ଭୁବନେଶ୍ୱର, ୩୦ ସେପ୍ଟେମ୍ବର: ବିଶ୍ୱସ୍ତରୀୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ କିଟ୍ ବିଶ୍ୱବିଦ୍ୟାଳୟ ପୁଣି ଏକ ନୂଆ ମାଇଲଖୁଣ୍ଟ ଛୁଇଁଛି। ଟାଇମ୍ସ ହାୟର ଏଜୁକେସନ୍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ-୨୦୨୭ରେ କିଟ୍ ନିଜର ଶ୍ରେଷ୍ଠତା ପ୍ରତିପାଦନ କରି ଭାରତର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୪ର୍ଥ ସ୍ଥାନ ହାସଲ କରିବା ସହ ପୂର୍ବ ଭାରତର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ବଜାୟ ରଖିଛି। ଏହି ବିଶ୍ୱସ୍ତରୀୟ ରାଙ୍କିଙ୍ଗରେ କିଟ୍ ବିଶ୍ୱର ୫୦୧+ ବ୍ୟାଣ୍ଡରେ ସ୍ଥାନିତ ହୋଇଛି। ଶିକ୍ଷାଦାନର ସର୍ବୋଚ୍ଚ ମାନ, ଉଚ୍ଚକୋଟୀର ଗବେଷଣା, ଇଣ୍ଡଷ୍ଟ୍ରି ଏନଗେଜମେଣ୍ଟ ଏବଂ ବିଶ୍ୱସ୍ତରୀୟ ଭିତ୍ତିଭୂମି କ୍ଷେତ୍ରରେ କିଟ୍ର ନିରବଚ୍ଛିନ୍ନ ଉଦ୍ୟମ ଏହି ସଫଳତା ଆଣିଦେଇଛି। ଏହି ଗୌରବ କିଟ୍ ନେତୃତ୍ୱର ସୁଦୂରପ୍ରସାରୀ ଚିନ୍ତାଧାରା, ଅଧ୍ୟାପକ-ଅଧ୍ୟାପିକାଙ୍କ ନିଷ୍ଠା, ଗବେଷଣାର ଗୁଣବତ୍ତା ଏବଂ ବିଶ୍ୱର ପ୍ରାନ୍ତରୁ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବାର କ୍ଷମତାକୁ ଦର୍ଶାଉଛି।
ଏହି ଗୋରବମୟ ସଫଳତା ନେଇ ଆନନ୍ଦ ପ୍ରକାଶ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ନିଜ ରାଜ୍ୟର ଏକ ବିଶ୍ୱବିଦ୍ୟାଳୟ ବିଶ୍ୱର ଅଗ୍ରଣୀ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସ୍ଥାନ ପାଉ ବୋଲି ସମସ୍ତେ ଆଶା ରଖିଥାନ୍ତି। ଅନ୍ୟ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟଗୁଡ଼ିକ ତୁଳନାରେ କିଟ୍ ଅଳ୍ପ ବର୍ଷର ଶିକ୍ଷାନୁଷ୍ଠାନ ହୋଇଥିଲେ ସୁଦ୍ଧା ଆଜି ବିଶ୍ୱସ୍ତରରେ ଏଭଳି ସ୍ୱୀକୃତି ପାଇବା ଓଡ଼ିଶା ତଥା ସମଗ୍ର ଦେଶ ପାଇଁ ଗର୍ବର ବିଷୟ। ସୂଚନାଯୋଗ୍ୟ, ଟାଇମ୍ସ ହାୟର ଏଜୁକେସନ୍ ପକ୍ଷରୁ ଗୁଣାତ୍ମକ ଶିକ୍ଷାଦାନ, ଗବେଷଣାର ମାନ, ଜ୍ଞାନର ଆଦାନପ୍ରଦାନ ଏବଂ ଆନ୍ତର୍ଜାତୀୟ ଦୃଷ୍ଟିକୋଣକୁ ଆଧାର କରି ଏହି ରାଙ୍କିଙ୍ଗ ପ୍ରକାଶ କରାଯାଏ। ଚଳିତ ବର୍ଷ ବିଶ୍ୱର ୧୧୮ଟି ଦେଶରୁ ମୋଟ ୨୨୯୭ଟି ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଥିବା ବେଳେ, ସେଥିମଧ୍ୟରୁ ଭାରତର ୧୪୩ଟି ବିଶ୍ୱବିଦ୍ୟାଳୟ ଏହି ରାଙ୍କିଙ୍ଗରେ ସ୍ଥାନ ପାଇଛନ୍ତି।



