Homeଶିକ୍ଷାଡାକ୍ତରୀ ଶିକ୍ଷାରେ ଅତୁଲନୀୟ ଅବଦାନ: ପ୍ରଫେସର ଲଳିତ କୁମାର ମେହେର ପାଇବେ ‘ମାଷ୍ଟର ଟିଚର’ ସମ୍ମାନ

ଡାକ୍ତରୀ ଶିକ୍ଷାରେ ଅତୁଲନୀୟ ଅବଦାନ: ପ୍ରଫେସର ଲଳିତ କୁମାର ମେହେର ପାଇବେ ‘ମାଷ୍ଟର ଟିଚର’ ସମ୍ମାନ

ଭୁବନେଶ୍ୱର, ଅକ୍ଟୋବର ୧: ଓଡ଼ିଶାର ଜଣେ ପ୍ରସିଦ୍ଧ ଚିକିତ୍ସକ ତଥା ଶିକ୍ଷାବିତ୍, ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଉପଦେଷ୍ଟା ପ୍ରଫେସର (ଡାକ୍ତର) ଲଳିତ କୁମାର ମେହେର ଅସୋସିଏସନ ଅଫ ଫିଜିସିଆନ୍ସ ଅଫ ଇଣ୍ଡିଆ (ଏପିଆଇ)ର ମାନପ୍ରଦ ‘ମାଷ୍ଟର ଟିଚର’ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି। ଚିକିତ୍ସା ବିଜ୍ଞାନ ଶିକ୍ଷାଦାନ, କ୍ଲିନିକାଲ ଅଭିଜ୍ଞତା ବାଣ୍ଟିବା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ ପିଢ଼ିର ଡାକ୍ତରମାନଙ୍କୁ ପ୍ରସ୍ତୁତ କରିବାରେ ତାଙ୍କର ଅତୁଲନୀୟ ନେତୃତ୍ୱ ଓ ନିଷ୍ଠାକୁ ଦୃଷ୍ଟିରେ ରଖି ଏପିଆଇ ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଛି।

ଜେନେରାଲ ମେଡିସିନ ବିଭାଗର ଜଣେ ବରିଷ୍ଠ ବିଶେଷଜ୍ଞ ଭାବେ ସୁଖ୍ୟାତି ଅର୍ଜନ କରିଥିବା ପ୍ରଫେସର ମେହେର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ରିସର୍ଚ୍ଚ (ଭିମସାର)ର ପୂର୍ବତନ ନିର୍ଦ୍ଦେଶକ ଭାବେ ନିଜର ଦାୟିତ୍ୱ ସଫଳତାର ସହ ସମ୍ପାଦନ କରିଥିଲେ। ବର୍ତ୍ତମାନ ସେ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲର ଉପଦେଷ୍ଟା ଭାବେ ନିୟୋଜିତ ଅଛନ୍ତି।

ଏହି ଜାତୀୟ ସ୍ତରର ସଫଳତା ପାଇଁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋରଞ୍ଜନ ନାୟକ ଗୁରୁବାର ପ୍ରଫେସର ମେହେରଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ଏହି ସମ୍ବର୍ଦ୍ଧନା ସଭାରେ ସୋଆର କୁଳପତି ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ଡିନ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଉପସ୍ଥିତ ରହି ତାଙ୍କର ପ୍ରଶଂସନୀୟ କାର୍ଯ୍ୟାବଳୀର ଉଚ୍ଚସିତ ପ୍ରଶଂସା କରିଥିଲେ।

ଆସନ୍ତା ୨୦୨୭ ଫେବୃଆରୀରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ଅସୋସିଏସନ ଅଫ ଫିଜିସିଆନ୍ସ ଅଫ ଇଣ୍ଡିଆର ବାର୍ଷିକ ସମ୍ମିଳନୀ ଅବସରରେ ପ୍ରଫେସର ମେହେରଙ୍କୁ ଆନୁଷ୍ଠାନିକ ଭାବେ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments