ଆମେରିକା, ୧୭ ଅକ୍ଟୋବର:ଆମର ଦୈନନ୍ଦିନ ଖାଦ୍ୟପେୟରେ ସାମାନ୍ୟ ପରିବର୍ତ୍ତନ ଆଣିବା ଦ୍ୱାରା ଅନ୍ତନଳୀ କ୍ୟାନ୍ସର (Bowel Cancer) ବା କୋଲୋରେକ୍ଟାଲ୍ କ୍ୟାନ୍ସରର ଆଶଙ୍କାକୁ ଯଥେଷ୍ଟ ହ୍ରାସ କରାଯାଇପାରିବ ବୋଲି ଏକ ନୂତନ ଜାତୀୟ ଗବେଷଣାରୁ ପ୍ରକାଶ ପାଇଛି। ନାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH-AARP) ର ଆମେରିକାର ପ୍ରାୟ ୪,୬୦,୦୦୦ରୁ ଊର୍ଦ୍ଧ୍ୱ ପ୍ରୌଢ଼ ନାଗରିକଙ୍କୁ ନେଇ ୨୦ ବର୍ଷରୁ ଅଧିକ ସମୟ ଧରି କରାଯାଇଥିବା ଏକ ଦୀର୍ଘକାଳୀନ ଅଧ୍ୟୟନ ଅନୁଯାୟୀ, ଦୈନନ୍ଦିନ ଆହାରରେ ୧୦ ପ୍ରତିଶତ ଅଲ୍ଟ୍ରା-ପ୍ରୋସେସ୍ଡ ଫୁଡ୍ (UPF) ବଦଳରେ ସ୍ୱଳ୍ପ ପ୍ରୋସେସ୍ଡ ବା ପ୍ରାକୃତିକ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଅନ୍ତନଳୀ କ୍ୟାନ୍ସର ଆଶଙ୍କା ୨ ପ୍ରତିଶତ ପର୍ଯ୍ୟନ୍ତ କମିଯାଇଥାଏ।
ବୈଜ୍ଞାନିକମାନଙ୍କ ଅନୁସନ୍ଧାନ ଅନୁଯାୟୀ, କେବଳ ‘ଅଲ୍ଟ୍ରା-ପ୍ରୋସେସ୍ଡ’ ଆଖ୍ୟା ଯୋଗୁଁ ସମସ୍ତ ଖାଦ୍ୟ କ୍ୟାନ୍ସର ପାଇଁ ସମାନ ଭାବେ ଦାୟୀ ନୁହଁନ୍ତି ବରଂ ଖାଦ୍ୟରେ ରହିଥିବା ପୋଷକ ତତ୍ତ୍ୱ ଏବଂ ଏହାର ପ୍ରକାରଭେଦ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଉଦାହରଣ ସ୍ୱରୂପ, ଅଲ୍ଟ୍ରା-ପ୍ରୋସେସ୍ଡ ମାଂସ (ସସେଜ୍, ହଟ୍ ଡଗ୍ସ) ଏବଂ ଶର୍କରାଯୁକ୍ତ ପାନୀୟ ସେବନ କଲେ ଅନ୍ତନଳୀ କ୍ୟାନ୍ସରର ଆଶଙ୍କା ବୃଦ୍ଧି ପାଉଥିବା ବେଳେ ଅଲ୍ଟ୍ରା-ପ୍ରୋସେସ୍ଡ ଶ୍ରେଣୀଭୁକ୍ତ ହୋଇଥିବା ହୋଲଗ୍ରେନ୍ ବ୍ରେଡ୍, ସିରିଏଲ୍ସ, ଫ୍ରୁଟ୍ ଦହି ଏବଂ କ୍ଷୀର ଜାତୀୟ ଦ୍ରବ୍ୟ (ଯେଉଁଥିରେ ଫାଇବର ଓ କ୍ୟାଲସିୟମ୍ ଭରପୂର ଥାଏ) କ୍ୟାନ୍ସର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରେ। ଏହି ଗବେଷଣାଟି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଏହା ପରାମର୍ଶ ଦିଏ ଯେ, କେବଳ ପ୍ରୋସେସିଂ ସ୍ତରକୁ ନଦେଖି ଖାଦ୍ୟରେ ଥିବା ପ୍ରକୃତ ଗୁଣବତ୍ତା ପ୍ରତି ଧ୍ୟାନ ଦେବା ଏବଂ ପ୍ରୋସେସ୍ଡ ମାଂସ ବଦଳରେ ହୋଲଗ୍ରେନ୍, ଫାଇବର ଓ ପରିବା ଜାତୀୟ ପ୍ରାକୃତିକ ଆହାର ଗ୍ରହଣ କରିବା ଅନ୍ତନଳୀ କ୍ୟାନ୍ସରରୁ ବଞ୍ଚିବାର ସର୍ବୋତ୍ତମ ଉପାୟ।



