Homeଶିକ୍ଷାଆଇନ୍‌ ଶିକ୍ଷା କୋର୍ଟରୁମ୍‌ ଓ ବାସ୍ତବ କର୍ମକ୍ଷେତ୍ରରୁ ଆରମ୍ଭ ହୁଏ: ସୋଆ ଏସ୍‌ଏନ୍‌ଆଇଏଲ୍‌ ଗ୍ରାଜୁଏସନ୍‌ ଉତ୍ସବରେ...

ଆଇନ୍‌ ଶିକ୍ଷା କୋର୍ଟରୁମ୍‌ ଓ ବାସ୍ତବ କର୍ମକ୍ଷେତ୍ରରୁ ଆରମ୍ଭ ହୁଏ: ସୋଆ ଏସ୍‌ଏନ୍‌ଆଇଏଲ୍‌ ଗ୍ରାଜୁଏସନ୍‌ ଉତ୍ସବରେ କୁଳପତି

ଭୁବନେଶ୍ୱର, ୩୦/୦୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସୋଆ ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲ’ (ଏସ୍‌ଏନ୍‌ଆଇଏଲ୍‌)ରେ ବୁଧବାର ଦିନ ଏକ ବିଶେଷ ଗ୍ରାଜୁଏସନ୍‌ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୦୨୧-୨୬ ବ୍ୟାଚ୍‌ର ବିଏ ଏଲ୍‌ଏଲ୍‌ବି (ଅନର୍ସ) ଓ ବିବିଏ ଏଲ୍‌ଏଲ୍‌ବି (ଅନର୍ସ), ୨୦୨୩-୨୬ ବ୍ୟାଚ୍‌ର ଏଲ୍‌ଏଲ୍‌ବି (ଅନର୍ସ) ଏବଂ ୨୦୨୫-୨୬ ବ୍ୟାଚ୍‌ର ଏଲ୍‌.ଏଲ୍‌.ଏମ୍‌ ପାଠ୍ୟକ୍ରମରେ ଶିକ୍ଷା ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଆନୁଷ୍ଠାନିକ ଭାବେ ଡିଗ୍ରୀ ପ୍ରଦାନ କରାଯାଇଛି। ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ବାଣ୍ଟିବା ସହ ଶପଥ ପାଠ କରାଇଥିଲେ। ନବସ୍ନାତକମାନଙ୍କୁ ସମ୍ବୋଧିତ କରି କୁଳପତି କହିଥିଲେ ଯେ, ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁସନାଲ୍‌ ରାଙ୍କିଂ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ଅନୁସାରେ ଏହି ଅନୁଷ୍ଠାନ ଦେଶର ୧୦ମ ଶ୍ରେଷ୍ଠ ଆଇନ୍‌ ଶିକ୍ଷାନୁଷ୍ଠାନ ଓ ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ୱୀକୃତି ପାଇଛି। ତେଣୁ ସୋଆର ଏହି ମାନ ଓ ସୁନାମକୁ ଆହୁରି ଉଚ୍ଚ ଗତି ପ୍ରଦାନ କରିବା ନିମନ୍ତେ ଛାତ୍ରଛାତ୍ରୀମାନେ ନିଶ୍ଚୟ ନିରନ୍ତର ଉଦ୍ୟମ କରିବେ।

ନିଜର ଭାବମୂର୍ତ୍ତି, ଆଚରଣ ଓ ଶ୍ରେଷ୍ଠ କାର୍ଯ୍ୟ ମାଧ୍ୟମରେ ବିଶ୍ୱବିଦ୍ୟାଳୟର ସୁନାମ ବଜାୟ ରଖିବା ସହ ଶିକ୍ଷାନୁଷ୍ଠାନ, ପିତାମାତା ଓ ଗୁରୁଜନଙ୍କ ପ୍ରତି ସଦାସର୍ବଦା କୃତଜ୍ଞ ରହିବାକୁ ସେ ଆହ୍ୱାନ ଦେଇଥିଲେ। ସ୍ନାତକମାନଙ୍କୁ ସୋଆର ଆଲୁମ୍ନି ନେଟୱାର୍କରେ ପଞ୍ଜୀକୃତ ହେବାକୁ ଅନୁରୋଧ କରି ସେ ପ୍ରକାଶ କରିଥିଲେ ଯେ, ଆଞ୍ଚଳିକ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପରିଚିତ ଏହି ବିଶ୍ୱବିଦ୍ୟାଳୟର ସେମାନେ ଏବେ ‘ମାର୍ଗ ଦର୍ଶକ’ ବା ମଶାଲ ବାହକ ସାଜିବେ। ସମାଜ ପ୍ରତି ନିଜର ଆନୁଗତ୍ୟ ଓ ଦାୟିତ୍ୱ ନିର୍ବାହ କରିବା ସହ ସର୍ବୋଚ୍ଚ ସଚ୍ଚୋଟତା ଏବଂ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।

ସାମ୍ପ୍ରତିକ ସମୟରେ ବିପ୍ଳବ ଆଣିଥିବା କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର ସମ୍ପର୍କରେ ସୂଚାଇ ସେ କହିଥିଲେ ଯେ, ଛାତ୍ରଛାତ୍ରୀମାନେ ନୂତନ ପ୍ରଯୁକ୍ତିର ସଠିକ୍‌ ଓ ସତର୍କ ବ୍ୟବହାର କରି ନିଜର ପେଷାଦାର ଦାୟିତ୍ୱକୁ ଅଧିକ ଦକ୍ଷତାର ସହ ସମ୍ପାଦନ କରିପାରିବେ। ଏଥିସହ ପ୍ରକୃତ ଆଇନ୍‌ ଶିକ୍ଷା କେବଳ ଶ୍ରେଣୀଗୃହ ମଧ୍ୟରେ ସୀମିତ ନ ରହି କଲେଜ ବାହାରେ କୋର୍ଟରୁମ୍‌ ଓ ବାସ୍ତବ କର୍ମକ୍ଷେତ୍ରରୁ ଆରମ୍ଭ ହୋଇଥାଏ। ବାସ୍ତବ ଜୀବନର ବିବିଧ ଓ ଜଟିଳ ସମସ୍ୟାର ସମାଧାନ ପାଇଁ ଛାତ୍ରଛାତ୍ରୀଙ୍କୁ ସୂକ୍ଷ୍ମଦର୍ଶୀ, ଦୃଢ଼ ଓ ସୃଜନଶୀଳ ହେବାକୁ ପଡ଼ିବ।

ଏକ ସୁସ୍ଥ ସମାଜ ପାଇଁ ସୁସ୍ଥ ଆଇନ୍‌ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ଦର୍ଶାଇ ପ୍ରଫେସର ନନ୍ଦ କହିଥିଲେ ଯେ, ଆଇନ୍‌ର ରକ୍ଷକ ଭାବେ ସମାଜର ଅସହାୟ ଲୋକଙ୍କ ସ୍ୱର ହେବା ସହ ନ୍ୟାୟ, ମାନବିକତା ଓ ସଚ୍ଚୋଟତାକୁ ପ୍ରାଥମିକତା ଦେବା ସେମାନଙ୍କ ପ୍ରମୁଖ କର୍ତ୍ତବ୍ୟ। ଏସ୍‌ଏନ୍‌ଆଇଏଲ୍‌ର ବରିଷ୍ଠ ପ୍ରଫେସର ତଥା _ପୂର୍ବତନ ଡିନ୍‌ ପ୍ରଫେସର ପ୍ରବୀଣ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ରଖିଥିଲେ। ଅନୁଷ୍ଠାନର ଡିନ୍‌ ପ୍ରଫେସର ଏସ୍‌. ଏ. କେ. ଆଜାଦ୍‌ ନିଜ ବକ୍ତବ୍ୟରେ କହିଥିଲେ ଯେ, ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ମରଣୀୟ ଦିବସ। ଆଇନ୍‌ ଶେଷ ପର୍ଯ୍ୟନ୍ତ ଜଣେ ମଣିଷର ଅଧିକାର, ମର୍ଯ୍ୟାଦା, ସ୍ୱାଧୀନତା ଓ ନ୍ୟାୟ ପ୍ରାପ୍ତିର ସୁରକ୍ଷାକୁ ସାବ୍ୟସ୍ତ କରିଥାଏ।

ଏହି ସମାରୋହରେ ସୋଆ ଉପକୁଳପତି ପ୍ରଫେସର ଅନୂପ କୁମାର ସାମନ୍ତରାୟ, କଣ୍ଟ୍ରୋଲର୍‌ ଅଫ୍‌ ଏଗ୍‌ଜାମିନେସନ୍‌ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ର ମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ସିନିୟର ପ୍ରଫେସର ମଧୁସୂଦନ ଦାସଙ୍କ ସମେତ ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ଫ୍ୟାକଲ୍ଟି ସଦସ୍ୟମାନେ ଉପସ୍ଥିତ ଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments