଅତ୍ୟନ୍ତ କ୍ଷୀଣ ବିକିରଣ ଏବଂ ପ୍ରାରମ୍ଭିକ, ଅତ୍ୟଧିକ ଉତ୍ତପ୍ତ ଓ ଘନ ବ୍ରହ୍ମାଣ୍ଡକୁ ବୁଝିବା ପାଇଁ ଏକ ଦ୍ୱାର ସଦୃଶ। ପ୍ରଫେସର ସୁବ୍ରହ୍ମଣ୍ୟନ୍ ଦର୍ଶାଇଥିଲେ ଯେ ସିଏମବି, ଆକାଶଗଙ୍ଗା ଏବଂ ଆନ୍ତଃଆକାଶଗଙ୍ଗୀୟ ଗ୍ୟାସର ସଂଗୃହିତ ପର୍ଯ୍ୟବେକ୍ଷଣଗୁଡ଼ିକ ମିଳିତ ଭାବେ ବୈଜ୍ଞାନିକମାନଙ୍କୁ ମହାଜାଗତିକ ଗଠନର ବିକାଶକ୍ରମକୁ ବୁଝିବାରେ ସାହାଯ୍ୟ କରୁଛି। ଏଥିସହିତ, ଜ୍ୟୋତିର୍ବିଜ୍ଞାନରେ ଇଞ୍ଜିନିୟରିଂ ଓ ବୈଷୟିକ ନବସୃଜନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଆଲୋକପାତ କରିଥିଲେ। ଅତ୍ୟନ୍ତ କ୍ଷୀଣ ସଙ୍କେତ ଚିହ୍ନଟ କରୁଥିବା ସୂକ୍ଷ୍ମ ଯନ୍ତ୍ରପାତିର ଡିଜାଇନ୍ ସହ ଜଡ଼ିତ ନିଜର ଅନୁଭୂତି ପ୍ରକାଶ କରିବା ସହ ସେ ଡାର୍କ ଏନର୍ଜି, ପ୍ରଥମ ତାରା, ଆକାଶଗଙ୍ଗାର ଗଠନ ଏବଂ ମହାଜାଗତିକ ବିକାଶକୁ ସମସାମୟିକ ଗବେଷଣାର ପ୍ରମୁଖ ଦିଗ ଭାବେ ଚିହ୍ନଟ କରିଥିଲେ। କାର୍ଯ୍ୟକ୍ରମର ଶେଷ ଭାଗରେ ଏକ ଆନ୍ତଃକ୍ରିୟାତ୍ମକ ପ୍ରଶ୍ନୋତ୍ତର ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀ ଓ ଗବେଷକମାନେ ପ୍ରଖ୍ୟାତ ବୈଜ୍ଞାନିକଙ୍କ ସହ ସିଧାସଳଖ ଆଲୋଚନା କରିବାର ସୁଯୋଗ ପାଇଥିଲେ।



